Home ଜିଲ୍ଲା ପରିକ୍ରମା କୃଷି ବିଭାଗ ପକ୍ଷରୁ ରୋଗପୋକ ନିୟନ୍ତ୍ରଣ ପାଇଁ କ୍ଷେତ୍ରୀୟ ପରିଦର୍ଶନ କଲେ ଅନୁଧ୍ୟାନକାରୀ ଦଳ

କୃଷି ବିଭାଗ ପକ୍ଷରୁ ରୋଗପୋକ ନିୟନ୍ତ୍ରଣ ପାଇଁ କ୍ଷେତ୍ରୀୟ ପରିଦର୍ଶନ କଲେ ଅନୁଧ୍ୟାନକାରୀ ଦଳ

31

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅମଳ ହେବାକୁ ଥିବା ଚାଷରେ ରୋଗ ପୋକ ଉପଦ୍ରବ ସମସ୍ୟାର ସମାଧାନ ସକାଶେ ଜିଲା କୃଷି ବିଭାଗ ପକ୍ଷରୁ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକମାନଙ୍କୁ ନେଇ ଆଜି ସ୍ଥିତି ଅନୁଧ୍ୟାନ କରାଯାଇଛି। କୃଷି ବିଭାଗର ମୁଖ୍ୟ ଜିଲା କୃଷି ଅଧିକାରୀ ଅରୁଣ ଛୋଟରାୟଙ୍କ ସହ କେବିକେର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ, ଭଣ୍ଡାରିପୋଖରୀ ବ୍ଲକ୍‌ର ସହକାରୀ କୃଷି ଅଧିକାରୀ ଦେବାଶିଷ ତ୍ରିପାଠୀଙ୍କ ସହ ଭିଏଡବ୍ଲ୍ୟୁ ଓ କୃଷକ ସାଥୀମାନେ ସହାୟତା ପ୍ରଦାନ କରିଥିଲେ। ଏହି ଅନୁଧ୍ୟାନକାରୀ ଦଳ ଆଜି ଭଣ୍ଡାରିପୋଖରୀ ବ୍ଲକ୍‌ର ମୋବାରକପୁର, କମାରପୁର, ଫତେପୁର, ଦକ୍ଷିଣବାଡ ଆଦି କେତେକ ଅଂଚଳର ଚାଷଜମି ବୁଲି ଧାନଗଛରେ ଲାଗିଥିବା ରୋଗ ପୋକର ଅନୁଧ୍ୟାନ କରିଥିଲେ। କେତେକ ଫସଲରେ ଚକଡା ପୋକ, କାଣ୍ଡବିନ୍ଧା, ସଢା ରୋଗପୋକ ଲାଗିଥିବାର ଦେଖାଦେଇଥିଲା। ତେବେ ରୋଗ ପୋକ ନିୟନ୍ତ୍ରରେ ଥିବା କଥା କହିଛନ୍ତି ମୁଖ୍ୟ ଜିଲା କୃଷି ଅଧିକାରୀ ଶ୍ରୀ ଛୋଟରାୟ। ପରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବୈଜ୍ଞାନିକମାନେ ରୋଗପୋକର ନିୟନ୍ତ୍ରଣ ସକାଶେ ବିଭିନ୍ନ ପରାମର୍ଶ ଦେଇଥିଲେ। ଗୁଣ୍ଡି ପୋକର ନିୟନ୍ତ୍ରଣ ପାଇଁ ଫ୍ଲୋମିକା ମାଇଡ୍ ୫୦ ପ୍ରତିଶତ ଏକର ପ୍ରତି ୬୦ ଗ୍ରାମ, ପତ୍ରସିଝା ପାଇଁ ମେଟ୍ରୋଜିନ୍ ଏକର ପ୍ରତି ୧୨୦ ଗ୍ରାମ, ସଢାରୋଗ ନିୟନ୍ତ୍ରଣ ପାଇଁ ହେକ୍ସା କୋନାଜଲ୍ ୫ ପ୍ରତିଶତ ଏକର ପ୍ରତି ୪୦୦ ମିଲି, ପତ୍ର ସିଂଚନ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏତଦ୍‌ବ୍ୟତୀତ ମାଟିଆଗୁଣ୍ଡି ଲାଗିଥିବା ଜମିରେ ଜଳ ନିଷ୍କାସନ କରିବା ସହ ପ୍ରତ୍ୟେକ ୩ ମିଟରରେ ପାହି ଭାଙ୍ଗିବା ପାଇଁ ପରାମର୍ଶ ଦେଇଥିଲେ। ଫୁଲ ଝଡୁଥିବା ଅବସ୍ଥାରେ ପାହି ଭାଙ୍ଗିଲେ ଧାନ ଅଗାଡି ହେବାର ସମ୍ଭାବନା ଥିବାରୁ ସେହି ସମୟରେ ପାହି ନଭାଙ୍ଗିବା ପାଇଁ ଓ ଜମି ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ଅନୁଧ୍ୟାନକାରୀ ଦଳଙ୍କର ପରିଦର୍ଶନ ସମୟରେ ମୋବାରକପୁରର କେତେକ ଚାଷୀ ପ୍ରାଇଭେଟ୍ କଂପାନୀର ଧାନ ବିହନ ଆଣି ୧୬୦ ଦିନିଆ ଧାନ ଚାଷ କରିଥିଲେ। ତେବେ ଆଜିଯାଏଁ ସେଥିରୁ ଥୋଡ ବାହାରୁନଥିବାରୁ ଚାଷୀମାନେ ଉଦବେଗ ପ୍ରକାଶ କରିଥିଲେ। ଥଣ୍ଡା ସହନ ଶକ୍ତି ନଥିବାରୁ ଥୋଡ ବାହାରିବାରେ ବିଳମ୍ବ ଘଟୁଥିବା ନେଇ ବୈଜ୍ଞାନିକ ମାନେ ମତ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.