Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ମହାସଂଘର ପ୍ରଥମ ବାର୍ଷିକ ସମାରୋହ, ବରିଷ୍ଠମାନେ ସମାଜର ଅଲୋଡା ନୁହଁନ୍ତି

ବରିଷ୍ଠ ନାଗରିକ ମହାସଂଘର ପ୍ରଥମ ବାର୍ଷିକ ସମାରୋହ, ବରିଷ୍ଠମାନେ ସମାଜର ଅଲୋଡା ନୁହଁନ୍ତି

36

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠଙ୍କୁ ବାଦ୍ ଦେଇ କନିଷ୍ଠଙ୍କ ଚିନ୍ତା କରାଯାଇ ପାରେନା । ବରିଷ୍ଠମାନେ ସମାଜର ଦିଗ୍‌ଦର୍ଶକ । ବହୁ ପରିବାରରେ ବାପା ମାଆମାନେ ବୁଢା ହୋଇଯିବା ପରେ ପିଲାମାନେ ସେମାନଙ୍କୁ ହତାଦର କରିବାର ଖବର ଗଣମାଧ୍ୟମର ପୃଷ୍ଠାମଣ୍ଡନ କରୁଛି । ସେମାନଙ୍କୁ ସମାଜର ଅଲୋଡା ବସ୍ତୁ ବୋଲି ଭାବିବା ଉଚିତ ନୁହେଁ । ବରିଷ୍ଠ ନାଗରିକଙ୍କ ସହିତ ଭଦ୍ରକ ପୁଲିସ ସଦା ସର୍ବଦା ରହଛି ଏବଂ ରହିବ । କୌଣସି ବରିଷ୍ଠ ନାଗରିକ ବିପଦରେ ପଡି ପୁଲିସକୁ ଫୋନ କଲେ ପୁଲିସ ନିଶ୍ଚିତ ସହଯୋଗ କରିବ ବୋଲି ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଚରଣ ସିଂହ ମୀନା କହିଛନ୍ତି । ଭଦ୍ରକ ବରିଷ୍ଠ ନାଗରିକ ମହାସଂଘର ଆଜି ଅନୁଷ୍ଠିତ ପ୍ରଥମ ବାର୍ଷିକ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀଯୁକ୍ତ ମୀନା ଏହା କହିଥିଲେ । ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ସଭାରେ ସଂପାଦକ କୈଳାସ ଚନ୍ଦ୍ର ମହାପାତ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ସେ ତାଙ୍କ ବିବରଣୀରେ ବରିଷ୍ଠ ନାଗରିକଙ୍କ ସମସ୍ୟା ଉପସ୍ଥାପନ କରିଥିଲେ । ମେଡିକାଲରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର, ମେଡିକାଲରେ ଜେରିଆଟିକ୍ ୱାର୍ଡ ଖୋଲିବା, ଭଦ୍ରକ ରେଳ ଷ୍ଟେସନରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର, ସ୍ୱତନ୍ତ୍ର ବିଶ୍ରାମାଗାର ବ୍ୟବସ୍ଥା, ମହାସଂଘ ନିମନ୍ତେ ସହରରେ ଏକ ଗୃହ ଯୋଗାଣ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ ।

ବିଗତ ୧ ବର୍ଷରେ ମହାସଂଘ ବ୍ଳକ ସଂଘମାନଙ୍କ ସହିତ ସମନ୍ୱୟ ରକ୍ଷା କରି କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ପୀତାମ୍ବର ସାମଲ ଯୋଗ ଦେଇ ବରିଷ୍ଠ ନାଗରିକମାନେ ପାରିବାରିକ ନିର୍ଯାତନାର ଶିକାର ହୋଇ ଜିଲ୍ଲାରେ ଥିବା ପରାମର୍ଶ କେନ୍ଦ୍ରର ସହଯୋଗ ନେଇ ଦକ୍ଷ ପରାମର୍ଶଦାତାମାନଙ୍କ ମଧ୍ୟସ୍ଥତାରେ ସମାଧାନ କରି ପାରିବେ ବୋଲି ଜଣାଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଂଜନ ଦାସ ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ । ସଭା ପ୍ରାରମ୍ଭରେ ମହାସଂଘର କାର୍ଯ୍ୟକାରୀ ସଭାପତି ପଦ୍ମନ ରାୟ ଅତିଥିଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ । ଉପଦେଷ୍ଟା ଶଶୀକାନ୍ତ ପାଢୀ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସେବାନିବୃତ ଡିଏସ୍‌ପି ତଥା ଭଦ୍ରକ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସଂଘର ସଭାପତି ରଙ୍ଗବଲ୍ଲଭ ଜେନା ଓ ବିଶିଷ୍ଟ ସମାଜସେବୀ ଫେଲୋସିପ୍‌ର ସମ୍ପାଦକ ଏସ୍‌.ଏମ୍‌. ଫାରୁକ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶଚୀକାନ୍ତ ପଣ୍ଡା ଓ ମହେଶ ପ୍ରସାଦ ଦାସ ମାନପତ୍ର ପାଠ କରିଥିଲେ । ଏହି ସଭାରେ ବିଭିନ୍ନ ବ୍ଳକ ଅଞ୍ଚଳରୁ ଆସି ଯୋଗ ଦେଇଥିବା ବରିଷ୍ଠ ନାଗରିକମାନେ ଦୈନନ୍ଦିନ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ଆଲୋଚନା କରିଥିଲେ । ଶେଷରେ ଅଧୀବକ୍ତା ପର୍ଶୁରାମ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.