Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶ୍ୱ ମତ୍ସ୍ୟ ଚାଷ ଦିବସ ପାଳିତ

ଭଦ୍ରକରେ ବିଶ୍ୱ ମତ୍ସ୍ୟ ଚାଷ ଦିବସ ପାଳିତ

18

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ମତ୍ସ୍ୟ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ବିଶ୍ୱ ମତ୍ସ୍ୟଚାଷ ଦିବସ ପାଳିତ ହୋଇଯାଇଛି। ଜିଲା ମତ୍ସ୍ୟ ଅଧିକାରୀ ମାନସ ରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରର ପ୍ରମୁଖ ତଥା ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ, ମତ୍ସ୍ୟ ବୈଜ୍ଞାନିକ ଡ. ବିଶ୍ୱରଂଜନ ସାମନ୍ତରାୟ, ଜିଲା ମୁଖ୍ୟ କୃଷି ଅଧିକାରୀ ଅରୁଣ କୁମାର ଛୋଟରାୟ, କୃଷି ବିଭାଗର ଅତିରିକ୍ତ କୃଷି ଅଧିକାରୀ ଶ୍ରୀଧର କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ ଏହି ସଭାରେ ମତ୍ସ୍ୟ ଅଧିକାରୀ ଶ୍ରୀ ସାହୁ କହିଥିଲେ ଯେ ୨୦୧୭-୧୮ ଆର୍ଥିକ ବର୍ଷରୁ ମତ୍ସ୍ୟଚାଷର ବିକାଶ ସହ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସିଛନ୍ତି। ଏଥିସକାଶେ ରାଜ୍ୟ ସରକାର ନିଜ ବ୍ୟୟରେ ‘ମତ୍ସ୍ୟଚାଷ ପାଇଁ ନୂଆପୋଖରୀ ଯୋଜନା’ (ମତ୍ସ୍ୟପୋଖରୀ ଯୋଜନା) କାର୍ଯ୍ୟକାରୀ ହୋଇଆସିଛି। ଏହି ଯୋଜନାରେ ବାର୍ଷିକ ୧୦୫୯ ହେକ୍ଟର ନୂତନ ପୋଖରୀ ସୃଷ୍ଟି କରି ମାଛ ଚାଷ କରିବା ଓ ୨ ଶହ ହେକ୍ଟର ପୋଖରୀରେ ଆଙ୍ଗୁଳିକା ଯାଆଁଳ ଉତ୍ପାଦନ କରିବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଏଥିପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ୪୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଯୋଜନାରେ ବାର୍ଷିକ ଅତିରିକ୍ତ ୪୧୫୦ ମେଟ୍ରିକ୍ ଟନ୍ ମଧୁର ଜଳମାଛ ଏବଂ ୫୦୦ ମେଟ୍ରିକ୍ ଟନ୍ ଆଙ୍ଗୁଳିକ ଯାଆଁଳ ଉତ୍ପାଦନ କରାଯିବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି।

ସେହିପରି ଓଡ଼ିଶାର ଜନସଂଖ୍ୟା ୫୦ ପ୍ରତିଶତ ମହିଳା ଥିବାରୁ ଗ୍ରାମାଞ୍ଚଳରେ ବାସ କରୁଥିବା ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ରାଜ୍ୟ ମତ୍ସ୍ୟ ବିଭାଗ ଗ୍ରାମପଞ୍ଚାୟତ ପୋଖରୀରେ ମଧୁର ଜଳ ମାଛଚାଷ ନିମନ୍ତେ ଏକ ନୂତନ ଯୋଜନା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ / ଦଳ ଦ୍ୱାରା ଗ୍ରାମପଞ୍ଚାୟତ ପୋଖରୀରେ ମାଛଚାଷ ପାଇଁ ଚଳନ ପୁଂଜି ସହାୟତା ୨୦୧୮-୧୯ ଆର୍ଥିକ ବର୍ଷରୁ ଆରମ୍ଭ କରିଛନ୍ତି ବୋଲି ମତ୍ସ୍ୟ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଥିଲେ। ସେହିପରି କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବିଜ୍ଞାନୀ ଡ. ସାମନ୍ତରାୟ ମାଛଚାଷର ବୈଷୟିକ ପଦ୍ଧତି ସଂପର୍କରେ ଆଲୋକପାତ କରିଥିଲେ। ମତ୍ସ୍ୟ ବଭାଗ ତରଫରୁ ସରକାରଙ୍କ ଅନୁମୋଦିତ ଯୋଜନାଗୁଡିକ ସଂପର୍କରେ ମତ୍ସ୍ୟଚାଷୀଙ୍କୁ ଅବଗତ କରାଯାଇଥିଲା। ଅନୁଷ୍ଠିତ ଏହି ସଭାରେ ଜିଲାର ବିଭିନ୍ନ ବ୍ଲକ୍‌ରୁ ୫୦ ଜଣ ମତ୍ସ୍ୟଚାଷୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ ବ୍ଲକ୍‌ର ୧୦ ଜଣ ଅଗ୍ରଣୀ ମତ୍ସ୍ୟଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅଗ୍ରଣୀ ମତ୍ସ୍ୟଚାଷୀମାନେ ଜିଲାରେ କାର୍ଯ୍ୟକାରୀ ହେଉଥିବା ମତ୍ସ୍ୟ ପୋଖରୀ ଯୋଜନା, ବାୟୋ ଫ୍ଲକ୍ ପଦ୍ଧତିରେ ମାଛଚାଷ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା, ନେଟ୍‌ୱାର୍କ ଅଫ୍ ଫିସ୍ ସିଡ୍ ଗ୍ଲୋୟର ଇତ୍ୟାଦି ବିଭିନ୍ନ ଯୋଜନା ମାଧ୍ୟମରେ ମାଛଚାଷ କରି ଜିଲାରେ ବହୁ ଚାଷୀ ସୁନାମ ଅର୍ଜନ କରିଛନ୍ତି। ପୁରସ୍କୃତ ହୋଇଥିବା ମସ୍ୟଚାଷୀମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକ୍‌ର ଗୋପବନ୍ଧୁ ବେହେରା, ଭଣ୍ଡାରିପୋଖରୀର ଇତିଶ୍ରୀ ଦାସ ଓ ଟି.ଏସ. ମାହେଶ୍ୱରୀ, ତିହିଡିର ସ୍ୱାତୀ ପଣ୍ଡା, ବ୍ରଜକିଶୋର ବେହେରା ଓ କାଶୀନାଥ ବେହେରା, ଧାମନଗରର ବିଶ୍ୱରଂଜନ ଘଡାଇ, ଭଦ୍ରକର ବିଜୟିନୀ ପଣ୍ଡା ଓ ଅଲେଖ ପାଳ ଏବଂ ବନ୍ତ ବ୍ଲକ୍‌ର ଅନୁପମା ପାତ୍ର ଅନ୍ତର୍ଭୁକ୍ତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.