Home ଓଡ଼ିଶା ବୌଦ୍ଧରେ ବନ୍ଦ ହେବ ଦୁରଦର୍ଶନ କେନ୍ଦ୍ର ! କାଗଜପତ୍ରରେ ଚାଲୁଛି ପ୍ରସାରଣ

ବୌଦ୍ଧରେ ବନ୍ଦ ହେବ ଦୁରଦର୍ଶନ କେନ୍ଦ୍ର ! କାଗଜପତ୍ରରେ ଚାଲୁଛି ପ୍ରସାରଣ

153

ବୌଦ୍ଧ, ୨୯ା୮(ଓଡ଼ିଆ ପୁଅ/ସଜ୍ଜନ କୁମାର ଅଗ୍ରୱାଲ) କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ ପାଇଁ ଗୁରୁତ୍ୱାରୋପ କରୁଥିବାବେଳେ ଲୋକଙ୍କୁ ସମସ୍ତ ପ୍ରକାର ଆଧୁନିକ ଜ୍ଞାନ କୌଶଳର ସୁବିଧା ସୁଯୋଗ ଯୋଗାଇଦେବାକୁ ଘୋଷଣା କରିଛନ୍ତି। ସେଥିପାଇଁ ଯୋଜନା ପ୍ରସ୍ତୁତ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭିତିଭୂମି ସୃଷ୍ଟି କରାଯାଉଅଛି। ଅନ୍ୟପଟେ ବୌଦ୍ଧଜିଲ୍ଲା ସଦର ମହକୁମାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଦୂରଦର୍ଶନ ପ୍ରସାରଣ କେନ୍ଦ୍ରରୁ ପ୍ରସାରଣ ବନ୍ଦ ହୋଇସାରିଥିବାବେଳେ କେବଳ କାଗଜପତ୍ରରେ ଏହାକୁ ବିଭାଗୀୟ ଅଧିକାରୀମାନେ ଚାଲୁ ରଖିଥିବା ନେଇ ସୂଚନା ମିଳିଛି। ସ୍ଥାନାଭାବ ସମସ୍ୟା ଯୋଗୁଁ ଏହା ଉଠାଇନେବାକୁ ନିଷ୍ପତି ହୋଇସାରିଥିବା ଜଣାପଡିଛି। ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଦୁରଦର୍ଶନ ପ୍ରସାରଣ କେନ୍ଦ୍ରଟି ୧୯୯୮ ମସିହା ନଭେମ୍ବର ୨୭ ତାରିଖରେ କାର୍ଯ୍ୟକ୍ଷମ ହୋଇଥିଲା। ବୌଦ୍ଧ ରାଜପ୍ରାସାଦ ପରିସରରେ ଏକ ଭଡା ଜାଗାରେ ଏହି ପ୍ରସାରଣ କେନ୍ଦ୍ରଟି ଚାଲୁଅଛି। କିନ୍ତୁ ପ୍ରସାରଣ କେନ୍ଦ୍ରର ଯନ୍ତ୍ରପାତି ରହୁଥିବା କୋଠରୀଟି ଅସୁରକ୍ଷିତ ଅବସ୍ଥାରେ ରହିଥିବାବେଳେ ଯେକୌଣସି ସମୟରେ କୌଣସି ଅଘଟଣ ଆଶଙ୍କା କରି ଦୁରଦର୍ଶନ କେନ୍ଦ୍ରର କର୍ମଚାରୀମାନେ ସେଠାରୁ ତୁରନ୍ତ ଅନ୍ୟସ୍ଥାନକୁ ଯନ୍ତ୍ରପାତି ସ୍ଥାନାନ୍ତର ପାଇଁ ଉଦ୍ୟମ କରିବା ସହିତ ସେଥିପାଇଁ ଉପଯୁକ୍ତ ସ୍ଥାନ ପ୍ରଶାସନ ପକ୍ଷରୁ ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଏହାରି ମଧ୍ୟରେ ୪ ଜଣ ଜିଲ୍ଳାପାଳଙ୍କ ବଦଳି ହୋଇସାରିଥିବାବେଳେ ଦୂରଦର୍ଶନ କର୍ତ୍ତୃପକ୍ଷ ଜାଗା ପାଇଁ ପ୍ରଶାସନ ନିକଟକୁ ବାରମ୍ବାର ଧାଇଁ ବିଫଳ ହେବାପରେ ଏଠାରୁ ସମସ୍ତ ଯନ୍ତ୍ରପାତି ଉଠାଇ ନେବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ା ପ୍ରଶାସନ ପକ୍ଷରୁ ଦୂରଦର୍ଶନ ପ୍ରସାରଣ କେନ୍ଦ୍ର ପାଇଁ ଖୋଲାଜାଗା ଯୋଗାଇଦେବାକୁ କୁହାଯିବା ପରେ ଦୁରଦର୍ଶନ କର୍ତ୍ତୃପକ୍ଷ ନୂତନ ଗୃହ ନିର୍ମାଣ ପାଇଁ ସରକାରୀ ମଂଜୁରୀ ନଥିବା କହି ମନା କରିଦେଇଥିଲେ। ଶେଷରେ କେନ୍ଦ୍ର ସରକାରଙ୍କ ଏହି ସଂସ୍ଥା ବୌଦ୍ଧ ଜିଲ୍ଲାରେ ବନ୍ଦ ହେବାକୁ ଯାଉଥିବା ଜଣାଯାଇଛି। ଦୁରଦର୍ଶନ ପ୍ରସାରଣ କେନ୍ଦ୍ରର ସମ୍ବଲପୁର ସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ଏନେଇ ପଚରାଯିବାରେ ବୌଦ୍ଧଜିଲା ମାଓପ୍ରବଣ ମୁକ୍ତ ହୋଇସାରିଥିବା ଘୋଷଣା ହେବାପରେ ସେଠାରେ ଦୁରଦର୍ଶନ ପ୍ରସାରଣ କେନ୍ଦ୍ରର ବିଶେଷ ଆବଶ୍ୟକତା ନଥିବାରୁ ଏହାକୁ ଉଠାଇନେବାକୁ ଉପରସ୍ତରରେ ନିଷ୍ପତି ହୋଇସାରିଥିବା ପ୍ରକାଶ କରିଥିଲେ। ତେବେ ବୌଦ୍ଧବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସାଂସଦଙ୍କ ପକ୍ଷରୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ପତ୍ର ମାଧ୍ୟମରେ ସୂଚିତ କରାଗଲେ ଏହାକୁ ସରକାର ଚାହିଁଲେ ଏକ ଏଫଏମ ସେଣ୍ଟରରେ ପରିବର୍ତ୍ତନ କରିପାରିବେ ବୋଲି ଜଣାପଡିଛି। ଏହି ଦୂରଦର୍ଶନ ପ୍ରସାରଣ କେନ୍ଦ୍ରରେ ଶହେ ୱାଟ କ୍ଷମତା ସଂପର୍ଣ୍ଣ ଟ୍ରାନ୍ସମିଟର ଲାଗିଥିବା ବେଳେ ପ୍ରାୟ ୨୫ କିଲୋମିଟର ଦୂର ପର୍ଯ୍ୟନ୍ତ ଲୋକମାନେ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଇପାରୁଥିଲେ। କିନ୍ତୁ ପ୍ରସାରଣ ବନ୍ଦ ହେବାପରଠାରୁ ଲୋକମାନେ ଟିଭି ଦେଖିବାକୁ ଅନ୍ୟ ବ୍ୟବସ୍ଥା ଆପଣାଇବାକୁ ବାଧ୍ୟ ହେଉଛନ୍ତି। ଏହି ଦୂରଦର୍ଶନ ପ୍ରସାରଣ କେନ୍ଦ୍ରର କ୍ଷମତା ବୃଦ୍ଧି ସହିତ ଇଣ୍ଟରନେଟ ଓ ଏଫଏମ ସୁବିଧା ଯୋଗାଇଦେବା ପାଇଁ ମଂଜୁରୀ ମିଳିସାରିଥିଲେ ମଧ୍ୟ ବର୍ତମାନ ମାଓମୁକ୍ତ ଆଳରେ ଏହାକୁ ଉଠାଇନେବାକୁ ମସୁଧା ଚାଲିଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଜିଲାରେ ସଂପୁର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେଲେ ଲୋକମାନେ ହାଇସ୍ପିଡ ଇଣ୍ଟରନେଟ ସହ ଏଫଏମ ରେଡିଓ ଏବଂ ଭବିଷ୍ୟତରେ ୱାଇଫାଇ ସୁବିଧା ମଧ୍ୟ ପାଇପାରିଥାନ୍ତେ। ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ପ୍ରଶାସନ ଜାଗା ଦେଇ ଦୂରଦର୍ଶନ ପ୍ରସାରଣ କେନ୍ଦ୍ର ଖୋଲାଇଥିବା ବେଳେ ସେଥିମଧ୍ୟରୁ ଅନେକ ସ୍ଥାନରେ ଏଫଏମ ସୁବିଧା ଉପଲବ୍ଧ କରାଯାଇଛି। କିନ୍ତୁ ଅନେକ ଘାତ ପ୍ରତିଘାତ ସତ୍ୱେ ବୌଦ୍ଧ ଦୂରଦର୍ଶନ ପ୍ରସାରଣ କେନ୍ଦ୍ରଟି ଅଦ୍ୟାବଧି କାଗଜ କଲମରେ କାର୍ଯ୍ୟକ୍ଷମ ରହିଛି। ପ୍ରସାରଣ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ଅନ୍ୟ କେନ୍ଦ୍ରକୁ ବଦଳି କରି ନିଆଯାଇଥିବାବେଳେ ଜଣେମାତ୍ର କର୍ମଚାରୀ ଜରାଜିର୍ଣ୍ଣ ହୋଇପଡିଥିବା ପ୍ରସାରଣ କେନ୍ଦ୍ରକୁ ଜଗି ରହିଛନ୍ତି। ହେଲେ ସ୍ଥାନାଭାବ ସମସ୍ୟାରୁ ଏହି ଦୂରଦର୍ଶନ ପ୍ରସାରଣ କେନ୍ଦ୍ରଟି ଯେକୌଣସି ସମୟରେ ସଂପୁର୍ଣ୍ଣ ବନ୍ଦ ହୋଇଯିବାର ଆଶଙ୍କା ରହିଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦୂରଦର୍ଶନ ପ୍ରସାରଣ କେନ୍ଦ୍ର ଚାଲୁ ରଖାଯିବା ପାଇଁ ନୂତନ ସ୍ଥାନ ଯୋଗାଇଦେବାକୁ ସାଧାରଣରେ ମତପ୍ରକାଶ ପାଉଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.