Home ଜିଲ୍ଲା ପରିକ୍ରମା ବୟାଙ୍ଗଡିହି ନାଏବ ସରପଞ୍ଚଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ

ବୟାଙ୍ଗଡିହି ନାଏବ ସରପଞ୍ଚଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ

7

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ବୟାଙ୍ଗଡିହି ସରପଞ୍ଚ ଭାବେ ସମସ୍ତ କାର୍ଯ୍ୟ ତୁଲାଇବା ଲାଗି ପଞ୍ଚାୟତର ନାଏବ ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଉପଜିଲାପାଳ ମନୋଜ ପାତ୍ର । ଭଦ୍ରକ ଜିଲା ଓ ଦୌରାଜଜ୍‌ଙ୍କ ରାୟ ଆଧାରରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତରେ ନୂଆ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ହେବା ଯାଏ ସେ ଏହି ଦାୟିତ୍ୱ ତୁଲାଇବାକୁ ଚିଠିରେ କୁହାଯାଇଛି । ଏଣୁ ଯଥାଶୀଘ୍ର ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ସରପଞ୍ଚ କୁନ୍ତଳା ମଲ୍ଲିକଙ୍କୁ କହିଛନ୍ତି । ଏ ସମସ୍ତ ପ୍ରକ୍ରିୟାକୁ ଯଥାଶୀଘ୍ର ସାରିବା ଲାଗି ଧାମନଗର ବିଡିଓ ବନବିହାରୀ ଦିନ୍ଦାଙ୍କୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ଲେଖିଛି । ଓଡ଼ିଆ ଲେଖିପଢି ଜାଣିନଥିବାରୁ ବୟାଙ୍ଗଡିଡିର ସରପଞ୍ଚ କୁନ୍ତଳା ମଲ୍ଲିକଙ୍କ୍‌ୁ ଧାମନଗର ଦେୱାନୀ ଅଦାଲତ ୨୦୨୩ ଅଗଷ୍ଟ ୩୧ ତାରିଖରେ ଅଯୋଗ୍ୟ ଘୋଷଣା କରିଥିଲେ । ଏହାସହ ପଞ୍ଚାୟତର ନାଏବ ସରପଞ୍ଚଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ଦେବାକୁ ପଦକ୍ଷେପ ନେବାଲାଗି ଭଦ୍ରକ ଉପଜିଲାପାଳ ଏନେଇ ଏକ ବିଜ୍ଞପ୍ତି ଜାରି କରି ପଞ୍ଚାୟତର ନାଏବ ସରପଞ୍ଚଙ୍କୁ କ୍ଷମତା ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ଧାମନଗର ବ୍ଲକ୍ ପ୍ରଶାସନ ପଦକ୍ଷେପ ନେଇଥିଲେ । ହେଲେ ସରପଞ୍ଚ କୁନ୍ତଳା ମଲ୍ଲିକ ଧାମନଗର କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଭଦ୍ରକ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଏହାର ଶୁଣାଣି କରି ୨୦୨୩ ସେପ୍ଟେମ୍ବର ୨୨ରେ ଧାମନଗର କୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେଇଥିଲେ । ଫଳରେ ଉପଜିଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଏହାସହ କୁନ୍ତଳା ପୁଣି ପୂର୍ବ ଭଳି ସରପଞ୍ଚ ଭାବେ କାର୍ଯ୍ୟ ସଂପାଦନ କଲେ । ତେବେ ଗତ ମାର୍ଚ୍ଚ ୧୩ ତାରିଖରେ ଭଦ୍ରକ ଜିଲା ଓ ଦୌରାଜଜ୍ ଏହାର ଶୁଣାଣି କରି ରହିତାଦେଶକୁ ହଟାଇଥିଲେ । ଏହାସହ ଧାମନଗର ଦେୱାନୀ ଅଦାଲତ ଦେଇଥିବା ରାୟକୁ କାଏମ ରଖିଥିଲେ । ଧାମନଗର କୋର୍ଟଙ୍କ ରାୟ ଅନୁସାରେ କୁନ୍ତଳାଙ୍କୁ ଅଯୋଗ୍ୟ ଘୋଷଣା କଲେ କୋର୍ଟ । ଏହାସହ ପଞ୍ଚାୟତରେ ସାନି ନିର୍ବାଚନ କରିବା ଲାଗି ନିର୍ଦ୍ଦେଶ ଦେଲେ । ତେବେ ସାନି ନିର୍ବାଚନ ହେବା ଯାଏ ନାଏବ ସରପଞ୍ଚ ପଞ୍ଚାୟତର ସରପଞ୍ଚ ଭାବେ ସମସ୍ତ ଦାୟିତ୍ୱ ତୁଲାଇବେ ବୋଲି କୋର୍ଟ ରାୟରେ ଉଲ୍ଲେଖ କରିଥିଲେ । ଏବେ ଉପଜିଲ୍ଲାପାଳ କୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ଲାଗି ଧାମନଗର ବିଡିଓ, ବୟାଙ୍ଗଡିହି ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ଚିଠି କରିଛନ୍ତି । ପ୍ରକାଶ ଥାଉକି ୨୦୨୨ ପଞ୍ଚାୟତ ନିର୍ବାଚନରେ ବୟାଙ୍ଗଡିହି ପଞ୍ଚାୟତରେ କୁନ୍ତଳା ମଲ୍ଲିକ ଓ ଭାରତୀ ବେହେରାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । କୁନ୍ତଳା ୨୨୮୧ ଖଣ୍ଡ ଭୋଟ୍ ପାଇଥିବାବେଳେ ଭାରତୀ ୧୯୧୨ ଖଣ୍ଡ ଭୋଟ ପାଇଥିଲେ । ଏଥିରେ କୁନ୍ତଳା ୩୬୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । ତେବେ କୁନ୍ତଳାଙ୍କ ନିର୍ବାଚନକୁ ନେଇ ପ୍ରତିଦ୍ୱନ୍ଦ୍ୱୀ ଭାରତୀ ମୂଳରୁ ଆପତ୍ତି ଉଠାଇ ଆସିଥିଲେ । ନାମାଙ୍କନ ଦାଖଲ ପରଠାରୁ କୁନ୍ତଳା ଜଣେ ଅଶିକ୍ଷିତ ମହିଳା ଓ ସେ ଓଡ଼ିଆ ଭାଷା ଲେଖିପଢି ଜାଣିନାହାଁନ୍ତି ବୋଲି ଭାରତୀ ଅଭିଯୋଗ କରି ଆସିଥିଲେ । ହେଲେ ରାଜନୈତିକ ପ୍ରଭାବ ଦୃଷ୍ଟିରୁ ତାଙ୍କ ନାମାଙ୍କନ ପତ୍ର ବଳବତ୍ତର ରହିଥିଲା । ସେ ନିର୍ବାଚନ ଲଢିଥିଲେ ଓ ବିଜୟୀ ହୋଇଥିଲେ । ନିର୍ବାଚନ ସରିବା ପରେ ବିରୋଧୀ ଭାରତୀ ବେହେରା ଏ ନେଇ ଧାମନଗର ଦେୱାନୀ ଅଦାଲତରେ ନିର୍ବାଚନୀ ମାମଲା କରିଥିଲେ । ଏପରିକି ନିଜର ଶିକ୍ଷାଗତ ଯୋଗ୍ୟତା ନେଇ କୁନ୍ତଳା ଭୁଲ୍ ସତ୍ୟପାଠ ଦାଖଲ କରିଛନ୍ତି ବୋଲି ଭାରତୀ ନିଜ ଆବେଦନର ଦର୍ଶାଇଥିଲେ । ସେପଟେ ଅଯୋଗ୍ୟ ଘୋଷଣା ହେବାରୁ ବର୍ତ୍ତିବା ଲାଗି କେନ୍ଦୁଝର ଜିଲା ଘସିପୁରାର ବନଦୁର୍ଗା ସଂସ୍କୃତ ଟୋଲରୁ ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ନେଇ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ପ୍ରତିପକ୍ଷ ଏ ସଂପର୍କରେ ଘସିପୁରା ବିଇଓଙ୍କ ଠାରୁ ତଥ୍ୟ ମାଗିବା ପରେ ଜଣାପଡିଥିଲା ଯେ ଘସିପୁରା ଅଂଚଳରେ ସେମିତି କୌଣସି ସଂସ୍କୃତ ଟୋଲ୍ ବା ଶିକ୍ଷାନୁଷ୍ଠାନ ନାହିଁ । ଏଭଳି ପ୍ରମାଣ ମିଳିବା ପରେ ଧାମନଗର କୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.