Home ଜିଲ୍ଲା ପରିକ୍ରମା ବନ୍ୟା ବିପର୍ଯ୍ୟସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ସମାଜସେବୀ ରାମଚନ୍ଦ୍ର ବେହେରା

ବନ୍ୟା ବିପର୍ଯ୍ୟସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ସମାଜସେବୀ ରାମଚନ୍ଦ୍ର ବେହେରା

9

ଭଦ୍ରକ, ୧ା୮(ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନେକ ପରିବାର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଅନେକ ଗାଁ ଜଳମଗ୍ନ ହୋଇଥିବାବେଳେ ଲୋକମାନେ ଖାଦ୍ୟ, ବସ୍ତ୍ର ଓ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀର ଅଭାବ ଭୋଗୁଛନ୍ତି। ଏଭଳି କଠିନ ସମୟରେ ବିଷ୍ଣୁପୁର ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଓ ଶିଳ୍ପପତି ରାମଚନ୍ଦ୍ର ବେହେରା ମାନବିକତାର ପରିଚୟ ଦେଇ ବନ୍ୟା ବିପର୍ଯ୍ୟସ୍ତଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି। ସମାଜସେବୀ ମନୋଦ କୁମାର ସାହୁଙ୍କ ସହଯୋଗରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ବନ୍ୟା ପୀଡ଼ିତ ଶତାଧିକ ଗରିବ ଓ ଅସହାୟ ପରିବାରଙ୍କ ମଧ୍ୟରେ ଶାଢ଼ୀ, ଗାମୁଛା, ବେଡ଼ଶିଟ୍‌, ଛତୁଆ, ବିସ୍କୁଟ, ଚୁଡ଼ା, ଗୁଡ଼ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହା ସହିତ ଅନେକ ପରିବାରଙ୍କୁ ପ୍ରସ୍ତୁତ ଖାଦ୍ୟ ମଧ୍ୟ ବିତରଣ କରାଯାଇଥିଲା, ଯାହା ଦ୍ୱାରା ବନ୍ୟା ପୀଡ଼ିତମାନେ ତୁରନ୍ତ ସହାୟତା ପାଇପାରିଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ଶ୍ରୀ ବେହେରା ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ସହ ଭବିଷ୍ୟତରେ ମଧ୍ୟ ସହଯୋଗ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେ କହିଥିଲେ ଯେ, ବିପଦ ସମୟରେ ସମାଜର ସମସ୍ତ ବର୍ଗର ଲୋକ ଏକାଠି ହୋଇ ଅସହାୟଙ୍କ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବିକତାର ପରିଚୟ।ଏହି ସେବା କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ଯୁବକମାନେ ମଧ୍ୟ ସକ୍ରିୟ ସହଯୋଗ କରିଥିଲେ। ବନ୍ୟା ଜଳ ଭିତରେ ପହଞ୍ଚି ସହାୟତା ସାମଗ୍ରୀ ବଣ୍ଟନ କରିବା ସହ ପ୍ରଭାବିତ ପରିବାରଙ୍କୁ ସାହସ ଓ ଆଶ୍ୱାସନ ଦେଇଥିଲେ। ସେମାନଙ୍କ ଏହି ନିଷ୍ଠା ଓ ସମାଜସେବାକୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ବନ୍ୟା ବିପର୍ଯ୍ୟସ୍ତଙ୍କ ପାଇଁ ଶ୍ରୀ ବେହେରାଙ୍କ ଏହି ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ସାଧାରଣ ଲୋକମାନେ ତାଙ୍କ ମାନବିକ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ଅନ୍ୟ ସମ୍ପନ୍ନ ବ୍ୟକ୍ତି ଓ ସଂଗଠନମାନଙ୍କୁ ମଧ୍ୟ ବିପଦ ସମୟରେ ଆଗକୁ ଆସି ସହଯୋଗ କରିବାକୁ ଆହ୍ୱାନ ଜଣାଇଛନ୍ତି। ବନ୍ୟାର ଏହି କଠିନ ସମୟରେ ରାମଚନ୍ଦ୍ର ବେହେରାଙ୍କ ସେବାଭାବ ଓ ସାମାଜିକ ଦାୟିତ୍ୱବୋଧ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ଦୁର୍ଦ୍ଦିନରେ ଅସହାୟ ଲୋକଙ୍କ ପାଖରେ ଠିଆ ହୋଇ ସେ ଯେଉଁ ଉଦାହରଣ ସୃଷ୍ଟି କରିଛନ୍ତି, ତାହାକୁ ସାଧାରଣ ଜନତା ହୃଦୟରୁ ପ୍ରଶଂସା କରିବା ସହ ତାଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.