Home ଜିଲ୍ଲା ପରିକ୍ରମା ବହୁମୁଖୀ ବାତ୍ୟାଶ୍ରୟ ରକ୍ଷଣାବେକ୍ଷଣ ଓ ପରିଚାଳନା ନେଇ ଜିଲ୍ଲାସ୍ତରୀୟ କର୍ମଶାଳା

ବହୁମୁଖୀ ବାତ୍ୟାଶ୍ରୟ ରକ୍ଷଣାବେକ୍ଷଣ ଓ ପରିଚାଳନା ନେଇ ଜିଲ୍ଲାସ୍ତରୀୟ କର୍ମଶାଳା

47

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବାତ୍ୟାଶ୍ରୟ ପରିଚାଳନାରେ ରହୁଥିବା ତୃଟି, ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ନେଇ ପରିଚାଳନା କମିଟି ସଦସ୍ୟମାନଙ୍କର ଦାୟିତ୍ୱ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ଆଭିମୁଖ୍ୟ ନେଇ ଆଜି ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତ୍ରିଲୋଚନ ମାଝୀ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମଧୁ ସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ), ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲି, ରିସୋର୍ସ ପର୍ସନ ଭାବେ ଭୁବନେଶ୍ୱରରୁ ଆସିଥିବା ଓସଡ଼ମାର ଏସ୍‌.ଏମ୍‌.ଆଣ୍ଡ ସି.ଆଇ.ଏକସ୍‌ପର୍ଟ ମେଘନାଦ ବେହେରା ପ୍ରମୁଖ ଏହି କର୍ମଶାଳରେ ଯୋଗ ଦେଇଥିଲେ । ବି.ଡ଼ି.ଓ. ବାସୁଦେବପୁର ର ସତ୍ୟଜିତ୍ ରାଉତ ଏବଂ ଚାନ୍ଦବାଲିର ଜ୍ୟୋତିବିକାଶ ଦାଶ, ୨୮ଟି ବାତ୍ୟାଶ୍ରୟ ସ୍ଥଳୀ ପରିଚାଳନା କମିଟିର ସଭାପତି ଭାବେ ସଂପୃକ୍ତ ସରପଞ୍ଚ, ସମ୍ପାଦକ ଓ ଅନ୍ୟ ସଦସ୍ୟମାନେ ପ୍ରଶିକ୍ଷାର୍ଥୀ ଭାବେ ଏହି କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ବିପର୍ଯ୍ୟୟକୁ ରୋକି ପାରିବା ନାହିଁ, କିନ୍ତୁ ବିପର୍ଯ୍ୟୟ ସମ୍ବନ୍ଧରେ ସୂଚନା ପାଇଲା ମାତ୍ରେ ସମ୍ଭାବ୍ୟ ବିପଦର ଆକଳନ କରି ତାର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ସହ ସଚେତନ ଓ ସତର୍କତା ଅବଲମ୍ବନ କଲେ ବିପର୍ଯ୍ୟୟର କୁପ୍ରଭାବକୁ କେତେକାଂଶରେ ନିଶ୍ଚୟ ପ୍ରତିହତ କରିପାରିବା । ବିପର୍ଯ୍ୟୟ ଖବର ଶୁଣିବା ପରେ ବି ଯଦି ସାମାନ୍ୟତମ ଅବହେଳା କରାଯାଏ ସ୍ଥଳ ବିଶେଷରେ ହୁଏତ ତା ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିପାରେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟ ପ୍ରସଙ୍ଗରେ ପ୍ରଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଏହି ସବୁ ବିଷୟ ଉପରେ ଆଲୋକପାତ କରିଥିଲେ । ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ବେଳେ ବୃଦ୍ଧ, ବୃଦ୍ଧା, ଗର୍ଭବତୀ, ଶିଶୁ, ରୋଗୀ, ଗୃହପାଳିତ ପଶୁ ଆଦିମାନଙ୍କ କ୍ଷେତ୍ରରେ ଅଧିକ ଯତ୍ନଶୀଳ ହେବା ଦରକାର । ଏହି ସ୍ଥାନାନ୍ତର ବେଳେ ବିଭାଗୀୟ ସରକାରୀ ଅଧିକାରୀମାନଙ୍କ ଅପେକ୍ଷା ଲୋକଙ୍କୁ ବୁଝାଇବା ଦିଗରେ ପରିଚାଳନା କମିଟିର ସଦସ୍ୟମାନଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । ଲୋକମାନଙ୍କୁ ଆଶ୍ରୟ ସ୍ଥଳୀକୁ ଆଣିବା ପରେ ସେମାନଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦେବା ମଧ୍ୟ ଆମର ଦାୟିତ୍ୱ । ସ୍ଥାନାନ୍ତର ପୂର୍ବରୁ ବାତ୍ୟାଶ୍ରୟ କୋଠାର ସ୍ଥିତାବସ୍ଥା, ଶୌଚାଳୟ ଏବଂ ପରିବେଶ ର ପରିଚ୍ଛନ୍ନତା, ବାତ୍ୟାଶ୍ରୟ ପରିଚାଳନା ପାଇଁ ପ୍ରଦତ୍ତ ସମସ୍ତ ଉପକରଣ ବ୍ୟବହାର ଉପଯୋଗୀ ସମ୍ବନ୍ଧୀୟ ତଦାରଖ, ଉପକରଣ ବ୍ୟବହାରକାରୀ ଲୋକର ଦକ୍ଷତା ଆଦି ସମ୍ବନ୍ଧରେ ସଚେତନ ଓ ପରୀକ୍ଷଣ ପୂର୍ବକ ପ୍ରସ୍ତୁତି ରହିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା ।

ଶ୍ରାବ୍ୟ ଓ ଦୃଶ୍ୟ ଫଳକ ମାଧ୍ୟମରେ ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ତଥ୍ୟମୂଳକ ସୂଚନା ପ୍ରଦାନ ସହ ପରିଚାଳନା କମିଟିର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଦରେ ବିଶେଷ ଜ୍ଞାନ ପ୍ରଦାନ କରାଯାଇଥିଲା । ଅନ୍ୟ ସମୟରେ ବାତ୍ୟାଶ୍ରୟସ୍ତଳୀକୁ କମିଟି ଦ୍ୱାରା ଧାର୍ଯ୍ୟ ଦରରେ ଭଡ଼ା ସୂତରେ ବ୍ୟବହାର କରାଯିବା, ବିଭାଘର, ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ବୈଠକ ଆଦି ସାମୂହିକ କାର୍ଯ୍ୟକ୍ରମରେ ଏହି ସ୍ଥଳୀକୁ ଉପଯୋଗ କରାଯାଇ ପାରିବା ସମ୍ବନ୍ଧରେ ମଧ୍ୟ ସୂଚନା ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟକି ଭଦ୍ରକ ଜିଲ୍ଲାରେ ଥିବା ସମୁଦାୟ ୧୦୪ଟି ବାତ୍ୟାଶ୍ରୟ ସ୍ଥଳୀରୁ ୮୪ଟି କେବଳ ବାସୁଦେବପୁର ଓ ଚାନ୍ଦବାଲିରେ ଅଛି । ଜିଲ୍ଲାର ଅତ୍ୟଧିକ ବାତ୍ୟା ବନ୍ୟା ପ୍ରବଣ ଅଞ୍ଚଳ ଭାବେ ବିବେଚିତ ବାସୁଦେବପୁର ର ୪୯ଟି ଓ ଚାନ୍ଦବାଲିରେ ୩୫ଟି ଆଶ୍ରୟସ୍ଥଳୀ ଅଛି । ଏବେ ସିଏମ୍‌ଆର୍‌ଏଫ୍ ଯୋଜନାରେ ବାସୁଦେବପୁର ବାଲିମେଦ ଠାରେ ଗୋଟିଏ ବାତ୍ୟାଶ୍ରୟ ର ନିର୍ମାଣାଧୀନ ଥିବା ନେଇ ମଧ୍ୟ ଶିବିରରେ ସୂଚନା ଦିଆଯାଇଥିଲା । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ୱରର ପୃଷ୍ଠପୋଷକତାରେ ଜିଲ୍ଲା ଜରୁରୀ ପରିଚାଳନା କେନ୍ଦ୍ର ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଭଦ୍ରକ ଦ୍ୱାରା ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ବାକିଥିବା ଅନ୍ୟ ବାତ୍ୟାଶ୍ରୟ ପରିଚାଳନା କମିଟିର ସଦସ୍ୟମାନଙ୍କ ପାଇଁ ଆଗକୁ ଏହି ଭଳି ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯିବା ନେଇ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.