Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ଧାମରାକୁ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ...

ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ଧାମରାକୁ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦାବି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲା ବିଜେପିର ଦାବିପତ୍ର ପ୍ରଦାନ

150

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଏବଂ ଧାମରାକୁ ଏକ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ଜିଲ୍ଳା ବିଜେପି ଦାବି ଉପସ୍ଥାପନ କରିଛି । ଏ ନେଇ ଏକ ଦାବିପତ୍ର କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ୧୯୪୮ ମସିହାରୁ ସ୍ଥାପିତ ହୋଇଥିବା ଭଦ୍ରକ ମହାବିଦ୍ୟାଳୟ ଏବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହୋଇଥିଲେ ମଧ୍ୟ ଭିତ୍ତିଭୂମି ସମ୍ପନ୍ନ ଏହି ମହାବିଦ୍ୟାଳୟକୁ ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିପାରି ନାହିଁ । ଏକଦା ଓଡ଼ିଶାର ଶାନ୍ତି ନିକେତନ କୁହାଯାଉଥିବା ଏହି ମହାବିଦ୍ୟାଳୟରୁ ଶିକ୍ଷାଲାଭ କରି କେତେ ଛାତ୍ର ରାଜ୍ୟ, ଦେଶ ଏବଂ ଦେଶ ବାହାରେ ବହୁ ଉଚ୍ଚ ପଦପଦବୀରେ ନିଯୁକ୍ତ ଥିବା ବେଳେ କେତେ ଛାତ୍ର ରାଜନୀତିର ଶୀର୍ଷସ୍ଥାନ ମଧ୍ୟ ଅଧିକାର କରିଛନ୍ତି । ଗତ ୨୦୧୦ ମସିହାରୁ ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ନିମନ୍ତେ ଦାବି ହୋଇ ଆସୁଛି । ମହାବିଦ୍ୟାଳୟକୁ ପରିଦର୍ଶନରେ ଆସୁଥିବା ‘ନାକ୍‌’ ଟିମ୍ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଭଦ୍ରକ ମହାବିଦ୍ୟାଳୟ ଏକ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରାପ୍ତି ନିମନ୍ତେ ସରକାରୀ ସ୍ତରରେ ଆବଶ୍ୟକ ହେଉଥିବା ସମସ୍ତ ଭିତ୍ତିଭୂମି ଓ ସର୍ତ୍ତାବଳୀକୁ ପୂରଣ କରୁଥିଲେ ମଧ୍ୟ ରାଜ୍ୟ ସରକାର ଏହା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଚାଲିଛନ୍ତି ।

ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା କରିବାକୁ ଦାବି କରି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ସଭାପତି ହେମନ୍ତ ପାଢୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଦାବିପତ୍ରରେ ମହାବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ରମନ୍ତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମହାବିଦ୍ୟାଳୟରେ ମୋଟ ୨୧ ଟି ବିଭାଗରେ ଶିକ୍ଷାଦାନ କରାଯାଉଛି । ସେଥିମଧ୍ୟରୁ ୧୨ଟି ବିଭାଗରେ ସ୍ନାତ୍ତକୋତ୍ତର ବିଭାଗ ମଧ୍ୟ ରହିଛି । ୭ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ହଷ୍ଟେଲରେ ମୋଟ ୮୮୦ ଜଣ ଅନ୍ତେବାସୀ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ୪୮୦ ଜଣ ଛାତ୍ରୀ ରହୁଥିବା ବେଳେ ୪୦୦ ଛାତ୍ର ରହୁଛନ୍ତି । ଏହାଛଡା କଲେଜ କ୍ୟାମ୍ପସ ମଧ୍ୟରେ ବ୍ୟାଙ୍କ, ପୋଷ୍ଟ ଅଫିସ ମଧ୍ୟ ରହିଛି । ସମସ୍ତ ପ୍ରକାରର ଆନୁସଂଗିକ ଭିତ୍ତିଭୂମି ରହିଥିଲେ ବି ଏହା ଏ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇ ପାରିନାହିଁ । ଆସନ୍ତା ବର୍ଷ ଏହି ମହାବିଦ୍ୟାଳୟ ଏହାର ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଘୋଷଣା କରିବାକୁ ବିଜେପି ନେତା ଶ୍ରୀଯୁକ୍ତ ପାଢୀ ଦାବି କରିଛନ୍ତି । ସେହିବରି ଧାମରାକୁ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ସବୁ ପ୍ରକାରର ସୁବିଧା ରହିଛି । ରେଳ ଧାରଣାରେ ନିୟମିତ ମାଲବାହୀ ଟ୍ରେନ ଯାତାୟତ କରୁଛି । ଷ୍ଟେସନର ସୁବିଧା ରହିଛି । ଏପରି ସ୍ଥଳେ ଏକ ପାସେଞ୍ଜର ଟ୍ରେନ ଚାଲିଲେ ଲକ୍ଷଲକ୍ଷ ଲୋକ ଭଦ୍ରକକୁ ତଥା ଭଦ୍ରକ ବାହାରକୁ ଯାତାୟତର ସୁବିଧା ପାଇ ପାରିବେ । ତୁରନ୍ତ ଏକ ପାସେଞ୍ଜର ଟ୍ରେନ ଚଳାଇବାକୁ ମଧ୍ୟ ଶ୍ରୀଯୁକ୍ତ ପାଢୀ ଦାବି କରି ଦାବିପତ୍ର କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନକୁ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.