Home ଜିଲ୍ଲା ପରିକ୍ରମା ବାଲିବେପାରୀଙ୍କ ସହ ଥାନାଧିକାରୀଙ୍କ ସହ ବାର୍ତ୍ତାଳାପ ଅଡିଓ ଭାଇରାଲ : ଥାନାଧିକାରୀଙ୍କ ବଦଳି ସହ ତଦନ୍ତ...

ବାଲିବେପାରୀଙ୍କ ସହ ଥାନାଧିକାରୀଙ୍କ ସହ ବାର୍ତ୍ତାଳାପ ଅଡିଓ ଭାଇରାଲ : ଥାନାଧିକାରୀଙ୍କ ବଦଳି ସହ ତଦନ୍ତ ନିର୍ଦ୍ଦେଶ

160

ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବୈତରଣୀ ନଦୀରୁ ବେଆଇନ ବାଲି କାରବାର ସହ ପୁଲିସ ସଂପୃକ୍ତି ଥିବା ସମ୍ପର୍କରେ ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁଙ୍କ ଜନୈକ ବାଲିମାଫିଆଙ୍କ ବାର୍ତ୍ତାଳାପର ଅଡିଓ ଗଣମାଧ୍ୟମରେ ପ୍ରକାଶିତ ହେବା କାରଣରୁ ଭଦ୍ରକ ପୁଲିସ ଅଧିକ୍ଷକ ସୋମବାର ଥାନାଧିକାରୀଙ୍କୁ ପୁଲିସ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଛନ୍ତି । ଏହି ଭାଇରାଲ ଅଡିଓ ସମ୍ପର୍କରେ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଦ୍ୱାରା ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଏସ.ପି. ସୂଚନା ଦେଇଛନ୍ତି । ଏଥିସହ ଥାନାର ସବଇନିସପେକ୍ଟର ଅନୁରାଗ ମହାନ୍ତିଙ୍କୁ ଥାନାଧିକାରୀ ଦାଇତ୍ୱ ଅର୍ପଣ କରାଯାଇଛି । ସୂଚନା ଯୋଗ୍ୟ ଯେ ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ଅଞ୍ଚଳରୁ ବେପରୁଆ ଭାବେ ବାଲି ମାଫିଆମାନେ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ବେଳେ ଧର୍ମକୁ ଆଖିଠାର ମାରି ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥାଏ । ଏପରିକି ଚଢ଼ାଉ ସମ୍ପର୍କରେ କେତେବେଳେ ପୁଲିସ ଓ କେତେବେଳ ତହସିଲ କର୍ମଚାରୀଙ୍କ ଠାରୁ ଆଗୁଆ ଫୋନ ଯୋଗେ ସୂଚନା ପାଇ ବାଲିମାଫିଆମାନେ ଖସିଯିବାକୁ ସକ୍ଷମ ହୋଇଥାନ୍ତି । ଏଥିନେଇ ବିଭିନ୍ନ ସମୟରେ ସଂପୃକ୍ତ ଅଞ୍ଚଳବାସୀଙ୍କ ଅସନ୍ତୋଷ ଓ ବେଆଇନ ବାଲି ପରିବହନ ସମ୍ପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ବି ପ୍ରଶାସନ ପକ୍ଷରୁ ଠିକଣା ପଦକ୍ଷେପ ନିଆଯାଇ ପାରୁ ନାହିଁ । ଭାଇରାଲ ଅଡିଓରେ ଥାନାଧିକାରୀ ସଂପୃକ୍ତ ବ୍ୟକ୍ତିଙ୍କ ସହ ୩୮,୦୦୦ଟଙ୍କା କାରବାର ସମ୍ପର୍କରେ କଥା ହେଉଥିବା ସହ ବିଜେଡିର ଜଣେ ଆଗଧାଡିର ନେତାଙ୍କ ମଧ୍ୟସ୍ଥି ନେଇ ମଧ୍ୟ ଆଲୋଚନା କରିଛନ୍ତି । ତେବେ ଥାନାର ଆଉ କେହି କର୍ମଚାରୀ ଏଥିରେ ଜଡିତ ରହି ଟଙ୍କା ଆଦାୟ କରିଛନ୍ତି କି ନାହିଁ ସେ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି । ବାର୍ତ୍ତାଳପ ଆରମ୍ଭରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଫୋନ ସୁଇଚ ଅଫ କରିବାକୁ କହିବା ସହ ତାଙ୍କର ଭୂମିକା ସମ୍ପର୍କରେ ଇସାରା ଦେଇଛନ୍ତି । ତଦନ୍ତର ମୋଡ କଣ ହେବ ସେଥିନେଇ ଅପେକ୍ଷା କରାଯାଇଛି । ତଦନ୍ତ ଚାଲୁ ରହିଛି, ଆଗାମୀ କାଲି ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବ ବୋଲି ଏସଡିପିଓ ମନୋରଞ୍ଜନ ସାମଲ କହିଛନ୍ତି । ତେବେ ଚାପରେ ବଶବର୍ତ୍ତୀ ହୋଇ ଏହି ଅଡିଓ ମୋର ନୁହେଁ, ମୁଁ ୩ ମାସ ତଳେ କଥା ହୋଇଛି, କିଏ ମୋର ଅଡିଓ ରେକର୍ଡ କରିଲା, ମୁଁ ଜାଣିପାରିନାହିଁ ବୋଲି ସଫେଇ ଦେଇଛନ୍ତି ଅଡିଓ ଭାଇରାଲ ହେଉଥିବା ବାଲିପୋଖରୀ ବାସିନ୍ଦା ମାୟାଧର ନାୟକ । ଏହି ଅଡିଓର ସତ୍ୟତା ଅଛି । ଏଥିନେଇ ସଠିକ୍ ତଦନ୍ତ ହେଲେ ସମସ୍ତ କଥା ସମ୍ମୁଖକୁ ଆସିବ ବୋଲି ସ୍ଥାନୀୟ ଜନସାଧାରଣ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.