Home ଜିଲ୍ଲା ପରିକ୍ରମା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଏବିଭିପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଏବିଭିପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

22

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାରେ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଶିକ୍ଷା, ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭଦ୍ରକ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି ଅବସରରେ ଛାତ୍ରନେତା ମାନେ ଅଭିଯୋଗ କରିଥିଲେ ଯେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ସ୍ଥିତିରେ ଥିବାବେଳେ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଅନୁରୂପ ବ୍ୟତିକ୍ରମ ଦେଖା ଦେଇଛି । ଓଏସଏସସି ପରୀକ୍ଷାରେ ପ୍ରଶ୍ନପତ୍ର ମୁଦ୍ରଣ ତ୍ରୁଟି, ପରୀକ୍ଷା ବାତିଲ, ମାଟ୍ରିକ ପରୀକ୍ଷାରେ ୧୫ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେଇ ନପାରିବା, ମହାବିଦ୍ୟାଳୟ ପରିସରକୁ ଅଣ ଛାତ୍ରଙ୍କ ପ୍ରବେଶ ଆଦି ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ମହିଳା ଅସଦାଚରଣ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇଛି । ହକି ବିଶ୍ୱକପ ସମୟରେ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ରେଳ ଷ୍ଟେସନରେ ଗଣ ଦୁଷ୍କର୍ମ ହେଉ କିମ୍ବା ବିଜେବି କଲେଜ ଛାତ୍ରୀ ରୁଚିକାକୁ ଆଜିଯାଏ ନ୍ୟାୟ ନମିଳିବା ଭଳି ବହୁ ଅପରାଧିକ ମାମଲାରେ ସରକାର ଫେଲ ମାରିଛନ୍ତି ।

ଏଣୁ ସବୁ ପ୍ରକାର ତ୍ରୁଟିର ସମାଧାନ ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ଜିଲ୍ଲା ପ୍ରମୁଖ ସ୍ୱାଧୀନ ସୁନ୍ଦର ଦାସଙ୍କ ନେତୃତ୍ୱରେ ଏକ ଛାତ୍ର ପ୍ରତିନିଧି ଦଳ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଘଟଣା ସବୁର ମୁଖ୍ୟ ଭାବେ ଦାୟୀ କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏହି ବିକ୍ଷୋଭ ସଭାରେ ଜିଲ୍ଲା ସହ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମମତା ମହାକୁଡ଼, ଭଦ୍ରକ ନଗର ସମ୍ପାଦକ ବିଶ୍ୱନାଥ ସୋନୁ ଲାହା, ମୃତ୍ୟୁଞ୍ଜୟ ବିଶ୍ୱାଳ, ପ୍ରିୟଙ୍କା ଦାଶ, ପିଙ୍କୁନ ମଲ୍ଲିକ, ହିତେଶ ଜେନା, ପ୍ରଭାତ ମହାନ୍ତି, ଆଲୋକ ଦାସ, ସତ୍ୟ ବେହେରା, ଓଁକାର ମହାନ୍ତି, ଦୁର୍ଗା ଶଙ୍କର ଜେନା, ପ୍ରଶାନ୍ତ ସିଂ, ଦୀପକ ବେହେରା, ଶୁଭମ ରାଉତ, ଶୁଭଙ୍କର ମହାରଣା, ସତ୍ୟ ପ୍ରକାଶ ମହାନ୍ତି, ମିଥୁନ ପତି, ଉତ୍କଳ କିଶୋର ପ୍ରଧାନ, ଏସ ଏସ ସାନ, ବୟାରୀ ଚିରସ୍ମ୍ମିତା, ଆୟୁଷ ପାଣିଗ୍ରାହୀ, ମାନସ ମହାନ୍ତି ଏବଂ ରାଜେଶ କୁମାର ପଣ୍ଡୁଆ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.