ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ଅଧିନସ୍ଥ ଚାନ୍ଦବାଲି ଠାରେ ଥିବା ଉପଖଣ୍ଡ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ଚାଲିଛି ଦ୍ୱନ୍ଦ। ଫଳରେ ଦୀର୍ଘ ୧ ମାସ ହେବ ଏହି ଅଫିସରେ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ପ୍ରାପ୍ତ ଖବର ୨୦୨୩ ମସିହାରେ ଶ୍ରଦ୍ଧାଞ୍ଜଳି ସାହୁ ଜଳ ସମ୍ପଦ ବିଭାଗରୁ ଡେପୁଟେସନରେ ଆସି ବାଣିଜ୍ୟ ବିଭାଗରେ କନିଷ୍ଠଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ। ଗତ ୧୦ଅକ୍ଟୋବରରେ ଜଳ ସମ୍ପଦ ବିଭାଗ ପୁନଶ୍ଚ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ଫେରାଇ ନେବା ପାଇଁ ବାଣିଜ୍ୟ ବିଭାଗର ନିର୍ଦେଶକଙ୍କୁ ଚିଠି କରିଥିଲେ ଏବଂ ସଂପୃକ୍ତ ସାହୁଙ୍କ ବଦଳରେ ଅର୍ଜୁନ ଦାସଙ୍କୁ ଚାନ୍ଦବାଲିରେ ନିଯୁକ୍ତି ଦେବାକୁ ମଧ୍ୟ ଏହି ଚିଠିରେ ଉଲ୍ଲେଖ ହୋଇଥିଲା। ଏହି ବଦଳି ଆଦେଶ ଆସିବା ପରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସାହୁ ଛୁଟିରେ ଅଛନ୍ତି ବୋଲି ବାଣିଜ୍ୟ ବିଭାଗର ନିର୍ଦେଶକଙ୍କ ପତ୍ରରୁ ଜଣାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳି ସାହୁ ବାଣିଜ୍ୟ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଚାନ୍ଦବାଲି ବାଣିଜ୍ୟ ବିଭାଗର ମେକାନିକାଲ ଡିଭିଜନରେ ନିର୍ବାହୀଯନ୍ତ୍ରୀ ତଥା ଉପଖଣ୍ଡ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି। ଜଣେ କନିଷ୍ଠଯନ୍ତ୍ରୀଙ୍କୁ ଏପରି ଦାୟିତ୍ୱ ପ୍ରଦାନର ପ୍ରଶାସନିକ ଆଧାର , ଅନୁମୋଦନ ଓ ନିୟମାନୁଗତ କଣ ଥିଲା ତାହା ସାର୍ବଜନୀନ ହେବାର ଆବଶ୍ୟକତା ଅଛି ବୋଲି ଅଂଚଳବାସୀ ଦାବୀ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ ଖବର ହେଉଛି ଚାନ୍ଦବାଲିରୁ ବାଣିଜ୍ୟ ବିଭାଗ ଅଧିନରେ ଥିବା ଆର୍ନ୍ତଜିଲ୍ଲା ଜଳପଥ ରେ ଆର୍ନ୍ତଜିଲ୍ଲା (ଚାନ୍ଦବାଲି-ତାଳଚୁଆ, ଚାନ୍ଦବାଲି- ଆରଡି, ଚାନ୍ଦବାଲି- ଧାମରା )କୁ ସବୁଦିନ ଯାତ୍ରୀବାହୀ ଲଂଚ ସେବା ଚାଲୁ ରହିଛି। ଏହି ଲଂଚ ସେବା ପାଇଁ ସବୁଦିନ ଚାନ୍ଦବାଲି ଠାରେ ଥିବା ଏକ ବେସରକାରୀ ଡିଜେଲ ଟାଙ୍କିରୁ ଡିଜେଲ ଆସିଲେ ଏହି ସେବା ଯୋଗାଇ ଦିଆଯାଇଥାଏ। ମାତ୍ର ଚାନ୍ଦବାଲି ଅଫିସରେ ଉପଖଣ୍ଡ ଅଧିକାରୀ ଦାୟିତ୍ୱରେ ଥିବା ଅଧିକାରୀ ଦୀର୍ଘ ୧ମାସରୁ ଉର୍ଧ ହେବ ଛୁଟିରେ ଥିବା ବେଳେ ସେ ଏହି ଦାୟିତ୍ୱ କାହାରିଙ୍କୁ ଦେଇ ନାହାନ୍ତି ଫଳରେ ଦିନକୁ ଦିନ ଚାନ୍ଦବାଲି ଠାରେ ଥିବା ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାଣୁ ପାଲଟିଛି ଏଥିସହ ଚାନ୍ଦବାଲିରୁ ଦୈନଦିନ ଯାତାୟତ କରୁଥିବା ଯାତ୍ରୀବାହୀ ଲଂଚ ଗୁଡିକ ଡିଜେଲ ଅଭାବରୁ ସେବା ଯୋଗାଇବା ମଧ୍ୟ କଷ୍ଟସାଧ୍ୟ ହୋଇ ପଡିଛି ବୋଲି ଏକ ଅସମର୍ଥିତ ସୂତ୍ରରୁ ଜଣାଯାଇଛି। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣଯନ୍ତ୍ରୀ ସୌମ୍ୟରଞ୍ଜନ ପତ୍ରି ଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟ ଉତର ମିଳି ପାରି ନଥିଲା। ଏହି ସମସ୍ତ ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ହେବା ସହ ମୁଖ୍ୟ ଶାସନ ଶଚିବ , ପରିବହନ ବିଭାଗର ପ୍ରମୁଖ ଶାସନ ଶଚିବ ଏବଂ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ଶଚିବ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାରକୁ ନେବା ଆବଶ୍ୟକ । ଏଥିସହ ଦୁଇ ବିଭାଗ ମଧ୍ୟରେ ଜାରି ହୋଇଥିବା ବଦଳି ଆଦେଶର କାର୍ଯ୍ୟକାରିତା ସଂପୃକ୍ତ କର୍ମଚାରୀଙ୍କ ଛୁଟି ସ୍ଥିତି ଏବଂ ଚାନ୍ଦବାଲି ରେ ଲଂଚ ସେବା ଏବଂ ଭୂପେନ ହଜାରିକା ବାର୍ଜରେ ୮୦ହଜାର ଲିଟର ଡିଜେଲ ଚୋରୀ ସମ୍ପର୍କରେ ନିରପେକ୍ଷ ଓ ତଥ୍ୟଭିତିକ ତଦନ୍ତ କରାଯାଇ ପ୍ରଶାସନିକ ଓ ଆବଶ୍ୟକସ୍ଥଳେ ଶୃଙ୍ଖଳାଗତ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଖୁବଶୀଘ୍ର ଏହି ବାବଦରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦାଖଲ କରାଯିବ ବୋଲି ଚନ୍ଦ୍ରଶେଖର ଜେନା ନିଜର ପ୍ରତିକ୍ରିୟା ରଖିଛନ୍ତି।
Home ଜିଲ୍ଲା ପରିକ୍ରମା ବାଣିଜ୍ୟ ବିଭାଗରେ ଏସଡିଓ ନିଯୁକ୍ତିକୁ ନେଇ ଦ୍ୱନ୍ଦ, ଚାନ୍ଦବାଲି ଉପଖଣ୍ଡ ଅଧିକାରୀଙ୍କ ଅଫିସରେ ସମସ୍ତ କାର୍ଯ୍ୟ...








