Home ଜିଲ୍ଲା ପରିକ୍ରମା ଧାମନଗର ପଞ୍ଚାୟତ ସମିତି ‘ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା’ କ୍ରୀଡା ସାମଗ୍ରୀ କିଣାରେ ଦୁର୍ନୀତି

ଧାମନଗର ପଞ୍ଚାୟତ ସମିତି ‘ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା’ କ୍ରୀଡା ସାମଗ୍ରୀ କିଣାରେ ଦୁର୍ନୀତି

6

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ପଂଚାୟତ ସମିତି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନ କ୍ରୀଡା ସାମଗ୍ରୀ କିଣାରେ ଏକ ବଡ ଧରଣର ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ଏହି ସାମଗ୍ରୀ କ୍ରୟ ଲାଗି ପ୍ରତ୍ୟେକ ପଂଚାୟତକୁ ୨.୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ନିୟମ ଅନୁସାରେ ପ୍ରତ୍ୟେକ ପଂଚାୟତ ନିଜ ହିସାବରେ କ୍ରୀଡା ସାମଗ୍ରୀ କିଣିବା କଥା । ମାତ୍ର ପଂଚାୟତକୁ ଏବେ ଗୋଟିଏ ବଡ ବସ୍ତା, ୩ଟି ଲେଖାଏଁ କ୍ୟାରେମ୍ ବୋର୍ଡ ଓ କିଛି ଜିମ୍ ସାମଗ୍ରୀ ପ୍ରଦାନ କରାଯାଇଛି । ଏ ସମସ୍ତ ସାମଗ୍ରୀ ସରପଞ୍ଚଙ୍କ ଅଗୋଚରରେ ପଂଚାୟତ ନିର୍ବାହୀ ଅଧିକାରୀ ବ୍ଲକ୍‌ରୁ ଗ୍ରହଣ କରିଆଣିଛନ୍ତି । ତେବେ କେତେକ ପଂଚାୟତରେ ସରପଞ୍ଚଙ୍କ ବଦଳରେ ଯେକୌଣସି କର୍ମଚାରୀ ଓ କର୍ମୀଙ୍କୁ ନିର୍ବାହୀ ଅଧିକାରୀ ତାହା ପ୍ରଦାନ କରିଥିବାର ଅଭିଯୋଗ ହୋଇଛି । ତେବେ ସମସ୍ତ ପଂଚାୟତକୁ କି କି ଖେଳ ସାମଗ୍ରୀ ଆସିଛି ଓ କେତେ ଟଙ୍କାର ଆସିଛି, ସେ ସଂପର୍କରେ କିଛି ଜାଣିନାହାଁନ୍ତି ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି ଖଡିପଦା ପଂଚାୟତର ସରପଞ୍ଚ ସସ୍ମିତା ଘଡାଇ । ଆମ ଓଡ଼ିଶା ନବୀନ ଓଡ଼ିଶା ୱେବସାଇଟ୍‌ର ତଥ୍ୟ ଅନୁସାରେ ଧାମନଗର ବ୍ଲକ୍‌ର ୩୧ଟି ପଂଚାୟତରୁ ୭ଟିରେ ଏଯାଏଁ ଖେଳ ସାମଗ୍ରୀ ପହଞ୍ôଚନାହିଁ । ଅସୁରାଳି, ଅର୍ଜୁନପୁର, ବମକୁରା, ଭଟସାହି, ଦଇପୁର, ଖପରପଦା ଓ ପଧାନ ପଂଚାୟତ ପାଇଁ କ୍ରୟ ଆରମ୍ଭ ହୋଇଛି । ହେଲେ ପଂଚାୟତରେ ତାହା ପହଞ୍ôଚଥିବାର କୌଣସି ସୂଚନା ନାହିଁ । ଅନ୍ୟ ସମସ୍ତ ପଂଚାୟତକୁ ଏହା ଦିଆଯାଇଛି । ଏଥିରେ କ୍ରିକେଟ୍‌, ବ୍ୟାଡମିଣ୍ଟନ, ଫୁଟବଲ୍‌, ଭଲିବଲ, କ୍ୟାରେମ୍ ଓ ଜିମ୍ ସାମଗ୍ରୀ ପ୍ରଦାନ କରାଯାଇଛି । ୩ଟି କ୍ୟାରେମ୍ ବୋର୍ଡ ଓ ଏହାର ଡଟସ୍‌, କ୍ରିକେଟ୍ ପାଇଁ ହଳେ ଷ୍ଟମ୍ପସ୍‌, ୩ଟି ବ୍ୟାଟ୍‌, ୪ଟି ଗ୍ଲୋବସ୍‌, ୨ଟି ବଲ୍ ଦିଆଯାଇଛି ।

ସେହିଭଳି ଗୋଟିଏ ଫୁଟବଲ ଓ ଭଲିବଲ୍‌, ବ୍ୟାଡମିଣ୍ଟନ ପାଇଁ ୨ଟି ରାକେଟ୍ ଆସିଛି । ଜିମ୍ ମଧ୍ୟରେ ୨ଟି ଡମ୍ବଲ, ୪ଟି ଚକ ଓ ଅନ୍ୟ ୨/୩ ଟି ଆଇଟମ୍ ରହିଛି । ନିୟମ ଅନୁସାରେ ପ୍ରତି ପଂଚାୟତରେ କି କି ଖେଳ ହେଉଛି ଓ ଏଠାକାର ଯୁବକ-ଯୁବତୀମାନେ ଯେଉଁ ଖେଳ ଖେଳୁଛନ୍ତି, ତଦନୁଯାୟୀ ଖେଳ ସାମଗ୍ରୀ ପ୍ରଦାନ କରାଯିବା କଥା । ଏଥିଲାଗି ପ୍ରତ୍ୟେକ ପଂଚାୟତକୁ ଗତ ଡିସେମ୍ବର ମାସରେ ଚିଠି କରାଯାଇଥିଲା । ଜାନୁୟାରୀ ସୁଦ୍ଧା ପଂଚାୟତ ପକ୍ଷରୁ ସେମାନଙ୍କର ଯେଉଁସବୁ ଖେଳ ସାମଗ୍ରୀ ଆବଶ୍ୟକ, ତାହାର ଚିଠା ପ୍ରଦାନ କରିବାକୁ କୁହାଯାଇଥିଲା । ସେହି ଅନୁସାରେ ସମସ୍ତ ପଂଚାୟତର ଆବଶ୍ୟକ ସାମଗ୍ରୀକୁ ମିଶାଇ ଧାମନଗର ବ୍ଲକ୍ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯିବାର ଥିଲା । କିନ୍ତୁ ସେମାନଙ୍କ ପଂଚାୟତକୁ କୌଣସି ଚିିଠି କରାଯାଇନଥିଲା କି ଖେଳ ସାମଗ୍ରୀର ଆବଶ୍ୟକତା ଅନୁସାରେ ଚିଠା ଦେବାକୁ ବି କୁହାଯାଇନଥିଲା । ଏଣୁ ପଂଚାୟତ ପକ୍ଷରୁ କୌଣସି ଚିଠା ଦିଆଯାଇନଥିଲା । ଏଭଳି ଏକ ସୁଯୋଗର ହାତଛଡା ନକରି ଧାମନଗର ବିଡିଓ ବନବିହାରୀ ଦିନ୍ଦା ମଧ୍ୟ ସ୍ପୋଟସ୍ ସାମଗ୍ରୀ ଯୋଗାଣ ପାଇଁ କୌଣସି ଟେଣ୍ଡର ଡାକିଲେ ନାହିଁ । ତାହା ଡାକିଥିଲେ ଭଦ୍ରକ ଜିଲା ୱେବ୍‌ସାଇଟରେ ଅପଲୋଡ୍ ହୋଇଥାନ୍ତା । ବିଡିଓ ଗଳାବାଟ ଦେଖି ବ୍ଲକ୍ ଅଫିସ୍ କାନ୍ଥରେ ଟେଣ୍ଡର ଆହ୍ୱାନ କରିଦେଲେ ସତ, ମାତ୍ର ଜିପିଏସ୍ ଲୋକେସନ ଫଟୋ ଉଠାଇ ସେହି ନୋଟିସ୍‌କୁ ଚିରିଦେଲେ ବୋଲି ବ୍ଲକ୍‌ର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି ।

୨.୫ ଲକ୍ଷ ଟଙ୍କା ବଦଳରେ ମାତ୍ର ୨୦ ରୁ ୩୦ ହଜାର ଟଙ୍କାରେ ଏହି ସାମଗ୍ରୀ ପ୍ରଦାନ କରାଯାଇଥିବାର ସରପଞ୍ଚମାନେ ଅଭିଯୋଗ କରିଛନ୍ତି । ଏପରିକି ପଂଚାୟତର ପିଇଓ ସାଧା କାଗଜରେ ଦସ୍ତଖତ ନେଇ ପଂଚାୟତକୁ ଏହି ସାମଗ୍ରୀ ଦେଇଛନ୍ତି । ସବୁଠାରୁ ବଡକଥା ପ୍ରତ୍ୟେକ ଖେଳ ସାମଗ୍ରୀ ଗର୍ଭମେଣ୍ଟ ମାର୍କେଟ୍ ପ୍ଲେସ୍‌ରେ ନିର୍ଦ୍ଧାରିତ ଦରଠାରୁ କମ୍ ମୂଲ୍ୟରେ ଯୋଗାଯିବା କଥା । ଏହି ମାର୍କେଟ୍ ପ୍ଲେସ୍‌ରେ ଗୋଟିଏ ଫୁଟବଲର ଦାମ ୧୮୦ ଟଙ୍କା ଥିବାବେଳେ ବ୍ଲକ୍ ପକ୍ଷରୁ ୧୮୦୦ ଟଙ୍କା ପ୍ରଦାନ କରାଯାଇଛି । ଏ ସଂପର୍କରେ ବିଡିଓଙ୍କ ମତାମତ ନିଆଯାଇଥିବାବେଳେ ସେ ସରକାରୀ ନିୟମ ଅନୁଯାୟୀ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଟେଣ୍ଡର କରାଯାଇ ୩ ଜଣଙ୍କ ମଧ୍ୟରୁ ଜଣକୁ ସିଲେକ୍ସନ କରାଯାଇଛି । ଭୁବନେଶ୍ୱରର ଜଣେ ବ୍ୟକ୍ତି ଏହି କ୍ରୀଡା ସାମଗ୍ରୀ ବଣ୍ଟନର ଦାୟିତ୍ୱ ନେଇଥିବାବେଳେ ୨.୫ ଲକ୍ଷ ଟଙ୍କା ନୁହଁ ୨.୪୦ ଲକ୍ଷରେ ଏହା କିଣାଯାଇଛି । ଅବଶିଷ୍ଟ ୧୦ ହଜାର ପଞ୍ଚାୟତକୁ ଦିଆଯାଇଛି । ଆଉ ଅଧିକ ନପଚାରି ଯାହା ଜାଣିବା କଥା ନେଟ୍‌ରେ ଦେଖନ୍ତୁ ବୋଲି ବିଡିଓ ଶ୍ରୀ ଦିନ୍ଦା ଗଣମାଧ୍ୟମକୁ କହିଛନ୍ତି । ତେବେ ଖେଳ ସାମଗ୍ରୀକୁ ଦେଖିଲେ ଟଙ୍କା ତୁଳନାରେ ଏହି ସାମଗ୍ରୀ କ୍ରୟରେ ମହାଦୁର୍ନୀତି ହୋଇଥିବାର ସନ୍ଦେହ କରାଯାଉଛି । ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.