Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶ୍ୱ ରେଡକ୍ରସ ଦିବସ ପାଳିତ, “ୟୁନାଇଟେଡ୍‌୍ ଇନ୍ ହ୍ୟୁମାନିଟି” ଥିମ୍‌ରେ ରକ୍ତଦାନ ଶିବିର ଓ...

ଭଦ୍ରକରେ ବିଶ୍ୱ ରେଡକ୍ରସ ଦିବସ ପାଳିତ, “ୟୁନାଇଟେଡ୍‌୍ ଇନ୍ ହ୍ୟୁମାନିଟି” ଥିମ୍‌ରେ ରକ୍ତଦାନ ଶିବିର ଓ ସମ୍ମାନ ପ୍ରଦାନ

18

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱ ରେଡକ୍ରସ ଦିବସ ଅବସରରେ ଭଦ୍ରକ ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ଆଜି ଭଦ୍ରକ କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରେଡକ୍ରସର ସ୍ଥାପକ ଜିନ୍ ହେନ୍ରୀ ଡୁନଂଟଙ୍କ ଜନ୍ମଦିନ ଅବସରରେ “ୟୁନାଇଟେଡ୍ ଇନ୍ ହ୍ୟୁମାନିଟି” ଥିମ୍‌କୁ ନେଇ ଏହି କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ସକାଳ ୯ଟାରେ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ଶାଖାର ଅଧ୍ୟକ୍ଷ ଦିଲୀପ ରାଉତରାଏଙ୍କ ଦ୍ୱାରା ପତାକା ଉତୋଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଏହାସହ କଲେକ୍ଟରେଟ୍ ପରିସରରେ ରକ୍ତଦାନ ଶିବିରର ଉଦ୍ଘାଟନ ହୋଇଥିଲା। ସକାଳ ୧୧ଟାରେ ବିଶ୍ୱ ଶାନ୍ତି ଓ ମାନବତାର କାମନାରେ ଉପସ୍ଥିତ ସମସ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ଜିଲ୍ଲା ରେଡକ୍ରସ ଶାଖାର ସଚିବ ଡେପୁଟୀ କଲେକ୍ଟର (ଜରୁରୀକାଳୀନ) ଲୋକନାଥ ପ୍ରସାଦ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ୨୦୨୫-୨୬ ବର୍ଷର କାର୍ଯ୍ୟକଳାପ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ ସଦସ୍ୟମାନେ ରେଡକ୍ରସର ମାନବସେବା, ରକ୍ତଦାନ ଓ ସାମାଜିକ କାର୍ଯ୍ୟକଳାପ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଜିଲ୍ଲାପାଳ ତାଙ୍କ ଉଦ୍ୱୋଧନରେ ରେଡକ୍ରସ ସେବାକୁ ମାନବତାର ସର୍ବୋଚ୍ଚ ପରିଚୟ ବୋଲି କହିବା ସହ ସମସ୍ତଙ୍କୁ ସ୍ୱେଚ୍ଛା ରକ୍ତଦାନ ଓ ସାମାଜିକ ସେବାରେ ସାମିଲ ହେବାକୁ ଆହ୍ୱାନ କରିଥିଲେ। ଏହି ଶୁଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ୍ ଶାଖାର ଉପାଧ୍ୟକ୍ଷ ରବି ନାରାୟଣ ସାହୁ, ଡେପୁଟି କଲେକ୍ଟର ଲୋକନାଥ ପ୍ରସାଦ ସେଠୀ, ରେଡକ୍ରସ୍‌ର ଯୁଗ୍ମ ସମ୍ପାଦିକା ଶ୍ରୀମତୀ ବିଶ୍ୱଜିତା ବିଶ୍ୱାଳ, ଲାଇଫ୍ ମେମ୍ବର ଅତିସ ବେହେରା, ମନୋରଞ୍ଜନ ଦାସ, ଶରତ ଆଚାର୍ଯ୍ୟ, ବସନ୍ତ ଦାସ, ରଞ୍ଜୁଲତା ଗାହାଣ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉପ-ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ସଦର ମହକୁମାରେ ଏକ ସ୍ୱତନ୍ତ୍ର ରେଡ୍‌କ୍ରସ୍ ଭବନ ସ୍ଥାପନା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ପରେ ରେଡକ୍ରସ କାର୍ଯ୍ୟକ୍ରମରେ ସହଯୋଗ ଓ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ, ରକ୍ତଦାତା ଓ ସଂଗଠନକୁ ପ୍ରଶଂସାପତ୍ର ଓ ସ୍ମାରକ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.