Home ଓଡ଼ିଶା ବାବୁଙ୍କ କବଜାରେ ଓଡ଼ିଶା

ବାବୁଙ୍କ କବଜାରେ ଓଡ଼ିଶା

378

ଭୁବନେଶ୍ୱର ୮-୮ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଗତକାଲି ଆଇଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ ରାଜ୍ୟ ସରକାର କରିଛନ୍ତି। ୨୦୧୯ ଶାସନ କ୍ଷମତାକୁ ଆସିବା ପରେ ବିଜେଡ଼ି ସରକାରର ଆଇଏଏସ୍ ସ୍ତରରେ ଏହା ଏକ ବହୁ ପ୍ରତିକ୍ଷିତ ଅଦଳ ବଦଳ ବୋଲି ବେବେଚନା କରାଯାଏ। ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବାପରେ ବିଭିନ୍ନ କ୍ଷେତ୍ରରେ ସରକାରୀ ବାବୁଙ୍କର ଅଦଳ ବଦଳ ପ୍ରକ୍ରିୟା ଚାଲୁ ରହିଥିଲା। ମାତ୍ର ବରିଷ୍ଠ ଆଇଏଏସ୍ ଅଫିସରଙ୍କର ବଦଳିକୁ ରାଜ୍ୟବାସୀ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ। ଗତକାଲିର ତାଲିକା ପ୍ରକାଶ ପରେ ରାଜ୍ୟବାସୀଙ୍କର ପ୍ରଶ୍ନ ହେଉଛି ମତେ ଯେତେ ମାଠିବୁ ମାଠେ ମୁଁ ସେହି ଦରପଡ଼ା କାଟେ। ସେହି କେତେକ ମୁଷ୍ଟିମେୟ ଆଇଏଏସ୍ ବାବୁଙ୍କ ହାତରେ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗକୁ ଅଦଳ ବଦଳ କରାଯାଇଛି। ଏହି ଆଇଏଏସ୍ ବାବୁମାନେ ଦୀର୍ଘ ବର୍ଷ ଧରି ଏକାଧିକ ବିଭାଗର ଦାୟୀତ୍ତ୍ୱ ନେଇ କ୍ଷମତାକୁ ଉପଭୋଗ କରି ଆସୁଛନ୍ତି। ଗତକାଲିର ଅଦଳ ବଦଳର ପରିପନ୍ଥି ମଧ୍ୟ ସେଇଆ। ନବ ନାମିତ “ଲୋକସେବା ଭବନ” (ଯେଉଁଠିକି ଓଡ଼ିଶାର ସାଧାରଣ ଲୋକଙ୍କର ପ୍ରବେଶ ନିଷେଧ)ର ତୃତୀୟ ମହଲା ଅଫିସରଙ୍କ ସହିତ ସୁସମ୍ପର୍କ ଥିବା ବଡ଼ ବାବୁମାନଙ୍କୁ ମିଳିଛି ପୁରସ୍କାର। ଏହି ସଂଖ୍ୟାଗଣିତ ବାବୁମାନଙ୍କ ଛଡ଼ା ରାଜ୍ୟ ସରକାର ଅନ୍ୟ କୌଣସି ବାବୁଙ୍କ ଉପରେ ଭରଷା କରିପାରୁ ନାହାଁନ୍ତି ତାହା ଗତକାଲିର ତାଲିକାରୁ ଜଣାପଡ଼ୁଛି। ଉଦାହରଣ ସ୍ୱରୂପ ରାଜ୍ୟ ପଞ୍ଚାୟତିରାଜ ବିଭାଗର ସଚିବ ଦେଓ ରଞ୍ଜନ ସିଂ, ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ଆଇଏଏସ୍ ଅଫିସର ଜଣକ ପଞ୍ଚାୟତିରାଜ ବିଭାଗର ସଚିବ ଦାୟୀତ୍ତ୍ୱ ତୁଲାଇ ଆସୁଛନ୍ତି। ତାଙ୍କ କାର୍ଯ୍ୟକାଳ ଭିତରେ ତିନିଜଣ ପଞ୍ଚାୟତିରାଜ ମନ୍ତ୍ରୀ ବଦଳି ସାରିଲେଣି। ମାତ୍ର ଏହି ସଚିବ ଜଣକ ବଦଳୁ ନାହାଁନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ, ଓଡ଼ିଶା ସରକାରରେ ଦେଓରଞ୍ଜନ ସିଂଙ୍କଠାରୁ ଅଧିକା ଦକ୍ଷ ଅଫିସର କେହି ନାହାଁନ୍ତି। ଗୋଟିଏ ରାଜ୍ୟ ସରକାରର ମେରୁଦଣ୍ଡ ହେଉଛି ପଞ୍ଚାୟତିରାଜ୍ ବିଭାଗ। ଏହି ବିଭାଗର ସଫଳତାହିଁ ରାଜ୍ୟ ସରକାରଙ୍କର ସଫଳତାର ମାପକାଠି। ଯଦି ବିଜେଡ଼ି ସରକାର ସଫଳତାର ଶୀର୍ଷରେ ପହଁଚିଛି, ତାହା ସରକାରଙ୍କ ଦ୍ୱାରା ପ୍ରଣିତ ପଞ୍ଚାୟତରାଜ ବ୍ୟବସ୍ଥା ଦ୍ୱାରା। ଗତକାଲି ଅଦଳ ବଦଳ ପ୍ରକ୍ରିୟାରେ ଦେଓରଞ୍ଜନ ସିଂଙ୍କୁ ହଟାଇବାତ ଦୂରର କଥା ତାଙ୍କୁ ପଞ୍ଚାୟତିରାଜ ବିଭାଗ ସହିତ ବିଜ୍ଞାନ ଓ କାରିଗରୀ କୌଶଳର ବିଭାଗର ସଚିବ ଭାବେ ଅତିରିକ୍ତ ଦାୟୀତ୍ତ୍ୱ ଦିଆଯାଇଛି। କେବଳ ଏହି ଆଇଏଏସ୍ ଅଫିସର ନୁହଁନ୍ତି ଓଡ଼ିଶା ସରକାର ଅଧିନରେ କାର୍ଯ୍ୟରତ ଅନେକ ଆଇଏଏସ୍ ଅଫିସର ତଥା କଥିତ ତୃତୀୟ ମହଲାକୁ ଖୁସିକରି କ୍ଷମତାକୁ ଉପଭୋଗ କରି ଆସୁଛନ୍ତି। ବରିଷ୍ଠ ଆଇଏଏସ୍ ଅଫିସର ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସହିତ ଗୃହ ବିଭାଗର ଦାୟୀତ୍ତ୍ୱରେ ଥିଲେ। ଗତକାଲି ରାଜ୍ୟ ସରକାର ତାଙ୍କୁ ଦେଲେ କେବିକେର ପ୍ରଶାସକ ହିସାବରେ ଅତିରିକ୍ତ ଦାୟୀତ୍ୱ କାରଣ ସେ ତୃତୀୟ ମହଲାର ଗେହ୍ଲା ପୁଅ। ଏକାଧିକ ତୃତୀୟ ମହଲାର ଗେହ୍ଲାପୁଅ ତାଲିକାରେ ଅଛନ୍ତି, ହେମନ୍ତ ଶର୍ମା, ବିଶାଳ ଦେବ, କିଶନ୍ କୁମାର, ଅନୁ ଗର୍ଗ, ରଞ୍ଜନା ଚୋପ୍ରା ପ୍ରମୁଖ। ଏହି ସମସ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ଏକାଧିକ ବିଭାଗର ସଚିବ ଦାୟୀତ୍ତ୍ୱରେ ଅଛନ୍ତି। ତେଣୁ ଗୋଟିଏ ବିଭାଗର ଦାୟୀତ୍ତୱ ସମ୍ଭାଳିବା କେତେ କାଠିକର ପାଠ ତାହା ସମସ୍ତଙ୍କୁ ଜଣା। ତେଣୁ ଏହି ଅଫିସରମାନେ ଏକାଧିକ ବିଭାଗର ଦାୟୀତ୍ତୱ ନେଇ ରାଜ୍ୟ ସରକାରଙ୍କର 5-T ସୂତ୍ରକୁ କିପରି କାର୍ଯ୍ୟକାରୀ କରିବେ ତାହା ଏକ ବିରାଟ ପ୍ରଶ୍ନବାଚୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.