Home ଜିଲ୍ଲା ପରିକ୍ରମା ବେଆଇନ୍ ବାଲିଘାଟର ତଦନ୍ତ ପାଇଁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ

ବେଆଇନ୍ ବାଲିଘାଟର ତଦନ୍ତ ପାଇଁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ

4

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ଅଧୀନସ୍ଥ ଆନନ୍ଦପୁର ପଂଚାୟତର ୨ଟି ସ୍ଥାନରେ ବୈତରଣୀ ନଦୀରୁ ବେଆଇନ୍ ବାଲି ଚାଲାଣର ଖବର ଗଣମାଧ୍ୟମରେ ପ୍ରକାଶ ପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନେସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) । ବାଲି ଚୋରି ଓ ଚୋରା ଚାଲାଣର ତଦନ୍ତ କରିବା ଲାଗି କମିଟି ମଧ୍ୟ ଗଠନ କରିଛନ୍ତି । ଏହି କମିଟି ୪ ସପ୍ତାହ ମଧ୍ୟରେ ନିଜର ରିପୋର୍ଟ ପ୍ରଦାନ କରିବା ଲାଗି ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ଗଠନ ହୋଇଥିବା କମିଟିରେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ ଓ ଭଦ୍ରକ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ବା ଏଡିଏମ୍ ପାହ୍ୟାର ଜଣେ ଅଧିକାରୀ ଏହି ଟିମ୍‌ରେ ରହିବେ ବୋଲି ଟ୍ରିବ୍ୟୁନାଲ କହିଛନ୍ତି । ତଦନ୍ତ ବେଳେ ୩ ଜଣିଆ କମିଟି କ୍ଷେତ୍ର ପରିଦର୍ଶନ କରି ଅନୁଧ୍ୟାନ କରିବେ । ଅଭିଯୋଗକାରୀ ଦର୍ଶାଇଥିବା ତଥ୍ୟ ଉପରେ କମିଟି ତର୍ଜମା କରିବ । ଆଧୁନିକ ପ୍ରଣାଳୀ ଓ ଡିଜିଟାଲ ଟେକ୍ନୋଲୋଜିରେ ବାଲି ଚୋରି ହୋଇଥିବାର ପରିମାଣ ନିର୍ଦ୍ଧାରଣ କରିବ ଏହି କମିଟି । ତଦନ୍ତ ବେଳେ ରାଜ୍ୟ ପ୍ରଦୂଷଣ ବୋର୍ଡ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ ବୋଲି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ତଦନ୍ତର କପି ଅଭିଯୋଗ କର୍ତ୍ତାଙ୍କୁ ଦେବା ଲାଗି କୁହାଯାଇଛି । ଖାଲି ଏତିକି ନୁହେଁ ଅଭିଯୋଗ କର୍ତ୍ତାଙ୍କ ଅଭିଯୋଗ ଆଧାରରେ ୧୩ ଜଣଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି । ଏମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ, ଭଦ୍ରକ ଜିଲାପାଳ, ଧାମନଗର ତହସିଲଦାର, ପରିବେଶ ବିଭାଗ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯାଜପୁର ଜଳସଂପଦ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ଶରତ ଚନ୍ଦ୍ର ମାଝୀ ରହିଛନ୍ତି । ପ୍ରତ୍ୟେକ ପକ୍ଷ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଜରିଆରେ ନିଜ ନିଜର ରିପୋର୍ଟ ଟ୍ରିବ୍ୟୁନାଲକୁ ଜଣାଇବେ । ଏଠାରେ ସୂଚନାଯୋଗ୍ୟ ୨୦୧୭ ରୁ ଆନନ୍ଦପୁର ପଂଚାୟତର ଆନନ୍ଦପୁର ଓ ଉତେଇପୁର-୨ ସୈରାତରୁ ବେଆଇନ୍ ଭାବେ ବାଲି ଉଠାଯାଉଥିଲା । ଆନନ୍ଦପୁର ବାଲିଘାଟର ନିଲାମ ଅବଧି ୨୦୨୧ ରେ ସରିଥିବାବେଳେ ଉତ୍ତେଇପୁର-୨ ବାଲିଘାଟର ଅବଧି ଚଳିତବର୍ଷ ଡିସେମ୍ବରରେ ସରୁଛି । ହେଲେ ଉତ୍ତେଇପୁର-୨ ବାଲିଘାଟ ଚଳାଇବା ଲାଗି ଆବଶ୍ୟକ କନସେଣ୍ଟ-୨ ଅପରେଟ ୨୦୨୩ ମାର୍ଚ୍ଚ ୩୧ ରୁ ଶେଷ ହୋଇଛି । ତେବେ ବେଆଇନ୍ ଭାବେ ଏହି ଘାଟରୁ ଶରତ ମାଝୀ ନାମକ ବ୍ୟକ୍ତି ବାଲି ଉଠାଉଛନ୍ତି । ଫଳରେ ବେଆଇନ୍ ବାଲିଘାଟ ବିରୁଦ୍ଧରେ ସ୍ଥାନୀୟ ଯୁବକ ଭାଗବତ ସାହୁ ଓ କିଛି ବ୍ୟକ୍ତି ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ରେ ମକଦ୍ଦମା କରିଥିଲେ । ଆଜି ତାର ପ୍ରାଥମିକ ଶୁଣାଣୀ କରି ଏନ୍‌ଜିଟି ଏହି ନିର୍ଦ୍ଦେଶ ଦେଇଛନ୍ତି । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.