ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ପୁଷ୍ଟି ବାଟିକା ଓ ନଡ଼ିଆ ଚାରା ରୋପଣ ଅଭିଯାନକୁ ନୂତନ ଗତି ମିଳିଛି। ଭଦ୍ରକ ବ୍ଲକ୍ ଅନ୍ତର୍ଗତ ୧୧୪ଟି ପୁଷ୍ଟି ବାଟିକା (କିଚେନ୍ ଗାର୍ଡେନ୍) ଏବଂ ୨୫ଟି ନଡ଼ିଆ ଚାରା ରୋପଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯେଉଁଥିରେ ମୋଟ ୨୮୭୫ ଗୋଟି ନଡ଼ିଆ ଚାରା ରୋପଣ କରାଯିବ। ସେହିପରି ଭଦ୍ରକ ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକ ପାଇଁ ମୋଟ ୬୫୮ ଗୋଟି ପୁଷ୍ଟି ବାଟିକା ଏବଂ ୯୦୧ଟି ନଡ଼ିଆ ଚାରା ରୋପଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯେଉଁଥିରେ ମୋଟ ୧୩୭୭୫ ଗୋଟି ନଡ଼ିଆ ଚାରା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ପଡ଼ିଆ, ରାସ୍ତା ପାର୍ଶ୍ୱ ଓ ଅନ୍ୟାନ୍ୟ ସ୍ଥାନରେ ରୋପଣ କରାଯିବ। ଏହି ଅବସରରେ ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଭା.ପ୍ର.ସେ. ଜଗଦଲପୁର ଗ୍ରାମ ପଂଚାୟତର କୁଣ୍ଡାପଡ଼ିଆ ଆଦିବାସୀ ସାହିଠାରେ ନଡ଼ିଆ ଚାରା ରୋପଣ କାର୍ଯ୍ୟର ଶୁଭାରମ୍ଭ କରିଥିବା ବେଳେ, ରମ୍ଭିଳା ଗ୍ରାମ ପଂଚାୟତର ଖଜୁରୀପୋଖରୀ ଅଙ୍ଗନବାଡ଼ି କେନ୍ଦ୍ରଠାରେ ପୁଷ୍ଟି ବାଟିକାର ମଧ୍ୟ ଶୁଭ ଉଦ୍ଘାଟନ କରିଛନ୍ତି। ପୁଷ୍ଟି ବାଟିକାରେ ଲେମ୍ବୁ, କଦଳୀ, ଅମୃତଭଣ୍ଡା, ସଜନା, ସପେଟା, ଡାଳିମ୍ବ, ଫୁଲ କୋବି, ବାଇଗଣ, ଟମାଟୋ ଓ ବିଭିନ୍ନ କିସମର ଶାଗ ଇତ୍ୟାଦି ଫଳ ଓ ପୁଷ୍ଟିକର ଚାରା ରୋପଣ କରାଯାଇଛି । ଏହି ପଦକ୍ଷେପ କେବଳ ବୃକ୍ଷରୋପଣ ମଧ୍ୟରେ ସୀମିତ ନୁହେଁ; ବରଂ ଶିଶୁମାନଙ୍କର ପୋଷଣ, ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ତଥା ଜୀବିକାର ସୁଯୋଗ ସୃଷ୍ଟି ଦିଗରେ ଏକ ମହତ୍ୱପୂର୍ଣ୍ଣ ପ୍ରୟାସ। ଏଥି ସହିତ ଏହା ନଡ଼ିଆ ଭିତିକ ଶିଳ୍ପ ଓ ଅର୍ଥନୀତିକୁ ପ୍ରୋତ୍ସାହନ ଦେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ କୁମାର ସାମଲ,ଭଦ୍ରକ ବିଡ଼ିଓ ରଶ୍ମି ରଞ୍ଜନ ମଲ୍ଲିକ,ବ୍ଲକ ଅଧକ୍ଷା ଉର୍ମିଳା ନାୟକ, ରମ୍ଭିଳା ସରପଂଚ ଗଣେଶ ପଣ୍ଡା ,ଜଗଦଲପୁର ସରପଂଚ ତିଳୋତମା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।








