Home କେନ୍ଦୁଝର ବାତ୍ୟା ୟାସର ପ୍ରଭାବ ,ବ୍ୟାପକ କ୍ଷୟକ୍ଷତି

ବାତ୍ୟା ୟାସର ପ୍ରଭାବ ,ବ୍ୟାପକ କ୍ଷୟକ୍ଷତି

171

ହାଟଡିହି- ୨୬ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ବାତ୍ୟା ୟାସର ପ୍ରଭାବରେ ହାଟଡିହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ସ୍ଥାନରେ ବିରାଟ ବିରାଟ ଗଛ ଭାଙ୍ଗି ପଡିଥିବାବେଳେ ଅନେକ ଗାଁରେ ଚାଳଛପର ଘର ଭାଙ୍ଗି ଯାଇଛି । ଗତକାଲି ଠାରୁ ପ୍ରବଳ ବର୍ଷା ଲାଗି ରହିବାଦ୍ୱାରା ବ୍ଲକର ବିଭିନ୍ନ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକର ୩୧ଟି ଯାକ ପଞ୍ଚାୟତରୁ ୪୭୮୦ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।
ଗତକାଲି ରାତିଠାରୁ ତୁହାକୁ ତୁହା ବର୍ଷା ସହିତ ପବନ ଲାଗିରୌହିଥିବାବେଳେ ଆଜି ସକାଳ ୧୦ଟା ଠାରୁ ପବନର ବେଗ ବଢ଼ିବା ସହ ବର୍ଷାର ପରିଣାମ ବଢ଼ିଥିଲା । ଗତକାଲି ବ୍ଲକରେ ୫୦.୪ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଆଜି ସକାଳୁ ୧୦୫.୨ ମିଲିମିଟର ବର୍ଷା ହୋଇଛି । ଦିନ ୧୦ଟା ପରେ ୮୦ରୁ ୯୦ କିଲୋମିଟର ପବନ ବହିବା ଫଳରେ ଅନେକ ସ୍ଥାନରେ ଗଛସବୁ ଭାଙ୍ଗି ପଡିଛି । ଛେନାପଦି ହଦଗଡ ରାସ୍ତାରେ ଅନେକ ଗଛ ଭାଙ୍ଗିପଡିଥିବାରୁ ରାଉରକେଲାରୁ ଆସିଥିବା ଓଡ୍ରାଫ୍ଟର ଏକ ଦଳ ପହଞ୍ଚି ଗଛଗୁଡିକ କାଟି ସଫା କରିଛନ୍ତି । ସେହିପରି ସମଣା ପଞ୍ଚାୟତର ଗିରିଗାଁ ଗ୍ରାମରେ ଦୁଇଟି ଗଛ ଭାଙ୍ଗି ପଡିଛି । ସଢ଼ା ସ୍କୁଲ ନିକଟରେ ଏକ ଗଛ ଭାଙ୍ଗି ପଡିବାରୁ ରାସ୍ତା ଅବରୋଧ ହୋଇଥିବାବେଳେ କପୁଣ୍ଡି ଗାଁ ରାସ୍ତାରେ ଏକ ବିରାଟ ବରଗଛ ଉପୁଡି ପଡିବାରୁ ଗମନା ଗମନ ବାଧାପ୍ରାପ୍ତ ହୋଇଛି । ବଞ୍ଚୋ ଶିବନାରାୟଣପୁର ରାସ୍ତାରେ ଏକ ଗଛ ଭାଙ୍ଗି ପଡିବାରୁ ଗମନା ଗମନ ବାଧାପ୍ରାପ୍ତ ହୋଇଛି । ସେହିପରି ପଢ଼ିଆରିପଲ୍ଲୀ ପଞ୍ଚାୟତର ପଢ଼ିଆରିପଲ୍ଲୀ, ଦନେଇପୁର, କାହାଳିଆଗଡିଆ, ଝୁଣାବାଡି , ବଣିଆପଙ୍କ ପ୍ରଭୃତି ଗାଁରେ ଅନେକ ଗଛ ଭାଙ୍ଗିପଡିବା ସହ କେତେକଙ୍କ ଚାଳଘର ଭୁଷୁଡି ପଡିଥିବା ସରପଞ୍ଚ ସୁଚନା ଦେଇଛନ୍ତି । ସେହିପରି ପନ୍ଦାଡୋ ଗ୍ରାମର ହେମନ୍ତ ସାମଲଙ୍କ ଏକ ଚାଳଘରର କାନ୍ଥ ଗୁଡିକ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ଶାଳଣିଆଁ ଓ ଡଅଁର ଗ୍ରାମରେ ମଧ୍ୟ ଅନେକ ଗଛ ଭାଙ୍ଗି ପଡିବା ସହ ବିଦ୍ୟୁତ ତାର ଛିଣ୍ଡି ତଳେ ପଡିଛି । ପ୍ରବଳ ବର୍ଷା ଯୋଗୁଁ ପାହାଡରୁ ପାଣିଆସି ଶାସଙ୍ଗ ପଞ୍ଚାୟତର ଶାସଙ୍ଗ, ଛେନାପଦି, ବଡତୀରା, ଗଳିଗୋପାଳପୁର, ଚୋରଗଡିଆ, ଗୋପାଳପୁର ଆଦି ଗ୍ରାମର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ଯାଇଛି । ତହସିଲ ପ୍ରଶାସନ ପକ୍ଷରୁ ଅପରାହ୍ନରେ ଟିକେ ବର୍ଷା କମିବାରେ ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରୁଥିବା ଜଣାଯାଇଛି । ଅପରାହ୍ନରେ ପ୍ରକଳ୍ପ ନିର୍ଦ୍ଦେଶକ ଡ. ଉଦ୍ଧବ ଚରଣ ମାଝୀ, ଉପଜିଲ୍ଲାପାଳ ସରୋଜ କୁମାର ଦତ୍ତ ପ୍ରମୁଖ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ବିନିତା ବିଜୟିନୀଙ୍କ ସହ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ଗତକାଲି ମଧ୍ୟାହ୍ନ ଠାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇ ଥିବାରୁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.