Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ଲକ୍ ଅନ୍ତର୍ଗତ ହରିପୁର ପଂଚାୟତର ୩ଟି ୱାର୍ଡର ଜନଗଣନା କାର୍ଯ୍ୟକୁ ବିରୋଧ, ଜିଲାପାଳଙ୍କ ହସ୍ତକ୍ଷେପ...

ଭଦ୍ରକ ବ୍ଲକ୍ ଅନ୍ତର୍ଗତ ହରିପୁର ପଂଚାୟତର ୩ଟି ୱାର୍ଡର ଜନଗଣନା କାର୍ଯ୍ୟକୁ ବିରୋଧ, ଜିଲାପାଳଙ୍କ ହସ୍ତକ୍ଷେପ ପରେ ଆଜିଠାରୁ ଜନଗଣନା ଆରମ୍ଭ

1

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅନ୍ତର୍ଗତ ହରିପୁର ପଂଚାୟତର ୩ଟି ୱାର୍ଡରେ ଜନଗଣନାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଜିଲାପାଳଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଛି। ଆସନ୍ତାକାଲି ଶୁକ୍ରବାର ଠାରୁ ଏହି ୩ଟି ୱାର୍ଡରେ ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ସୂଚନାଯୋଗ୍ୟ “ଜନଗଣନାକୁ ଗ୍ରାମବାସୀଙ୍କ ବିରୋଧ” ଶୀର୍ଷକ ଏକ ଖବର ପ୍ରକାଶ ପାଇବା ପରେ ଜିଲାପାଳ ଦିଲ୍ଲୀପ କୁମାର ରାଉତରାଏ ଗତକାଲି ଏହି ସମସ୍ୟାର ସମାଧାନ ପାଇଁ ଏକ ଜରୁରୀ ବୈଠକ ଡକାଇଥିଲେ। ଜିଲାପାଳ ଶ୍ରୀ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପିଡି ଶୁଭେନ୍ଦ୍ର ସାମଲ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର, ଜନଗଣନା ଦାୟିତ୍ୱରେ ଥିବା ଅଧିକାରୀ, ଭଦ୍ରକ ତହସିଲଦାର ଓ ଅତିରିକ୍ତ ତହସିଲଦାର ଉପସ୍ଥିତ ଥିଲେ। ଏହାବ୍ୟତୀତ ଜନଗଣନାକୁ ବିରୋଧ କରୁଥିବା ୩ଟି ୱାର୍ଡର ଗ୍ରାମବାସୀଙ୍କ ତରଫରୁ ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା ଭଦ୍ରକ ବ୍ଲକ୍ କଂଗ୍ରେସ ସଭାପତି ସରୋଜ ନାୟକ ଯୋଗ ଦେଇଥିଲେ। ୬୬ ବର୍ଷ ଧରି ଏହି ୩ଟି ୱାର୍ଡ ନା ଏ କୂଳର ନା ସେ କୂଳର (ପୌରପାଳିକା / ପଂଚାୟତ ସମିତି) ହୋଇନପାରି ନାନା ଦୁର୍ଦ୍ଦଶା ଭୋଗୁଛନ୍ତି। ବିଗତ ପଂଚାୟତ ଠାରୁ ସାଧାରଣ ନିର୍ବାଚନ ମାନଙ୍କରେ ଏହି ବାସିନ୍ଦାମାନେ ପଂଚାୟତର ଭୋଟର ହିସାବରେ ମତଦାନ କରିଆସୁଛନ୍ତି। ପ୍ରଶାସନିକ ସ୍ଥାଣୁତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପୂର୍ବତନ ଜିଲା ପରିଷଦ ସଭ୍ୟ ଶ୍ରୀ ନାୟକ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟପକ୍ଷରେ ପଂଚାୟତ କିମ୍ବା ପୌରପାଳିକାର ବିବାଦ ସହ ଜନଗଣନା କାର୍ଯ୍ୟର କୌଣସି ସଂପର୍କ ନାହିଁ। ଜନଗଣନା କାର୍ଯ୍ୟ ସରକାରଙ୍କର ଏକ ସ୍ୱାଭାବିକ ପ୍ରକ୍ରିୟା। ଆସନ୍ତା ଶନିବାର ୨୫ ତାରିଖ ସଂପୃକ୍ତ ଅଂଚଳକୁ ଯାଇ ବିବାଦୀୟ ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରିବେ ବୋଲି ଜିଲାପାଳ ଶ୍ରୀ ରାଉତରାଏ ପ୍ରତିଶ୍ରୁତି ଦେବାପରେ ଜନଗଣନା କାର୍ଯ୍ୟକୁ ଗ୍ରାମବାସୀ ସହଯୋଗ କରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.