Home କେନ୍ଦ୍ରାପଡ଼ା ବଳଦେବ ଉଚ୍ଚ ବିଦ୍ୟାଳୟ : ୧୦ଟି ଶ୍ରେଣୀ ପାଇଁ ୮ ଶିକ୍ଷକ ୬ଷ୍ଟ, ୭ମ...

ବଳଦେବ ଉଚ୍ଚ ବିଦ୍ୟାଳୟ : ୧୦ଟି ଶ୍ରେଣୀ ପାଇଁ ୮ ଶିକ୍ଷକ ୬ଷ୍ଟ, ୭ମ ଓ ୮ମ ଶ୍ରେଣୀ ପାଇଁ ଶିକ୍ଷକ ନାହାଁନ୍ତି

77

କେନ୍ଦ୍ରାପଡ଼ା, ୨୮-୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସହରରେ ଥିବା ବଳଦେବ ଉଚ୍ଚ ବିଦ୍ୟାଳୟ ୧୯୫୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ବେଳେ ଏବେ ଶିକ୍ଷକ ସମସ୍ୟା ଶିକ୍ଷାଦାନ କ୍ଷେତ୍ରରେ ଘୋର ଅନ୍ତରାୟ ସୃଷ୍ଟି କରିଛି। ଏହି ବିଦ୍ୟାଳୟରୁ ବହୁ ପିଲା ପାଠ ପଢି ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି। କିନ୍ତୁ ଏବେ ସରକାରଙ୍କ ବୈମାତୃକ ମନୋଭାବ ବିଦ୍ୟାଳୟର ଶିକ୍ଷାଦାନ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରୁଛି। ଏହି ବିଦ୍ୟାଳୟରେ ଏବେ ୪୪୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ପ୍ରାଥମିକ ବିଦ୍ୟାଳୟ(ପ୍ରଥମରୁ ପଞ୍ଚମ ଶ୍ରେଣୀ) ପାଇଁ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ। ତେଣୁ ଗୋଟିଏ ଶ୍ରେଣୀରେ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲା ବସି ପାଠ ପଢନ୍ତି। ଆଉ ଏକ ଶ୍ରେଣୀରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ମିଶିକି ପାଠ ପଢନ୍ତି। ଗୋଟିଏ କକ୍ଷରେ ଦୁଇଟି ଶ୍ରେଣୀର ପିଲା ପାଠ ପଢିଲେ ଶିକ୍ଷକ କାହାକୁ ପାଠ ପଢାଇବେ ଓ ଶିକ୍ଷକଙ୍କ ଠାରୁ କିଏ ଶୁଣିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଏକ ବିଦ୍ୟାଳୟ ନୁହେଁ ଗୃପ ଟ୍ୟୁସନର ଭ୍ରମ ସୃଷ୍ଟି କରୁଛି ବୋଲି ଜଣେ ପୂର୍ବତନ ଛାତ୍ର କହିଛନ୍ତି। ଠିକ ସହିପରି ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପାଇଁ କୈାଣସି ଶିକ୍ଷକ ନାହାଁନ୍ତି। ତେଣୁ ଏହି ଶ୍ରେଣୀ ଗୁଡିକର ଛାତ୍ରଛାତ୍ରୀମାନଙ୍କୁ କିଏ ପାଠ ପଢାଇବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନବମ ଓ ଦଶମ ଶ୍ରେଣୀ ପାଇଁ ବିଭିନ୍ନ ବିଷୟ ପାଠ ପଢାଇବା ପାଇଁ ମାତ୍ର ୬ ଜଣ ଶିକ୍ଷକ ଅଛନ୍ତି। ହେଲେ ଏହି ୬ ଜଣ ଶିକ୍ଷକ ପର୍ଯ୍ୟାପ୍ତ ନୁହଁନ୍ତି। ନବମ ଓ ଦଶମ ପାଇଁ ପୃଥକ ସେକ୍ସନ ବ୍ୟବସ୍ଥା ଥିଲେ ମଧ୍ୟ ସେପରି ପାଠ ପଢାଇବା ସମ୍ଭବ ହେଉନାହିଁ। ତେଣୁ ବାଧ୍ୟହୋଇ ଗୋଟିଏ ଶ୍ରେଣୀରେ ପିଲାଙ୍କୁ ପାଠ ପଢାଯାଉଛି। ଏପରିକି ସବୁଠାରୁ ଅଧିକ ପିଲା ପଢୁଥିବା ସଂସ୍କୃତ ବିଷୟ ପଢାଇବାକୁ କେହି ଶିକ୍ଷକ ନାହାଁନ୍ତି। ଏଠାରେ ଥିବା ସଂସ୍କୃତ ଶିକ୍ଷକ ଗତ ମାର୍ଚ୍ଚରେ ଚାକିରିରୁ ଅବସର ନେଇଛନ୍ତି। ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦିଆଯାଇ ନାହିଁ। ଯାହା ଫଳରେ ପିଲାମାନେ ସଂସ୍କୃତ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଏହା ଜାଣିବା ପରେ ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ହରେକୃଷ୍ଣ ପତି ବିଦ୍ୟାଳୟକୁ ଆସି ବିନା ପାରିଶ୍ରମିକରେ ଶିକ୍ଷାଦାନ କରୁଛନ୍ତି। ସହରର ଏକ ନାମକରା ବିଦ୍ୟାଳୟରେ ଯଦି ଏଭଳି ଅବସ୍ଥା ସୃଷ୍ଟି ହୋଇଛି ତେବେ ମହାକାଳପଡ଼ା, ରାଜନଗର ଭଳି ତଳିଆ ଅଞ୍ଚଳରେ ଶିକ୍ଷାଦାନର କିପରି ବିକଳ ଚିତ୍ର ଥିବ ତାହା ସହଜରେ ଅନୁମାନ କରି ହେଉଛି ବୋଲି କେତେକ ପୂର୍ବତନ ଛାତ୍ର କହିଛନ୍ତି। ଏ ସଂକ୍ରାନ୍ତରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ କୌଣସି ତଥ୍ୟ ଓ ମତ ଦେବାକୁ ମନା କରିଦେଲେ। ଏ ସଂକ୍ରାନ୍ତରେ ଜିଲା ଶିକ୍ଷା ବିଭାଗକୁ ପଚାରିବାରୁ ଶିକ୍ଷକ ଅଭାବ ସମ୍ପର୍କରେ ତାଙ୍କ ପାଖରେ ତଥ୍ୟ ରହିଥିଲେବି କେତେକ ଶିକ୍ଷକଙ୍କ ଅବସର ଏବଂ ଆଉ କେତେକ ଶିକ୍ଷକଙ୍କର ପଦନ୍ନୋତି ହେବା ଫଳରେ ସେମାନେ ଏହି ବିଦ୍ୟାଳୟ ଛାଡିଦେଲେ। ଯାହାଦ୍ୱାରା ଶିକ୍ଷକ ଅଭାବ ସୃଷ୍ଟି ହେଲା। ଏ ନେଇ ଶିକ୍ଷା ବିଭାଗ ନିର୍ଦେଶକଙ୍କୁ ଜଣାଇଦିଆଯାଇଛି। ଖୁବଶୀଘ୍ର ସରକାର ଏହା ଉପରେ ପଦକ୍ଷେପ ନେବେ ବୋଲି ଜିଲ୍ଲା ଶିକ୍ଷା ବିଭାଗରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.