Home ଜିଲ୍ଲା ପରିକ୍ରମା ବନ୍ୟା ପରେ ବୈତରଣୀ ନଦୀର ଦାସପାରିଠାରେ ନଦୀବନ୍ଧ ଧସୁଛି

ବନ୍ୟା ପରେ ବୈତରଣୀ ନଦୀର ଦାସପାରିଠାରେ ନଦୀବନ୍ଧ ଧସୁଛି

2

ଭଦ୍ରକ, ୩୦ା୯ – ଏହି ଜିଲାର ଧାମନଗର ବ୍ଲକ ପଧାନୀ ପଂଚାୟତ ଦାସପାରି ମଳିକସାହି ନିକଟରେ ବୈତରଣୀ ନଦୀର ବାମପଟ ବନ୍ଧ ଧସିବା ଆରମ୍ଭ ହୋଇଛି। ପ୍ରାୟ ୩୦୦ ଫୁଟ ପଖାପାଖି ବନ୍ଧ ଧସିଯାଇଥିବା ବେଳେ ପାଣି କମିବା ସହ ମାଟି ଧସିବା ଜାରି ରହିଛି। ଫଳରେ ବନ୍ଧକଡ଼ ରେ ରହୁଥିବା ୪୦ ରୁ ଊର୍ଦ୍ଧ୍ୱ ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ସ୍ଥାନରେ ନଦୀର ପଠା ନଥିବାରୁ ଜଳସ୍ରୋତ ସିଧାସଳଖ ବନ୍ଧକୁ ଧକ୍କା ଦେଉଛି। ଚଳିତ ବନ୍ୟାରେ ପ୍ରବଳ ଜଳସ୍ରୋତ ଯୋଗୁଁ ବନ୍ଧ ଦୁର୍ବଳ ହୋଇଥିବା ବେଳେ ଭିତରେ ଫମ୍ପା ଆକାରେ ରହିଛି। ଏବେ ପାଣି ହ୍ରାସ ପରେ ଏବେ ମାଟି ଧସିବା ଆରମ୍ଭ ହୋଇଛି। ପୂର୍ବରୁ ମଧ୍ୟ ଏହି ସ୍ଥାନରେ ବନ୍ଧ ଧସିଥିଲା। ପ୍ରଥମ ବନ୍ୟା ପରେ ବନ୍ଧ ସୁରକ୍ଷା ପାଇଁ ଜଳସେଚନ ବିଭାଗ ପକ୍ଷରୁ କାଠ ବଲା, ବାଲିବସ୍ତା ଓ ଜରିପାଲ ବ୍ୟବହାର କରି ଅସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ଚଳିତ ବନ୍ୟାରେ କାଠ ବଲା ଭାସି ଯିବା ସହ ବାଲିବସ୍ତା ଧୋଇଯାଇଥିବାରୁ ବନ୍ଧର ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପୂର୍ବରୁ ଏଠାରେ ବନ୍ଧର ଚଉଡ଼ା ୧୫ ଫୁଟ୍‌ରୁ ଅଧିକ ଥିଲା। ଏବେ ଧସିବା ପରେ କେତେକ ସ୍ଥାନରେ ଏହା ପ୍ରାୟ ୬ ଫୁଟ୍‌କୁ ଖସିଆସିଛି। ଏଭଳି ଭାବେ ଧସିବା ଜାରି ରହିଲେ ବନ୍ଧ ଭାଙ୍ଗିବା ସହ ନିକଟସ୍ଥ ଅଂଚଳରେ ପୁଣି ପାଣି ପଶିବା ଆଶଙ୍କା ରହିଛି। ପଧାନୀ, ଅର୍ଜୁନପୁର ଓ ହସନାବାଦ ପଞ୍ଚାୟତର ଅନେକ ଗ୍ରାମ ଏହାଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଚାଷଜମି ନଷ୍ଟ ହେବା ସହ ଘରଦ୍ୱାର ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇପାରେ ବୋଲି ଲୋକେ କହିଛନ୍ତି। ବନ୍ୟା ସମୟରେ କରାଯାଇଥିବା ଅସ୍ଥାୟୀ ସୁରକ୍ଷା କାମ ନଷ୍ଟ ହୋଇଯାଇଥିବାରୁ ଏବେ ସ୍ଥାୟୀ ପ୍ରତିକାରମୂଳକ କାମ ଆବଶ୍ୟକ ହୋଇପଡ଼ିଛି। ବନ୍ଧ ଆହୁରି ଧସିବା ପୂର୍ବରୁ ବିଭାଗୀୟ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ତୁରନ୍ତ ବନ୍ଧ ସୁରକ୍ଷା କାମ ଆରମ୍ଭ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଜଳସମ୍ପଦ ବିଭାଗର ଯନ୍ତ୍ରୀ ବିମଳ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ସ୍ଥାନରେ ପୂର୍ବରୁ ବନ୍ଧ ସୁରକ୍ଷା କାର୍ଯ୍ୟ କରାଯାଇଥିଲା। ତେବେ ଚଳିତ ବନ୍ୟାରେ ପୁଣି ଏହା କ୍ଷତିଗ୍ରସ୍ତ ହୋଇଛି। ଏସଡିଓଙ୍କ ସହ କଥା ହୋଇ ସେଠାକୁ ଜାଇ ଦେଖିବା ପରେ ଖୁବ୍‌ଶୀଘ୍ର ଆବଶ୍ୟକ କାର୍ଯ୍ୟ କରାଯାଇ ବନ୍ଧର ଦୃଢ଼ୀକରଣ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି। ଗ୍ରାମ ବାସୀ ଙ୍କ କହିବା କଥା ଯେ ସେଠାରେ ପଥର ଦେବା ସହ ସୁରକ୍ଷା ପାଚେରୀ କଲେ ଲୋକ ମାନେ ନିରାପଦ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.