Home ଜିଲ୍ଲା ପରିକ୍ରମା ଭଦ୍ରକରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଭଦ୍ରକରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

30

ଭଦ୍ରକ, ୩୧ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷର ୮୦ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆ ଠାରେ ମହା ସମାରୋହର ସହିତ ପାଳନ କରାଯିବ । ଏହି ଜାତୀୟ ଉତ୍ସବଟିକୁ କିଭଳି ସରସ ସୁନ୍ଦର ଭାବେ ପାଳନ କରାଯିବ ସେଥି ନିମନ୍ତେ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଦିନ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଭେନ୍ଦ୍ର ସାମଲ , ଡି ଆଇ ବି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ ଉପସ୍ଥିତ ରହିଥିଲେ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଜାତୀୟ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଆଶାପ୍ରକଟ କରିଥିଲେ ।ଏହି ଜାତୀୟ ଦିବସ ପାଳନ ଉପଲକ୍ଷେ ଅଗଷ୍ଟ ୬ତାରିଖରେ ବକ୍ତୃତା (ଓଡ଼ିଆ ଓ ଇଂରାଜୀ) , ଅଗଷ୍ଟ ୭ ତାରିଖରେ ଲିଖିତ ସାଧାରଣ ଜ୍ଞାନ ଓ ଦେଶାତ୍ମକବୋଧ ସଙ୍ଗୀତ ଏବଂ ଅଗଷ୍ଟ ୧୦ ତାରିଖରେ ଚିତ୍ରାଙ୍କନ ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହେବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସ୍ୱାଧୀନତା ଦିବସ ଦିନ ସକାଳ ଘ. ୭.୩୦ମି. ସମୟରେ ଜାତୀୟ ପତାକା ଉତୋଳନ କରାଯିବ । ପୂର୍ବାହ୍ନ ଘ.୯.୧୫ମି. ସମୟରେ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ ଓ ସମ୍ମିଳିତ ପ୍ୟାରେଡ୍ ର ଅଭିବାଦନ ଗ୍ରହଣ କରିବେ । ଅଗଷ୍ଟ ୧୫ ତାରିଖ ଦିନ ରକ୍ତଦାନ ଓ ରକ୍ତ ବର୍ଗୀକରଣ ଶିବିର ,ଚିତ୍ରକଳା ପ୍ରଦର୍ଶନୀ ,ସ୍ୱାଧୀନତା ସଂଗ୍ରାମୀ,ବିଶିଷ୍ଟ ବ୍ୟକ୍ତି ଓ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ୟାରେଡ୍ ଅଭ୍ୟାସ ଅଗଷ୍ଟ ୧୨ ଓ ୧୩ ତାରିଖ ରେ ହେବ । ସନ୍ଧ୍ୟା ସମୟରେ ଟାଉନ ହଲ ଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ ନୃତ୍‌ଯ କାର୍ଯ୍ୟକ୍ରମ ଓ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ ପ୍ରଦାନ କରାଯିବ । ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ପୂର୍ବ ବର୍ଷର ସୂଚନା ବିବରଣୀ ପ୍ରଦାନ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷାନୁଷ୍ଠାନର ମୁଖ୍ୟ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା, ବିଭାଗୀୟ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.