ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରସିଦ୍ଧ କାଳୀପୂଜାରେ ଜନଗହଳି ବଢିଚାଲିଛି। ଯାତ୍ରା ପାର୍ଟି ଓ ଏଠାକୁ ଆସିଥିବା ରାଜ୍ୟ ତଥା ରାଜ୍ୟ ବାହାରୁ ବ୍ୟବସାୟୀମାନଙ୍କ ବେପରୁଆ ଦରଦାମ୍ ବୃଦ୍ଧି କାଳୀପୂଜାର ସଫଳତାକୁ ଫିକା କରିଦେଇଛି। ଯାନବାହନ ନିୟନ୍ତ୍ରଣ, ଭିଡ ପରିଚାଳନା, ସ୍ୱଚ୍ଛ ପରିମଳ ବ୍ୟବସ୍ଥା ଓ ଲୁଟେରାଙ୍କୁ ଧରିବା ଇତ୍ୟାଦି ପୁଲିସ୍ର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଠିକ୍ ଚାଲିଛି। ଅପରପକ୍ଷରେ ଏଠାକୁ ଆସିଥିବା ଅପେରା ପାର୍ଟି ତଥା ବ୍ୟବସାୟୀମାନେ ଯାତ୍ରୀଙ୍କୁ ଶୋଷଣ କରିବାରେ ଲାଗିଛନ୍ତି। ଦୂର ଦୂରାନ୍ତରୁ ଆସିଥିବା ବେପାରୀମାନଙ୍କୁ ସ୍ଥାନ ସଂରକ୍ଷଣ ନେଇ ସ୍ଥାନୀୟ ବ୍ୟବସ୍ଥାପକ ମାନେ ଚଢା ଦର ନେଉଥିବାରୁ ବ୍ୟବସାୟୀମାନେ ତାର ଚାରିଗୁଣ ଲାଭ ମେଳାରେ ଯାତ୍ରୀଙ୍କ ଠାରୁ ନିଜ ଜିନିଷର ଦର ବୃଦ୍ଧି ବାବଦରେ ଭିଡି ନେଉଛନ୍ତି। ଏହାବ୍ୟତୀତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବ୍ୟବସାୟୀଙ୍କ ପ୍ରତି ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ସଚେତନ ଥିବା କଥା କୁହାଯାଉଥିବାବେଳେ ଏହା ଧର୍ମକୁ ଆଖିଠାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। କେତେକ ମଣ୍ଡପ ନିକଟରେ ବାସି ଓ ଅସ୍ୱାସ୍ଥ୍ୟକର ଜିନିଷ ବିକ୍ରି ହେଉଥିବାର ଅଭିଯୋଗ ହୋଇଛି। ଅପେରା ପାର୍ଟି ଆଣିଥିବା ବ୍ୟବସ୍ଥାପକ ମାନେ ସିଟ୍ ସଂଖ୍ୟା ଅନୁସାରେ ବହୁ ଅଧିକ ଟିକେଟ୍ କାଟିବା ଫଳରେ ଯାତ୍ରା ଦର୍ଶକମାନେ ବାଧ୍ୟହୋଇ ଛିଡା ହୋଇ ଅଭିନୟ ଦେଖୁଛନ୍ତି। ଫଳରେ ବହୁସଂଖ୍ୟକ ଦର୍ଶକ ଅସନ୍ତୋଷ ଅଭିଯୋଗ ବ୍ୟକ୍ତ କରିଛନ୍ତି। ସ୍ଥାନୀୟ ବ୍ୟବସ୍ଥାପକ ମାନଙ୍କ ପ୍ରତି ପ୍ରଶାସନର କୌଣସି ଲଗାମ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ବଡବାବୁମାନଙ୍କୁ ପାସ୍ ଦେଇ ସେମାନଙ୍କ ମୁହଁ ଚୁପ୍ କରାଇଦେଇଥିବାର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ସୋର ବଉଳଗଡିଆରୁ ଆସିଥିବା ପଥର ବିକାଳୀ ଦୀନବନ୍ଧୁ ମହାନ୍ତି (୭୩) କୁହନ୍ତି ସେ ବାପ ଗୋଷବାପ ଅମଳରୁ ୪୦ ବର୍ଷରୁ ଉର୍ଦ୍ଧ୍ୱ ଧରି ପାରମ୍ପରିକ ଭାବେ ଏଠାକୁ ପଥର ବେପାର କରିବାକୁ ଆସିଥାନ୍ତି। ତେବେ ଏଥର ବେପାର ବହୁତ ମାନ୍ଦା ଅଛି। ତାଙ୍କ କହିବା ଅନୁଯାୟୀ ସରକାରୀ ରେଳବାଇ ଜାଗାରେ ବସି ବେପାର କରିଥାନ୍ତି। ସେତେବେଳେ ଜାଗାର ଫୁଟ ୧୦ ଟଙ୍କା ଦେଇଥିବାବେଳେ ଆଜି ଫୁଟ ହଜାର ଟଙ୍କାରେ ପହଂଚିଛି। ଯାହାକି ଆମକୁ ବହୁତ ବାଧିଛି। ସେହି ଅନୁସାରେ ଆମ ଜିନିଷର ଦରଦାମ ବୃଦ୍ଧି କରିବାକୁ ବାଧ୍ୟ ହେଉଛୁ। ଅତ୍ୟଧିକ ଦରଦାମ ହେତୁ ଗ୍ରାହକମାନେ ଦୋକାନକୁ ଆସି ଫେରିଯାଉଛନ୍ତି।
Home ଜିଲ୍ଲା ପରିକ୍ରମା ଭଦ୍ରକର ଐତିହାସିକ କାଳୀପୂଜା, ସାମଗ୍ରୀର ଦରଦାମ୍ ବୃଦ୍ଧି, ଅପେରା ପାର୍ଟିର ଶୋଷଣକୁ ନେଇ ଯାତ୍ରୀ ଅସନ୍ତୋଷ








