Home ଜିଲ୍ଲା ପରିକ୍ରମା ଧୂଷୁରୀ–ହସନାବାଦ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ,ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି,...

ଧୂଷୁରୀ–ହସନାବାଦ ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ,ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି, ଥାନାରେ ଅଭିଯୋଗ

1

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ର ଧୂଷୁରୀ–ହସନାବାଦ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରି ଠିକାଦାର ଓ ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି ଉଠାଇଛନ୍ତି ଧୂଷୁରୀ–ହସନାବାଦ ଅଂଚଳବାସୀ। ଏହି ଘଟଣାକୁ ନେଇ ଧୂଷୁରୀ ହୃଦାନନ୍ଦ ପାଠାଗାର ପରିସରରେ ଗୁରୁବାର ସନ୍ଧ୍ୟା ୫ ଘଟିକା ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।ଧୂଷୁରୀ ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟ ପ୍ରଦୀପ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ସାମ୍ୟବାଦୀ ନେତା ଚନ୍ଦ୍ରଶେଖର ନାୟକ, ହସନାବାଦ ସରପଞ୍ଚ ଅଜୟ ମଲ୍ଲିକ, ଧୂଷୁରୀ ସେବା ସମବାୟ ସମିତିର ସଭାପତି ସନ୍ଦୀପ ଶଙ୍କର ସ୍ୱାଇଁ, ହସନାବାଦ ପଂଚାୟତ ବିଜେଡି ସଭାପତି ଦେବେନ୍ଦ୍ର ପଣ୍ଡା, ବରିଷ୍ଠ ନେତା ଉମେଶ ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ନାୟକ, ଯୁଧିଷ୍ଠିର ମହାପାତ୍ର, ସନ୍ତୋଷ ରାୟ ଓ ବିଜୟ ସାହୁଙ୍କ ସମେତ ବହୁ ଅଂଚଳବାସୀ ଉପସ୍ଥିତ ଥିଲେ। ଅଭିଯୋଗ ଅନୁଯାୟୀ, ଧୂଷୁରୀ ଠାରୁ ହସନାବାଦ ଭାୟା ପଙ୍ଗଟା ରାସ୍ତା ନିର୍ମାଣ ପାଇଁ ଆର୍ରଡି ବିଭାଗ ପକ୍ଷରୁ ପ୍ରାୟ ୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ କାର୍ଯ୍ୟ ଶେଷ ହେବାର ମାତ୍ର ତିନି ମାସ ମଧ୍ୟରେ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ରାସ୍ତାର ଉଭୟ ପାର୍ଶ୍ୱ ଦବିଯାଇ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏପରିକି ରାସ୍ତା ଓ ବ୍ରିଜ୍‌ର ଆପ୍ରୋଚ୍ ରୋଡ୍‌ର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି।ଅଭିଯୋଗ ଅନୁସାରେ, ରାସ୍ତାର ଉଭୟ ପାର୍ଶ୍ୱ ପୋତିବା ପାଇଁ ଏଷ୍ଟିମେଟ୍‌ରେ ବାଲି ବ୍ୟବହାର କରିବାର ବ୍ୟବସ୍ଥା ଥିବାବେଳେ ଏହା ବଦଳରେ ମାଟି ପକାଯାଇ କାର୍ଯ୍ୟ କରାଯାଇଛି। ଫଳରେ ଭାରୀଯାନ ଯାତାୟାତ ସମୟରେ ରାସ୍ତାର ବିଭିନ୍ନ ସ୍ଥାନ ଦବିବା ସହ ଫାଟ ସୃଷ୍ଟି ହେଉଛି। ସେହିପରି ଢଳେଇ କାର୍ଯ୍ୟରେ ମଧ୍ୟ ଆବଶ୍ୟକୀୟ ଗୁଣବତା ରକ୍ଷା କରାଯାଇନଥିବା ଅଭିଯୋଗ ହୋଇଛି।ଏ ସମ୍ପର୍କରେ ସ୍ଥାନୀୟ ଲୋକେ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଂଚଳବାସୀ କହିଛନ୍ତି। ଠିକାଦାର ଓ ସମ୍ପୃକ୍ତ ଯନ୍ତ୍ରୀଙ୍କ ମଧ୍ୟରେ ଅସାଧୁ ବୁଝାମଣା ଯୋଗୁଁ ନିମ୍ନମାନର କାର୍ଯ୍ୟ ସତ୍ୱେ ବିଲ୍ ପାସ୍ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ରୂପକ କୁମାର ମୁଣ୍ଡାଙ୍କ ବିରୋଧରେ ମଧ୍ୟ ବିଭାଗୀୟ ତଦନ୍ତ ଦାବି କରାଯାଇଛି।ସାମ୍ବାଦିକ ସମ୍ମିଳନୀରେ ଅଂଚଳବାସୀ ଚାରି ଦଫା ଦାବି ଉପସ୍ଥାପନ କରିଛନ୍ତି। ସେଗୁଡ଼ିକ ହେଲା ରାସ୍ତା ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ, ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଭିଜିଲାନ୍ସ ତଦନ୍ତ, ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ଭିଜିଲାନ୍ସ ତଦନ୍ତ ଏବଂ ଖରାପ ହୋଇଥିବା ସମସ୍ତ ସ୍ଥାନରେ ଠିକାଦାରଙ୍କ ଖର୍ଚ୍ଚରେ ପୁନଃ ନିର୍ମାଣ କରାଇବା। ଏଥିସହିତ ରାସ୍ତା ନିର୍ମାଣରେ ଦାୟିତ୍ୱ ନିର୍ବାହରେ ଅବହେଳା ଓ ଅନିୟମିତତା ଅଭିଯୋଗ ଆଣି ସମ୍ପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଠିକାଦାରଙ୍କ ବିରୋଧରେ ଧୂଷୁରୀ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ତେଣୁ ତୁରନ୍ତ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ସହ ରାସ୍ତାର ସ୍ଥାୟୀ ମରାମତି କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.