Home ଜିଲ୍ଲା ପରିକ୍ରମା ଭଦ୍ରକରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପାଳିଲା ବିଜୟ ଉତ୍ସବ

ଭଦ୍ରକରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପାଳିଲା ବିଜୟ ଉତ୍ସବ

58

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଆଜି କେନ୍ଦ୍ରର ମୋଦି ସରକାର କୃଷକ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ୩ କଳା କୃଷି ଆଇନ୍‌କୁ ପ୍ରତ୍ୟାହାର କରିନେଇଥିବାରୁ ଭଦ୍ରକରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଯାଇଛି। ଏଠାରେ ସୂଚନାଯୋଗ୍ୟ ସମଗ୍ର ଦେଶର କୃଷକ ଓ କୃଷିକ୍ଷେତ୍ରକୁ ଆଦାନୀ, ଅମ୍ବାନୀ ଓ କର୍ପୋରେଟ୍ କଂପାନୀ ହାତକୁ ଟେକିଦେବା ଉଦ୍ଦେଶ୍ୟରେ ତିନିଗୋଟି କୃଷି ଆଇନ୍ ଗତ ୨୦୨୦ ନଭେମ୍ବର ମାସରେ ସଂସଦରେ ପାରିତ ହୋଇଥିଲା। ଏବଂ ଉକ୍ତ ବିଲ୍‌କୁ ମାନ୍ୟବର ରାଷ୍ଟ୍ରପତି ଅନୁମୋଦନ କରିଥିଲେ। ଏହି କଳା କୃଷି ଆଇନ୍ ୩ ଟିକୁ ପ୍ରତ୍ୟାହାର କରିବା ଦାବି କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଦିଲ୍ଲୀଠାରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନର ଏକବର୍ଷ ପୂର୍ତ୍ତି ମଧ୍ୟରେ ୮ ଶହ କୃଷକ ସହୀଦ ହୋଇଛନ୍ତି। ବହୁ କୃଷକ ନେତା ଗିରଫ ହୋଇଛନ୍ତି। ଅନୁରୂପ ଭାବେ ଆମ ଓଡ଼ିଶା ରାଜ୍ୟ ଓ ଆମ ଜିଲା ଭଦ୍ରକରେ ଭାରତ ବନ୍ଦ, ଓଡ଼ିଶା ବନ୍ଦ ପାଳିତ ହୋଇଯାଇଛି। ସାରା ରାଜ୍ୟରେ କୃଷକମାନଙ୍କର ମିଳିତ ସଭା ଓ ପଟୁଆରା ତଥା ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଯାଇଛି। ଆଜି ସାରାଦେଶରେ ଏହି କଳା କୃଷି ଆଇନ୍ ବିରୋଧରେ ଦିଆଯାଇଥିବା କୃଷକ ଆନ୍ଦୋଳନ ଆଗରେ କେନ୍ଦ୍ରରେ ବିଜେପି ପରିଚାଳିତ ମୋଦି ସରକାର ମୁଣ୍ଡ ନୁଆଇଁଛନ୍ତି। ଏବଂ ୩ଟି କଳା କୃଷି ଆଇନ୍ ପ୍ରତ୍ୟାହାର କରିଥିବାରୁ ସଂଯୁକ୍ତ କୃଷକ କିଷାନ ମୋର୍ଚ୍ଚା ତରଫରୁ ଭଦ୍ରକରେ ଏକ ବିଜୟ ଉତ୍ସବ ପାଳିତ ହୋଇଯାଇଛି। ଏହି ସଭା କୃଷକ ନେତା ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ବିଜୟ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟସିଂହ ନାୟକ, ନିରଂଜନ ପାଣୀ, ରାଧା ଦାସ, କାଳନ୍ଦୀ ପାତ୍ର, ପ୍ରହ୍ଲାଦ ପତି, ଗିରିଧାରୀ ନାଥ, ବିନୋଦ ସାହୁ, ସେକ୍ କମର, ସେକ୍ କାଲୁ, ସତ୍ୟମୂର୍ତ୍ତି ବେହେରା, ପ୍ରଭାସ ମହାପାତ୍ର, ରମେଶ ସାହୁ, ମହେଶ୍ୱର ନାୟକ, ମଣ୍ଟୁ ମୁଣ୍ଡା, ଜଇନୁଲ ଆବେଦିନ, ବିପ୍ଳବ ଜେନା, ଅଭିନ୍ନ ରାୟ ପ୍ରମୁଖ ସାମିଲ ହୋଇ ଆଗାମୀ ଦିନରେ ସଂସଦରେ ବିଲ୍ ଆଣିବା ମଧ୍ୟଦେଇ ବିଲ୍‌କୁ ବାତିଲା କରିବା ସହ କୃଷିଜାତ ସାମଗ୍ରୀର ସହାୟକ ମୂଲ୍ୟ ପାଇଁ ଆଇନ୍ କରିବା ଓ ବିଦ୍ୟୁତ୍ ବିଲ୍ ୨୦୨୦ କୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.