ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବ୍ରାହ୍ମଣଗାଁ ପଂଚାୟତର ଚନ୍ଦିଆ ଗ୍ରାମରେ ବାଡ଼ ପୋତାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ତୁମୁଳ ଗଣ୍ଡଗୋଳ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଉଭୟ ପକ୍ଷର କିଛି ଲୋକ ଆହତ ହୋଇଥିବା ବେଳେ ସୁମିତ୍ରା ବେହେରା ଓ ତାଙ୍କ ପୁଅ ଶିବ ପ୍ରସାଦ ବେହେରା ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ମା’–ପୁଅଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟିବାରୁ ଡାକ୍ତରମାନେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ବର୍ତମାନ ସେମାନେ ସେଠାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଘଟଣାକୁ ଆଜି ଚାରି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଦୃଶ୍ୟମାନ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛନ୍ତି ପୀଡ଼ିତ ପରିବାର। ଅଭିଯୁକ୍ତଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ବାସୁଦେବପୁର ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ତେବେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇଛି କି ନାହିଁ କିମ୍ବା କେଉଁ ଧାରାରେ ମାମଲା ରୁଜୁ ହୋଇଛି, ସେନେଇ ସରକାରୀ ଭାବେ ସ୍ପଷ୍ଟ ସୂଚନା ମିଳିନାହିଁ।








