Home ଜିଲ୍ଲା ପରିକ୍ରମା ଭାରତୀୟ ସଂସ୍କୃତିରେ ନୟାଗଡ଼ର ପୁରାଣ ବର୍ଣ୍ଣିତ ନବଗୁଞ୍ଜର

ଭାରତୀୟ ସଂସ୍କୃତିରେ ନୟାଗଡ଼ର ପୁରାଣ ବର୍ଣ୍ଣିତ ନବଗୁଞ୍ଜର

262

ନୟାଗଡ଼, ୭ା୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାର ସଂସ୍କୃତି ଅତୀବ ମନୋରମ। କଳା, ଭାସ୍କର୍ଯ୍ୟ, ପୌରାଣିକ ତଥ୍ୟକୁ ନେଇ ନୟାଗଡ଼ର ଗୌରବ ଗରିମା ସଦା ସର୍ବଦା ଶ୍ରେଷ୍ଠତା ପ୍ରତିପାଦନ କରୁଥିବାବେଳେ ଭାରତୀୟ ସଂସ୍କୃତିକୁ ନୟାଗଡ଼ର ଦାନ ଯୁଗେ ଯୁଗେ ଅବର୍ଣ୍ଣନୀୟ। ସେଥିମଧ୍ୟରୁ ମହାଭାରତର ପୁରାଣ ବର୍ଣ୍ଣିତ ନବଗୁଞ୍ଜର ଆଖ୍ୟାନ ବେଶ୍ ପରିପୃଷ୍ଣ। ନୟାଗଡ଼ ଜିଲାର ସଂସ୍କୃତି କେବଳ ଲୋକକଥା, କିମ୍ବଦନ୍ତୀ, ଇତିହାସ ଭିତରେ ସୀମାବଦ୍ଧ ହୋଇ ରହିନାହିଁ। ବରଂ ପୁରାଣ ପୃଷ୍ଠାରେ ବିସ୍ତୃତ କଳେବରରେ ସ୍ଥାନୀତ ହୋଇଛି। ଯାହାକି ଓଡ଼ିଆ ଜାତିର ଘରେ ଘରେ ପରିଚିତ ଆଦିକବି ସାରଳା ଦାସଙ୍କ ମହାଭାରତରେ ଏହାର ବଳିଷ୍ଠ ପ୍ରମାଣ ମିଳେ। ଯେଉଁଠି ନୟାଗଡ଼ ମାଟିରେ ପ୍ରଭୃ ଶ୍ରୀକୃଷ୍ଣ ନବଗୁଞ୍ଜର ବେଶ ଧାରଣ କରି ଅର୍ଜ୍ଜୁନଙ୍କ ଠାରୁ ଭକ୍ତିର ଗଭୀରତା ପରୀକ୍ଷା କରିଥିଲେ। ସେହିସ୍ଥାନ ହେଉଛି ନୟାଗଡ଼ ଜିଲାର ଗଣିଆ ନିକଟ ମଣିଭଦ୍ରା ପର୍ବତ। ପାଣ୍ଡବମାନେ ଅଜ୍ଞାତବାସରେ ଥିଲାବେଳେ ମଣିଭଦ୍ରା ପର୍ବତକୁ ଉଚିତ୍ କ୍ଷେତ୍ର ବୋଲି ବାଛିଥିଲେ। ପାଣ୍ଡବମାନେ ମଣିଭଦ୍ରା ପର୍ବତରେ ମା’ଙ୍କ ସହିତ ଆତ୍ମଗୋପନ କରିଥିଲାବେଳେ ପ୍ରଭୁ ଶ୍ରୀକୃଷ୍ଣ ଏକାନ୍ତରେ ଅର୍ଜୁନଙ୍କୁ ନବଗୁଞ୍ଜର ବେଶରେ ଦେଖାରେ ଦେଇଥିଲେ। ନଅଗୋଟି ପ୍ରାଣୀର ସମ୍ମିଳିତ ରୂପ ନେଇ ଏକ ଅପୂର୍ବରୂପ ଯେ ଦିନେ ଏଠାରେ ପ୍ରଭୁ ଧାରଣ କରିଥିଲେ ଏହା ତତ୍କାଳୀନ ଆଧ୍ୟାତ୍ମିକ ଚିନ୍ତନର ପରିଚୟ ବହନ କରେ। ଶୁଦ୍ରମୁନି ସାରଳା ଦାସକୃତ ମହାଭାରତର ମଧ୍ୟପର୍ବରେ ଏହି କଥା ବର୍ଣ୍ଣନା କରାଯାଇଛି। ‘ଦେଖି ଧନଞ୍ଜୟ ଦିବ୍ୟ ଅପୂର୍ବ ମୂରତି-ଏକଦେହେ ନବରୂପ ଭିନ୍ନ ଭିନ୍ନ କାନ୍ତି, ମଣିଭଦ୍ରା ପର୍ବତରେ ବୀର ଅରଜୁନ-ନବଗୁଞ୍ଜର ରୂପକୁ କଲେକ ଦରଶନ’। ଏପରି ଗଣିଆ ଓ ଦଶପଲା ଅଂଚଳର ପୌରାଣିକ ଚିତ୍ରରୁ ସ୍ପଷ୍ଟ ବାରିହୋଇ ପଡ଼େ। ସମ୍ପ୍ରତି ଦଶପଲା ଅଂଚଳରେ ପଦଧୌତ କରୁଥିବା ବୃତ୍ତଙ୍ଗ ନଦୀର ଉତ୍ପତ୍ତି ସମ୍ପର୍କୀତ ପୌରାଣିକ ତଥ୍ୟ ଆଜିବି ଜନ ମାନସରେ ଅମୀୟ ଭକ୍ତିଭାବ ଜାଗ୍ରତ କରେ। ସେଦିନ ଗଙ୍ଗାରେ ବାରୁଣୀ ଯୋଗ ପଡ଼ିଥିବାରୁ ଶ୍ରୀକୃଷ୍ଣଙ୍କ ଇଛା ଓ ଅର୍ଜ୍ଜୁନଙ୍କ ଶସ୍ତ୍ର ଆବାହନୀ କ୍ରମେ ଗଙ୍ଗା ଏଠି ଆବିର୍ଭୁତା ହୋଇଥିଲେ ଏବଂ ପ୍ରଭୁ ଶ୍ରୀକୃଷ୍ର ଏହାକୁ ତରଙ୍ଗିଣୀ ଓ ପାପନାଶିନୀ ବୃତ୍ତଙ୍ଗନା ନାମରେ ନାମକରଣ କରିବାରୁ ଯାହା ସମ୍ପ୍ରତି ଅପଭ୍ରଂଶ ହୋଇ ବୃତ୍ତଙ୍ଗ ନାମରେ ଖ୍ୟାତ। ବହୁ ପ୍ରଜାତିର ସର୍ପମାନଙ୍କର ଆବସସ୍ଥଳୀ ହେଉଛି ଏହି ମଣିଭଦ୍ରା ପର୍ବତ। ନିକଟରେ କଳନିନାଦିନୀ ବୃତ୍ତଙ୍ଗ ଓ ଚିତ୍ରୋତ୍ପଳାର ସଙ୍ଗମ ଏହାର ଶୋଭାରାଜିକୁ ଦ୍ୱିଗୁଣିତ କରେ। କାଚକେନ୍ଦୁ ପାଣି ଏଠାରେ ତୋଳିଧରେ ଏକ ନୈଶର୍ଗୀକ ରୂପ ବିଭବ। ମରିଭଦ୍ରା ପାଦ ଦେଶରେ ତଥା ମହାନଦୀ କୂଳରେ ଦେବୀ କଳାପାଟଙ୍କ ବିଜେସ୍ଥଳୀ। ଏଠାରେ ଅନେକ ସାଧୁୂସନ୍ଥଙ୍କୁ ସିଦ୍ଧି ପ୍ରଦାନ କରିବା କାରଣରୁ ଯେଉଁଠି ପ୍ରତିବର୍ଷ ରାମବାବାଙ୍କ ଜନ୍ମତିଥିରେ ବିରାଟ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୁଏ। ନବଗୁଞ୍ଜର ର ଆଦିପୀଠ ପୁତ ପବିତ୍ର ମାଟି ନିଶ୍ଚିତ ରୂପେ ମୋକ୍ଷଦାୟୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.