Home ଜିଲ୍ଲା ପରିକ୍ରମା ଭଦ୍ରକରେ ଅଶିତଙ୍କୁ ଭବ୍ୟ ସ୍ୱାଗତ,ବିରାଟ ବାଇକ୍ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ, ଯୁବନେତା ବୁଲୁ ପଟ୍ଟନାୟକଙ୍କୁ ନେଇ...

ଭଦ୍ରକରେ ଅଶିତଙ୍କୁ ଭବ୍ୟ ସ୍ୱାଗତ,ବିରାଟ ବାଇକ୍ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ, ଯୁବନେତା ବୁଲୁ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା

5

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ରାଜନୀତିରେ ଏବେ ନୂଆ ସମୀକରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ନୂଆ ନେତୃତ୍ୱ ଓ ନୂଆ ମୁହଁକୁ ନେଇ ରାଜନୈତିକ ମହଲରେ ଆଲୋଚନା ଚାଲିଥିବା ବେଳେ କଂଗ୍ରେସର ରାଜ୍ୟ ଉପସଭାପତି ପଦ ପାଇଥିବା ଅଶିତ କୁମାର ପଟ୍ଟନାୟକଙ୍କ ଭଦ୍ରକ ଗସ୍ତ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅଶିତ କୁମାର ପଟ୍ଟନାୟକ ଆଜି ଭଦ୍ରକରେ ପହଂଚିବା ପରେ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସର୍କିଟ ହାଉସରେ ପହଂଚିବା ପରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ଫୁଲତୋଡ଼ା ପ୍ରଦାନ କରିବା ସହ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ସର୍କିଟ ହାଉସରୁ ଅଶିତ ପଟ୍ଟନାୟକଙ୍କୁ ନେଇ ଏକ ବିରାଟ ବାଇକ୍ ଶୋଭାଯାତ୍ରା ବାହାରିଥିଲା। ଶତାଧିକ କଂଗ୍ରେସ କର୍ମୀ ଓ ସମର୍ଥକ ବାଇକ୍ ନେଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ କର୍ମୀମାନଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ଶୋଭାଯାତ୍ରା କଚେରୀ ଅଂଚଳ ଦେଇ ପୁରୁଣାବଜାର ଥାନା, ପୁରୁଣାବଜାର ଛକ, ନାଗମାଳା ସମେତ ଭଦ୍ରକ ସହରର ବିଭିନ୍ନ ଅଂଚଳ ପରିକ୍ରମା କରିଥିଲା। ରାସ୍ତାର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ଓ ସମର୍ଥକମାନେ ଅଶିତ ପଟ୍ଟନାୟକଙ୍କୁ ଫୁଲତୋଡ଼ା ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ କର୍ମୀଙ୍କ ଉପସ୍ଥିତି ଦଳୀୟ କର୍ମୀଙ୍କ ମଧ୍ୟରେ ଥିବା ଉତ୍ସାହକୁ ପ୍ରତିଫଳିତ କରିଥିଲା। ନୂଆ ଦାୟିତ୍ୱ ପାଇବା ପରେ ଅଶିତ ପଟ୍ଟନାୟକଙ୍କ ଏହି ଭଦ୍ରକ ଗସ୍ତକୁ କଂଗ୍ରେସ କର୍ମୀମାନେ ଗୁରୁତ୍ୱ ଦେଇଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ଭଦ୍ରକ ରାଜନୀତିରେ ଯୁବ ନେତୃତ୍ୱକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ବିଶେଷକରି ଯୁବନେତା ବୁଲୁ ପଟ୍ଟନାୟକଙ୍କୁ ନେଇ ତାଙ୍କ ସମର୍ଥକ ମହଲରେ ଉତ୍ସାହ ଦେଖାଯାଉଥିବା କୁହାଯାଉଛି। ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ପରେ ୨୦୨୯ ସାଧାରଣ ନିର୍ବାଚନକୁ ନେଇ ଭଦ୍ରକରେ ରାଜନୈତିକ ଚର୍ଚ୍ଚା ଆହୁରି ତୀବ୍ର ହେବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି। ଭଦ୍ରକ ରାଜନୀତିରେ ନୂଆ ଓ ପୁରୁଣା ନେତୃତ୍ୱକୁ ନେଇ ଭୋଟରଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ଦାବି କରାଯାଉଛି। କେତେକ ମହଲରେ ନୂଆ ମୁହଁ ଓ ନୂତନ ନେତୃତ୍ୱର ଆବଶ୍ୟକତା ନେଇ ମତ ରହିଥିବା ବେଳେ ଆଗାମୀ ନିର୍ବାଚନରେ ଏହାର ପ୍ରଭାବ କେତେ ଦୂର ପଡ଼ିବ, ତାହା ସମୟ କହିବ। ଏହି ସମସ୍ତ ଚର୍ଚ୍ଚା ମଧ୍ୟରେ ଅଶିତ କୁମାର ପଟ୍ଟନାୟକଙ୍କ ଭବ୍ୟ ସ୍ୱାଗତ, ଶତାଧିକ କର୍ମୀଙ୍କ ଉପସ୍ଥିତି ଓ ବିରାଟ ବାଇକ୍ ଶୋଭାଯାତ୍ରା ଭଦ୍ରକ କଂଗ୍ରେସରେ ନୂଆ ଉତ୍ସାହ ସୃଷ୍ଟି କରିଛି। ଶୋଭାଯାତ୍ରା ପରେ ଅଶିତ ପଟ୍ଟନାୟକ ନିଜ ବାସଭବନରେ ପହଂଚିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.