ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଭଣ୍ଡାରିପୋଖରୀ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ବ୍ଲକ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଦତ ଦାଶଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷାବିତ ଭରତ ଚନ୍ଦ୍ର କରଣ ମଂଚ ଆହ୍ୱାନ କରିଥିଲେ। ମଞ୍ଜୁରୀରୋଡ ବରିଷ୍ଠ ନାଗରିକ ମଂଚର ସଭାପତି ପୂର୍ଣଚନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାରିକପୁର ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ ସଭାପତି ପୁରୁଷୋତମ ଧଳ ସ୍ୱାଗତ ଭାଷଣ ଦେଇଥିଲେ । ବ୍ଲକ ଅଧକ୍ଷା ସୁମତି ସେଠି, ଉପାଧ୍ୟାକ୍ଷ ପ୍ରଣୀତ କାନ୍ତି ସାମଲ, ସ୍ୱାସ୍ଥ୍ୟ ଅଧିକାରୀ ଡା.ରାଜେଶ କୁମାର ବେହେରା, ସହ ଥାନାଧିକାରିଣୀ ଦେବକିରାଣୀ ରାଉତ, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ଆଇନ ପରାମର୍ଶଦାତା ହରେକୃଷ୍ଣ ନାୟକ ଅତିଥିଭାବେ ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କର ସୁସ୍ଥ ଓ ନିରୋଗ ଜୀବନ କାମନା କରିଥିଲେ। ଏହି ଅବସରରେ ଆୟୋଜିତ ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ଦିଆ ଯାଇଥିଲା। ବ୍ଲକର ଛଅ ଜଣ ବୟୋଜ୍ୟୋଷ୍ଠ ନାଗରିକ ହରିଶ୍ଚନ୍ଦ୍ର ଜେନା, ପୁରୁଷୋତମ ଧଳ, ମୁରଲୀଧର ଦାସ, ଘନଶ୍ୟାମ ସ୍ୱାଇଁ, ଶ୍ରୀପତି ଜେନା ଓ ଉମାକାନ୍ତ ଜେନାଙ୍କୁ ” ବରିଷ୍ଠ ନାଗରିକ ସମ୍ମାନ ‘ ପ୍ରଦାନ କରାଯାଇ ଥିଲା। ଯୋଗ ଓ ବ୍ୟାୟାମ, ଏକ ପେଡ ମା’କେ ନାମ, ବ୍ଲକ ହତା ସଫେଇ ଆଦି କାର୍ଯ୍ୟକ୍ରମ ବୟସ୍କ ନାଗରିକମାନେ କରଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସାନ୍ତ୍ୱନା ଦାସ ଧନ୍ୟବାଦ ଦେଇଥିଲେ।








