Home ଜିଲ୍ଲା ପରିକ୍ରମା ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ସ୍ଥିତି ଗମ୍ଭୀର,ବନ୍ୟାରେ ଧୋଇଗଲା ଜାତୀୟ ରାଜପଥ, ରାସ୍ତା ପାରି...

ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ସ୍ଥିତି ଗମ୍ଭୀର,ବନ୍ୟାରେ ଧୋଇଗଲା ଜାତୀୟ ରାଜପଥ, ରାସ୍ତା ପାରି ବେଳେ ଭାସିଗଲେ ୩ଜଣ

8

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ଓ ସାଳନ୍ଦୀ ନଦୀର ଉପରମୁଣ୍ଡରେ କ୍ରମଶଃ ବନ୍ୟାଜଳ ହ୍ରାସ ପାଉଥିବାବେଳେ ତଳମୁଣ୍ଡରେ ଚାନ୍ଦବାଲି ଧାମରା ମୁହାଣରେ ସମୁଦ୍ର ଜୁଆରିଆ ଯୋଗୁଁ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟାସ୍ଥିତି ଗମ୍ଭୀର ରହିଛି। ଫଳରେ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ୪ଟି ପଞ୍ଚାୟତରେ ଗତ ୨ଦିନ ହେଲା ବନ୍ୟାପାଣି ପ୍ରବାହିତ ହେବାରୁ ରାଜପଥ ସହ ଗାଁ ଓ ସାହି ରାସ୍ତାରେ ୩/୪ ଫୁଟ ଉଚ୍ଚରେ ଚାଲୁଛି। ବିଶେଷକରି ବୈତରଣୀ ନଦୀର ବୋଡକ ନିକଟରେ ନଦୀବନ୍ଧ ପୂର୍ବର୍ ବନ୍ୟାରେ ଧୋଇଯିବା ସହ କୂଳ ଲଙ୍ଘି ବନ୍ୟାପାଣି ପ୍ରବାହିତ ହେବା ଫଳରେ ୨୦ନମ୍ୱର ଜାତୀୟ ରାଜପଥର ଦେଢ଼ କିମି କଂକ୍ରିଟ ରାସ୍ତା ଧୋଇ ନେଇଥିଲା। ତାହାସହ ୩ଶହ ଫୁଟର ଘାଇ ହେବାରୁ ଆରଡି ସମେତ ୨୪ଟି ଗାଁର ବହୁ ଘର ଓ ଦୋକାନରେ ବନ୍ୟାପାଣି ଦୀର୍ଘଦିନ ଧରି ଲହଡ଼ି ମାରିଥିଲା। ଏପରିକି ଶହଶହ ଚାଷୀଙ୍କର ହଜାରହଜାର ଏକର ଚାଷଜମି ଧୋଇ ନେଇଥିଲା। ଉକ୍ତ ନଦୀବନ୍ଧର ଅସ୍ଥାୟୀ ମରାମତି ନିମନ୍ତେ କୋଟିକୋଟି ଟଙ୍କାରେ ବଲା, ଟିଣ, ବାଲିବସ୍ତା, ପଥର ଦିଆଯାଇ ମରାମତି କରାଯାଇଥିଲା। ହେଲେ ଚଳିତ ବନ୍ୟା ପୁଣିଥରେ ବଲା, ବାଲିବସ୍ତା ଭସାଇନେବା ସହ ୧ଶହ ଫୁଟର କଂକ୍ରିଟ ରାସ୍ତା ଧୋଇ ନେବାରୁ ପୁଣି ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏପରିକି ପୂର୍ବଭଳି ବ୍ୟାଙ୍କ, ପୁଲିସ ଫାଣ୍ଡି, ପୋଷ୍ଟ ଅଫିସ, ସହ ବହୁ ଦୋକାନ ଓ ଘରେ ବନ୍ୟାପାଣି ପଶିଥିବା ବେଳେ ମୁଖ୍ୟରାସ୍ତା ଓ ସାହି ରାସ୍ତାରେ ୩/୪ ଫୁଟରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତ ଠପ୍ ହୋଇଯାଇଛି। ସେହିପରି ଆରଡି ପୀଠର ବହୁ ଦୋକାନ ଓ ଘରେ ବନ୍ୟାପାଣି ପଶିଥିବା ବେଳେ ମୁଁଆ, ସନ୍ତରା, ଷାଠିବାଙ୍କୁଡା, ବୋଡକ, ପାରଡିଆ, ଚମ୍ପା ସାହି, ପାଟପୁର, ଶୀତଳପୁର, ବାତୋଳ, ସିଙ୍ଗିପୁର, ପହଣା, ସାନପଙ୍କି, କୋଇଲୀଖା, ବାଙ୍କମୁଆ, ଖଟୁଆ ପାଟଣା ଆଦି ୨୪ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏପରିକି ବହୁ ଘରେ ବନ୍ୟାପାଣି ପଶିବାରୁ ଲୋକମାନେ ନଦୀବନ୍ଧ ଓ ରାସ୍ତା କଡ଼ରେ ଆଶ୍ରୟ ନେଇଛନ୍ତି। ଆରଡି-ଚାନ୍ଦବାଲି ରାସ୍ତାର ମୁଁଆ ଘୋଷରାରେ ୪/୫ଜଣ ବୃଦ୍ଧ ଓ ଯୁବକ ବନ୍ୟା ପାଣିରେ ପଶି ରାସ୍ତା ପାରି ହୋଇ ଆରଡି ଆସୁଥିବା ବେଳେ ଜଣେ ବୃଦ୍ଧ ବନ୍ୟାପାଣି ପ୍ରଖର ସ୍ରୋତରେ ଭାସି ଯାଇଥିବାବେଳେ ଅନ୍ୟ ୨ଜଣ ଉଦ୍ଧାର କରିବାକୁ ଯାଇ ମୋଟ ୩ଜଣ ଭାସିଯାଇଥିଲେ। ଫଳରେ ସ୍ଥାନୀୟ ଲୋକଙ୍କ ଆକ୍ଳାନ୍ତ ପରିଶ୍ରମରେ ଦୀର୍ଘ ୨ଘଂଟା ପରେ ସୁରକ୍ଷିତ ଭାବେ ୩ଜଣ ଉଦ୍ଧାର ହୋଇଥିଲେ। ଆରଡି ନିକଟରେ ୨ଟି ଘୋଷରା ରହିଥିଲେ ମଧ୍ୟ ବନ୍ୟା ସମୟରେ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ନଥିବା ବେଳେ କୈଣସି ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ନିରିହ ଲୋକମାନେ ବନ୍ୟା ବେଳେ ଭାସି ଯାଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.