Home ଜିଲ୍ଲା ପରିକ୍ରମା ବାଟସାରା ହାଟ ଅସ୍ଥାୟୀ ମାର୍କେଟରେ ଛାଟ

ବାଟସାରା ହାଟ ଅସ୍ଥାୟୀ ମାର୍କେଟରେ ଛାଟ

210

ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କରୋନା କଟକଣା ହେତୁ ଏବେ ନୟାଗଡ଼ ବ୍ରଜେନ୍ଦ୍ର ହାଇସ୍କୁଲ ପଡ଼ିଆରେ ଅସ୍ଥାୟୀ ପରିବା ମାର୍କେଟ ହେଉଛି। ବଜାର ମଧ୍ୟସ୍ଥଳରେ ପରିବା ବିକା କିଣାକୁ ନେଇ ଜନଗହଳି ହେଉଥିବା ଯୋଗୁଁ ଏପରି ଅସ୍ଥାୟୀ ପରିବା ମାର୍କେଠ କରାଯାଇଛି। ହେଲେ ଅସ୍ଥାୟୀ ପରିବା ମାର୍କେଟରେ ଯେତିକି ଲୋକ ନାହାନ୍ତି ତା’ଠୁ ଅଧିକ ରାସ୍ତା କଡ଼ରେ ନୂଆ ପରିବା ହାଟରେ ଲୋକଙ୍କ ଦେଖିବାକୁ ମିଳୁଛି। ରାସ୍ତାସାରା ବାଟରେ ପରିବା ହାଟରେ ଜନଗହଳି ହେଉଛି। ଯେଉଁଠି ଦେଖିବ ସେଥି ପରିବା ହାଟ। ନୟାଗଡ଼ ବଜାରର ମଧ୍ୟସ୍ଥଳକୁ ଛାଡ଼ିଦେଲେ ତ୍ରିନାଥଛକ, ନୟାଗଡ଼ କଲେଜ ସାମନା ରାସ୍ତାକଡ଼, ମାର୍ଥାକଲୋନୀ ସାମନା, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଘଢୁଆଳ ଠାରୁ ପ୍ରତାପପ୍ରସାଦ ପର୍ଯ୍ୟନ୍ତ ରାସ୍ତାକଡ଼, ଖଣ୍ଡପଡ଼ାଛକ ଠାରୁ ବାଲୁଗାଁ ପର୍ଯ୍ୟନ୍ତ ରାସ୍ତାକଡ଼ ଏପରିକି ରାସ୍ତାକଡ଼ର ପ୍ରାୟ ବିଭିନ୍ନ ସ୍ଥାନରେ ପରିବା ହାଟ ଦେଖିବାକୁ ମିଳୁଛି। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ  ରହିବା ନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ରହିଥିଲାବେଳେ କେବଳ ଅସ୍ଥାୟୀ ପରିବା ମାର୍କେଟକୁ ଛାଡ଼ିଦେଲେ ଆଉ କେଉଁଠି ନୀତି ନିୟମ ଦେଖିବାକୁ ମିଳୁନାହିଁ। ନା ଅଛି କଟକଣା ନା ଅଛି ପ୍ରଶାସନ ନିୟମକୁ ଭୟ। ବିନା ଦ୍ୱିଧାରେ ବାଟସାରା ହାଟର ଭ୍ରମ ସୃଷ୍ଟି କରିଥିବାବେଳେ ଅସ୍ଥାୟୀ ପରିବା ମାର୍କେଟରେ ପ୍ରଶାସନର ଛାଟ ଲାଗୁଥିବାରୁ କେତେକ ବ୍ୟବସାୟୀ ଏଥିନେଇ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ୨ଟା ହେଇଗଲେ ପ୍ରଶାସନ ପକ୍ଷରୁ ଆମ ଉପରେ ଛାଟ ଲାଗୁଥିବାବେଳେ ରାସ୍ତାକଡ଼ରେ ଅନ୍ୟମାନେ ପରିବା ହାଟ କରି ମନଇଛା ସନ୍ଧ୍ୟା ସୁଦ୍ଧା ରହୁଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଯାହାକି ଆମେ ଯେଉଁ ପରିବା ପତ୍ର ବିକ୍ରି କରିବାକୁ ଆଣିଥିବୁ ଆମର ବହୁ କ୍ଷତି ହେଉଥିବା କେତେକ ପରିବା ବ୍ୟବସାୟୀ ଅସନ୍ତୋଷ ପ୍ରକାଶ କରି କହିଛନ୍ତି। କରୋନା ଭୟାବହତା ସହ ସାମାଜିକ ଦୂରତ୍ୱ ରକ୍ଷା ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ଠାରେ ଅସ୍ଥାୟୀ ପରିବା ମାର୍କେଟ କରାଯାଇଥିଲା। ପ୍ରଥମେ ଏଠାରେ ପରିବା ମାର୍କେଟ ଚାଲିଥିବାବେଳେ ଲୋକମାନଙ୍କ ଗହଳ ଚହଳକୁ ଲକ୍ଷ୍ୟ ରଖି ପରେ ପୋଲିସ ଟ୍ରେନିଂ ସ୍କୁଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାକୁ ପରିବା ପତ୍ର କିଣି ଯିବାକୁ ଗ୍ରାହକଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ପୁନର୍ବାର ବଜାର ମଧ୍ୟରେ ଯେମିତି ଆଗରୁ ପରିବା ମାର୍କେଟ ଚାଲିଥିଲା ସେମିତି ଚାଲିଥିଲା। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍‌ନା ଦୁର୍ଗା ମଣ୍ଡପରେ ନୂଆକରି ପରିବା ମାର୍କେଟ ସହ ପୁରୁଣା ଜେଲ ପଛପାଶ୍ୱରେ ପରିବା ବେପାରୀମାନେ ପରିବାପତ୍ର ବିକ୍ରି କରିଥିଲେ। ହେଲେ ବଜାରରେ ଲୋକମାନଙ୍କ ଅସମ୍ଭବ ଭିଡ଼କୁ ଲକ୍ଷ୍ୟ କରି ପୁଣି ବ୍ରଜେନ୍ଦ୍ର ହାଇସ୍କୁଲ ପଡ଼ିଆକୁ ପରିବା ମାର୍କେଟ ଘୁଂଚିଥିଲା। ଏବେ ବ୍ରଜେନ୍ଦ୍ର ହାଇସ୍କୁଲ ଠାରେ ଅସ୍ଥାୟୀ ପରିବା ମାର୍କେଟ ଚାଲିଛି। ହେଲେ ଅସ୍ଥାୟୀ ପରିବା ମାର୍କେଟରେ ପ୍ରଶାସନର ଛାଟ ଲାଗୁଥିଲାବେଳେ ରାସ୍ତାରେ ବସିଥିବା ହାଟରେ ଜନ ଗହଳି ସହ ସମୟ ପରିଧିର କିଛି ମାନେ ନଥିବାରୁ ଏଥିପ୍ରତି ଅଙ୍କୁଶ ଲାଗିବା ନେଇ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.