Home ଜିଲ୍ଲା ପରିକ୍ରମା ଶଙ୍ଖ ଭବନରେ ବିଜେଡିରେ ମିଶିଲେ ଭଦ୍ରକର ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ବିଜେଡିରେ ବିଦ୍ରୋହ କରି ପ୍ରଥମ...

ଶଙ୍ଖ ଭବନରେ ବିଜେଡିରେ ମିଶିଲେ ଭଦ୍ରକର ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ବିଜେଡିରେ ବିଦ୍ରୋହ କରି ପ୍ରଥମ ମୁସ୍‌ଲିମ୍ ସ୍ୱାଧୀନ ପୌରାଧ୍ୟକ୍ଷା ଭାବେ ସୃଷ୍ଟି କରିଥିଲେ ଇତିହାସ

32

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୦୨୨ ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ଭଦ୍ରକ ପୌରପାଳିକା ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ମାତ୍ ଦେଇ ସ୍ୱାଧୀନ ଭାବେ ଭଦ୍ରକ ପୌରାଧ୍ୟକ୍ଷା ପଦ ମଣ୍ଡନ କରି କେବଳ ଓଡ଼ିଶା ରାଜ୍ୟ ନୁହେଁ ସମଗ୍ର ଭାରତବର୍ଷରେ ଇତିହାସ ସୃଷ୍ଟି କରିଥିବା ଭଦ୍ରକ ପୌରପାଳିକାର ପ୍ରଥମ ମୁସଲିମ୍ ମହିଳା ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ ଆଜି ଶଙ୍ଖ ଭବନରେ ବିଜେଡିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱରସ୍ଥିତ ବିଜେଡିର ମୁଖ୍ୟାଳୟ ଶଙ୍ଖ ଭବନରେ ଆଜି ଆନୁଷ୍ଠାନିକ ଭାବେ ସେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମାଙ୍କ ଉପସ୍ଥିତିରେ ଦଳୀୟ ଉତ୍ତରୀୟ ପିନ୍ଧି ସାମିଲ ହୋଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଜେଡି ଭଦ୍ରକ ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ରାଜ୍ୟ ଯୁବ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଜିଲା ସାଧାରଣ ସଂପାଦକ ପ୍ରଣୟ କୁମାର ଦାସ, କାଉନ୍‌ସିଲର ମହମ୍ମଦ ଜକାଉଲ୍ଲା, ପୂର୍ବତନ କାଉନ୍‌ସିଲର ଜାହିଦ ହବିବ, ନସିରୁଦ୍ଦିନ୍ ଖାଁ, ଉସମାନଉଲ୍ ହକ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ପୌରାଧ୍ୟକ୍ଷା ଗୁଲମକ୍କୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ତାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ଯୋଗଦାନକୁ ଗୁଲମକ୍କୀ ନିଜର ପ୍ରତିକ୍ରିୟାରେ ତାଙ୍କ ପରିବାର ସର୍ବଦା ବିଜୁ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରହିଆସିଛନ୍ତି ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ୨୦୨୨ ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ଭଦ୍ରକ ପୌରପାଳିକା ନିର୍ବାଚନରେ ଗୁଲମକ୍କୀ ଶାସକ ବିଜେଡିର ପ୍ରାର୍ଥୀ ସମିତା ମିଶ୍ରଙ୍କୁ ୩ ହଜାର ୨୫୬ ଖଣ୍ଡ ଭୋଟରେ ପରାସ୍ତ କରି ଭଦ୍ରକ ପୌର ଇତିହାସରେ ପ୍ରଥମଥର ଲାଗି ଜଣେ ମୁସଲିମ୍ ମହିଳା ଅଧ୍ୟକ୍ଷା ଆସନାରେ ବସିଥିଲେ ।

ଶାସକ ବିଜେଡି ପାଇଁ ଉକ୍ତ ନିର୍ବାଚନ ବେଶ୍ ଗୁରୁତ୍ୱ ବହନ କରୁଥିବାବେଳେ ପ୍ରଥମରୁ କିଏ ପ୍ରାର୍ଥୀ ହେବ, ସେଥିନେଇ ଦଳ ଧର୍ମ ସଂକଟରେ ପଡିଥିଲା । ଏପରିକି ପ୍ରାର୍ଥୀ ଚୟନ ପୂର୍ବରୁ ଶାସକ ଦଳର ସଂଖ୍ୟାଲଘୁ ଛାମୁଆ ନେତାମାନେ ପୁରୁଣାବଜାର ଠାରେ ଏକ ବିଶାଳ ସମାବେଶରେ ସମ୍ମିଳିତ ହୋଇ ଉକ୍ତ ଅଂଚଳର ଜଣକୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ । ଶେଷରେ ମୁସଲିମ୍ ବହୁଳ ଉକ୍ତ ଅଂଚଳରୁ ପ୍ରାର୍ଥୀ କରାଯିବା ନେଇ ବହୁ ବିଚାର ବିମର୍ଶ ପରେ ବିଜେଡି ପକ୍ଷରୁ ଚରମ୍ପା ଅଂଚଳର ସମିତା ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଥିଲା । ତେବେ ଶ୍ରୀମତୀ ମିଶ୍ରଙ୍କୁ ବିରୋଧ କରି ଭଦ୍ରକ ଜିଲା ଯୁବ ବିଜେଡି ଉପସଭାପତି ସେକ୍ ଜାହିଦ ହବିବ (ଜାନୁ) ନିଜ ଉଚ୍ଚଶିକ୍ଷିତା ପତ୍ନୀ ଗୁଲମକ୍କୀ ଦଲାୱାଜିଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା କରାଇଥିଲେ । ତେବେ ଶାସକ ଦଳ ପକ୍ଷରୁ ସମାଧାନ ପାଇଁ ବହୁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ଫଳରେ ଜାହିଦ ହବିବ ଦଳରୁ ନିଲମ୍ବିତ ହୋଇଥିଲେ ମଧ୍ୟ ରାଜନୈତିକ ସମୀକ୍ଷକ ତଥା ଭଦ୍ରକର ବୁଦ୍ଧିଜୀବୀ ଆକଳନ କରିଥିବା ଫଳାଫଳ ଅନୁଯାୟୀ ଦଳମତ ନିର୍ବିଶେଷରେ ଗୁଲମକ୍କୀ ସର୍ବାଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ତେବେ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୈତିକ ବାତାବରଣ ଗୁଲମକ୍କୀଙ୍କ ଯୋଗଦାନ ପରେ ସେତେ ସରଗରମ ହେବାରେ ଲାଗିଛି । ବିଶେଷକରି ଶାସକ ବିଜୁ ଜନତା ଦଳରୁ କିଏ ପ୍ରାର୍ଥୀ ହେବେ, ତାହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ହେଉଥିଲା । ଶେଷରେ ହେଭିୱେଟ୍ ବିଜେଡି ନେତା ତଥା ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଦୀର୍ଘ ୧୫ ବର୍ଷ ପରେ ଶ୍ରୀ ସାମଲ ପୁଣିଥରେ ନିଜ ପୁରୁଣା ନିର୍ବାଚନ ମଣ୍ଡଳୀକୁ ଫେରିଛନ୍ତି ।

ତେଣୁ ପୁରୁଣା କର୍ମୀଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଥିବାବେଳେ ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ ପୁଣି ଏଥର ବିଜେଡି ଟିକେଟ୍‌ରୁ ବଂଚିତ ହେବା ପରେ ଦଳ ବିରୋଧରେ ଅସନ୍ତୋଷ ପ୍ରକାଶ କରି ବିଜେଡିରୁ ଇସ୍ତଫା ଦେଇଛନ୍ତି । ତେବେ ସେ କଂଗ୍ରେସରେ ଯୋଗଦେବା ପରେ ଦଳ ତାଙ୍କୁ ଭଦ୍ରକ ବିଧାନସଭାରୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି । କିନ୍ତୁ ଏପରିସ୍ଥଳେ ଅସିତ୍‌ଙ୍କ ହାତ ଛାଡିଛନ୍ତି ସ୍ୱାଧୀନ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ । ଗତ ପୌର ନିର୍ବାଚନରେ ଅସିତ୍‌ଙ୍କ ପରୋକ୍ଷ ସମର୍ଥନ ପାଇ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଜୟୀ ହୋଇଥିଲେ । ଗୁଲମକ୍କୀ ଉକ୍ତ ନିର୍ବାଚନରେ ୩୦ ଗୋଟି ୱାର୍ଡରୁ ୨୮ ହଜାର ୧୧୫ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜେଡି ପ୍ରାର୍ଥିନୀ ସମିତା ମିଶ୍ର ୨୪ ହଜାର ୮୫୯ ଖଣ୍ଡ ଭୋଟ୍ ପାଇଥିଲେ । ସେହିଦିନ ଠାରୁ ସଂଖ୍ୟାଲଘୁ ଭୋଟରମାନେ ଗୁଲମକ୍କୀ ହବିବଙ୍କ ଭୋଟ ବ୍ୟାଙ୍କ ହୋଇଯାଇଥିଲେ । ଏପରିକି ସେହିଦିନ ଠାରୁ ଗୁଲମକ୍କୀ ଯୁବନେତା ଅସିତ୍ ପଟ୍ଟନାୟକଙ୍କ ସହ ରହିଥିଲେ । ଅସିତ୍ ମଧ୍ୟ ତାଙ୍କ ସହଯୋଗରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ହଟାଇ ନିଜେ ଏଥର ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଜୋରଦାର ଉଦ୍ୟମ କରିଥିଲେ । ମାତ୍ର ଭଦ୍ରକରୁ ସଂଜୀବ ମଲ୍ଲିକଙ୍କୁ ଏଥର ପ୍ରାର୍ଥୀ କଲେ ସଂଖ୍ୟାଲଘୁଙ୍କ ଭୋଟ ନମିଳିବା ଆଶଙ୍କା କରି ଶେଷ ମୁହୂର୍ତ୍ତରେ ବିଜେଡି ନେତୃବୃନ୍ଦ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକରୁ ପ୍ରାର୍ଥୀ କରି ଅସିତ୍‌ଙ୍କୁ ବାଦ୍ ଦେଇଥିଲେ । ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ପୌରାଧ୍ୟକ୍ଷ ଗୁଲମକ୍କୀ ଅସିତ୍ ପଟ୍ଟନାୟକଙ୍କ ସହ ଥିଲେ । ତେବେ ଅସିତ୍ ବିଜେଡି ଛାଡିବା ପରେ ସେ ତାଙ୍କ ହାତ ଛାଡି ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଏଣୁ ସଂଖ୍ୟାଲଘୁ ଭୋଟରମାନଙ୍କ ସମର୍ଥନ ପୁଣିଥରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କୁ ବିଜୟୀ କରାଇବ ବୋଲି ଆଲୋଚନା ହେଉଛି । ଏତଦ୍‌ବ୍ୟତୀତ ହେଭିୱେଟ୍ ଶ୍ରୀ ସାମଲଙ୍କର ମଧ୍ୟ ସଂଖ୍ୟାଲଘୁ ଭୋଟରମାନଙ୍କ ସହିତ ବେଶ୍ ଉତ୍ତମ ସଂପର୍କ ରହିଛି ।

ତେଣୁ ଗୁଲମକ୍କୀଙ୍କ ବିଜେଡିର ଯୋଗଦାନ ବିଜେଡିକୁ ଭଦ୍ରକରେ ଅଧିକ ସଶକ୍ତ କରିବା ସହିତ ଏହାର ପ୍ରଭାବ ମଧ୍ୟ ଭଦ୍ରକ ଜିଲାର ସଂଖ୍ୟାଲଘୁ ଭୋଟରମାନଙ୍କ ଉପରେ ପଡିବାର ସମ୍ଭାବନା ରହିଛି । ତେବେ ଗୁଲମକ୍କୀ ନିଜର ବିଜୟ କାଳରେ କେଉଁ ଦଳକୁ ଯିବେନାହିଁ ବୋଲି ଯେଉଁ ସ୍ଲୋଗାନ ଦେଇଆସୁଥିଲେ, ଆଜିର ମିଶ୍ରଣ ପରେ ତାଙ୍କ ସମର୍ଥକମାନେ ପୂର୍ବପରି ତାଙ୍କ ସହିତ ପୁରାମାତ୍ରାରେ ରହୁଛନ୍ତି, ନା ଅସିତ୍ ପଟ୍ଟନାୟକଙ୍କୁ ସମର୍ଥନ କରିବେ, ତାହା ଅସିତ୍ ପ୍ରାର୍ଥୀ ହେଲେ ଜଣାପଡିବ ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି । ଆଜି ଗୁଲମକ୍କୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲା ବିଜେଡି ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା, ଭଦ୍ରକ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି । ଏ ସଂପର୍କରେ ସଂଜୟ ଦାସବର୍ମା ଯାହା କହନ୍ତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେଉଁ ସମୃଦ୍ଧ ଓଡ଼ିଶା ଗଠନ ପାଇଁ କାର୍ଯ୍ୟ ଚାଲିଛି, ସେତିକିବେଳେ ଗୁଲମକ୍କୀଙ୍କ ଯୋଗଦାନ ବହୁ ଗୁରୁତ୍ୱପୂର୍ଣ୍ଣ । ସେହିଭଳି ଭଦ୍ରକ ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ସମ୍ମାନ ଦେଇ ସେ ଦଳରେ ମିଶିଥିବାରୁ ବିଜେଡି ଆହୁରି ଶକ୍ତିଶାଳୀ ହେବ । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ବିଜୁ ପରିବାରକୁ ଗୁଲମକ୍କୀ ଓ ତାଙ୍କ ସମର୍ଥକଙ୍କ ଯୋଗଦାନ ମୁଖ୍ୟମନ୍ତ୍ରୀଙ୍କ ଧର୍ମନିରପେକ୍ଷତା ଓ ଭିଜନ ୨୦୩୬ ପାଇଁ ବଡ ଅବଦାନ ରହିବ । ବିଜେଡି ପ୍ରାର୍ଥୀ ତଥା ବିଧାୟକ ପ୍ରପୁଲ୍ଲ ସାମଲଙ୍କ କହିଛନ୍ତି ଯେ ଭଦ୍ରକ ଜିଲା ବିଜେଡି ପାଇଁ ଆଜି ଏକ ସ୍ମରଣୀୟ ଦିନ । କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’କୁ ସମ୍ମାନ ଦେଉଥିବାବେଳେ ତାଙ୍କର ଭରସାକୁ ଗୁଲମକ୍କୀ ପ୍ରମାଣ କରିଛନ୍ତି । ଏଣୁ ଅତୀତକୁ ଭୁଲି ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିବାବେଳେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ବିଜେଡି ଗୁଲମକ୍କୀଙ୍କ ଯୋଗଦାନ ପରେ ଆହୁରି ଆଗକୁ ବଢିବା ସହ ସଶକ୍ତ ଓଡ଼ିଶା ଗଠନ ହେବ ବୋଲି କହିଛନ୍ତି । ତେବେ ଗୁଲମକ୍କୀ ସାମିଲ ହେବା ପରେ ନିଜ ପ୍ରତିକ୍ରିୟାରେ ୨୦୨୨ ପୌର ନିର୍ବାଚନରେ ସେ ସ୍ୱାଧୀନ ଭାବେ ଲଢୁଥିଲେ ମଧ୍ୟ ନିର୍ବାଚନରେ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧ କରିନଥିବାର କହି ସମସ୍ତ ବ୍ୟାନରରେ ବିଜୁ ପଟ୍ଟନାୟକଙ୍କ ଫଟୋ ରହିଥିବାର ସୂଚାଇଥିଲେ । ଏବଂ ଶେଷ ମୁହୂର୍ତ୍ତରେ ଯେଉଁ ଭଦ୍ରକବାସୀଙ୍କ ପରାମର୍ଶରେ ଲଢିଥିଲୁ, ଆଜି ତାଙ୍କରି ପରାମର୍ଶରେ ବିଜେଡିରେ ସାମିଲ ହେଲେ ବୋଲି କହିଛନ୍ତି । ତେବେ ବିକାଶ ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ ଗଣମାଧ୍ୟମକୁ କହିବା ସହ ନବୀନ ପଟ୍ଟନାୟକ ତାଙ୍କ ଆଦର୍ଶ ବୋଲି କହିଛନ୍ତି । ଏବଂ ସେ ଜଣେ ଧର୍ମନିରପେକ୍ଷ ନେତା ହୋଇଥିବାରୁ ମିଳିତ ଭାବେ ସାମ୍ପ୍ରଦାୟିକ ଶକ୍ତିକୁ ହରାଇ ତାଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ୱାନ ଦେଇଛନ୍ତି । ଶେଷରେ ସେ ପ୍ରଫୁଲ୍ଲ ସାମଲଙ୍କ ସହ ତାଙ୍କର ପାରିବାରିକ ସଂପର୍କ ଥିବାରୁ ଭଦ୍ରକର ବିକାଶ ଦିଗରେ ତାଙ୍କର ଆଶୀର୍ବାଦ ଭିକ୍ଷା ପୂର୍ବକ ସହଯୋଗ ଲୋଡିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.