Home ଓଡ଼ିଶା ବିଧାନସଭା ପଞ୍ଚମ ଷ୍ଟାଣ୍ଡିଂ କମିଟି ପକ୍ଷରୁ ପିଆରଏମ ମେଡିକାଲ କଲେଜ ସ୍ୱାସ୍ଥ୍ୟସେବାର ସମୀକ୍ଷା

ବିଧାନସଭା ପଞ୍ଚମ ଷ୍ଟାଣ୍ଡିଂ କମିଟି ପକ୍ଷରୁ ପିଆରଏମ ମେଡିକାଲ କଲେଜ ସ୍ୱାସ୍ଥ୍ୟସେବାର ସମୀକ୍ଷା

79

ବାରିପଦା ୦୭/୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ)- ଓଡ଼ିଶା ବିଧାନସଭାର ପଞ୍ଚମ ଷ୍ଟାଣ୍ଡିଂ କମିଟି ନଭେମ୍ବର ୭ ଗୁରୁବାର ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ଚିକିତ୍ସାଳୟ ଓ ମହାବିଦ୍ୟାଳୟ ପରିଦର୍ଶନ ସହ ସ୍ୱାସ୍ଥ୍ୟସେବା, ପରିବେଶ ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିଥିଲେ। କମିଟିର ଅଧ୍ୟକ୍ଷ ତଥା ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ନେତୃତ୍ୱରେ ମୋରଡ଼ା ବିଧାୟକ ରାଜକିଶୋର ଦାସ, ଚମ୍ପୁଆ ବିଧାୟକା ମିନାକ୍ଷୀ ମହାନ୍ତ, କରଞ୍ଜିଆ ବିଧାୟକା ବାସନ୍ତୀ ହେମ୍ବ୍ରମ୍, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସୁନ୍ଦରଗଡ଼ ବିଧାୟକା କୁସୁମ ଟେଟେ ପ୍ରମୁଖ ଆଜି ପିଆରଏମ ମେଡ଼ିକାଲ କଲେଜର ବିଭିନ୍ନ ୱାର୍ଡ଼, ଆଉଟଡ଼ୋର, ଆଇସିୟୁ, ଓଟି ଆଦି ପରିଦର୍ଶନ କରି ରୋଗୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ସେହିପରି ମେଡ଼ିକାଲ କଲେଜର ସୁପାରିଟେଣ୍ଡେଣ୍ଟ ଓ ସିଡ଼ିଏମଓଙ୍କ ନିକଟରୁ କଲେଜ ଓ ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ମାଧ୍ୟମରେ ଅବଗତ ହୋଇଥିଲେ। ଏହି ସମୟରେ କମିଟିର ଅଧ୍ୟକ୍ଷ ଶ୍ରୀପାତ୍ର ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ନବୀନ ଜନସାଧାରଣଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେଣୁ ବାରିପଦା ମେଡ଼ିକାଲରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କଣ କଣ ଅଗ୍ରଗତି ହୋଇଛି ଏବଂ କଣ କଣ ଆବଶ୍ୟକତା ରହିଛି ତାହା ପରିଦର୍ଶନରେ ଆସିଛୁ। ପିଆରଏମ ମେଡ଼ିକାଲ କଲେଜର ପରିବେଶ ଓ ପରିଚ୍ଛନ୍ନତା ସନ୍ତୋଷ ଜନକ ରହିଥିବାର ପ୍ରକାଶ କରିଥିବା ବେଳେ ବାରିପଦା ମେଡ଼ିକାଲ କଲେଜ ହୋଇଥିବାରୁ ରୋଗୀମାନଙ୍କ ସଂଖ୍ୟା ବୃଦ୍ଧିପାଇଛି। ଦୈନିକ ହାରାହାରି ୮ ଶହରୁ ଅଧିକ ରୋଗୀ ଆସୁଥିବାରୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଆବଶ୍ୟକୀୟ ଡ଼ାକ୍ତର, ଫାର୍ମାଶିଷ୍ଟ, ସ୍ୱାସ୍ଥ୍ୟସେବୀକା ଆଦି ଅଭାବ ରହିଥିବାର ନଜରକୁ ଆସିଛି। ମେଡ଼ିକାଲ କଲେଜ ଓ ହସପିଟାଲ ପାଖରେ ହୋଇ ଗଲେ ରୋଗୀମାନେ ବେଟର ଟି୍ରଟମେଣ୍ଟ ପାଇପାରିବେ। ଆସନ୍ତା ୨ ବର୍ଷ ମଧ୍ୟରେ ସବୁ କିଛି ଠିକ୍ଠାକ୍ ହୋଇଯିବ ବୋଲି ଆଶା କରନ୍ତି। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ-ଫେସିଲେସନ ସେଣ୍ଟରରେ ଆୟୋଜିତ ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇ ବାରିପଦା ମେଡ଼ିକାଲରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର, କର୍ମଚାରୀ ଓ ଅଥ୍ୟାଧୁନିକ ଯନ୍ତ୍ରପାତି ସହ ଟ୍ରମା ସେଣ୍ଟର, ପୋଡ଼ାଜଳା ରୋଗୀମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ, ରୋଗୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯଥା କ୍ୟାନସର, ଥାଇରଡ଼ ଆଦି ବାଓକେମିକ ପରୀକ୍ଷା ନିମନ୍ତେ ବାହାର ପରୀକ୍ଷାଗାର ଉପରେ ନିର୍ଭର ନ କରି ମେଡ଼ିକାଲ ପରିସରରେ ଏହି ସମସ୍ତ ପୀକ୍ଷା ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ତାଲିମ ପ୍ରାପ୍ତ ବିଶେଷଜ୍ଞ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ ବାରିପଦା ମେଡ଼ିକାଲରେ ରହିଥିବା ସ୍ୱଳ୍ପ ସଂଖ୍ୟକ ୧୦୮, ୧୦୨ ଆଦି ଆମ୍ବୁଲାନ୍ସ ରୋଗୀମାନଙ୍କୁ ଯଥା ସମୟରେ ସେବା ପ୍ରଦାନରେ ଅସମର୍ଥ ହେଉଥିବାରୁ ଅଧିକ ସଂଖ୍ୟକ ଆମ୍ବୁଲାନ୍ସର ଆବଶ୍ୟକତା ରହିଥିବା ଉପରେ ଆଲୋଚନା କରିଥିଲେ ଏବଂ କମିଟିର ଅଧ୍ୟକ୍ଷ ଶ୍ରୀପାତ୍ର ଏବିଷୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ବୋଲି ପ୍ରକାଶ କରିଥିବା ବେଳେ ଜିଲ୍ଲାପାଳ ଏ ଦିଗରେ ମେଡ଼ିକାଲ କଲେଜ ଡ଼ିନ, ସୁପାରିଟେଣ୍ଡେଣ୍ଟ ଓ ସିଡ଼ିଏମଓ ଆଦିଙ୍କ ସହ ଆଲୋଚନା କରି ଯଥା ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ମେଡ଼ିକାଲ ସୁପାରିଟେଣ୍ଡେଣ୍ଟ, ସିଡ଼ିଏମଓ, ଜିଲ୍ଲା ଜରୁରୀ ଅଧିକାରୀ, ପୂର୍ତ୍ତ ଓ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.