Home ଜିଲ୍ଲା ପରିକ୍ରମା ବନ୍ୟା ଦୁର୍ଗତଙ୍କୁ ସହାୟତା ଦେବାରେ ପ୍ରଶାସନ ବିଫଳ : ଜାତୀୟ ରାଜପଥରେ ୩ ବର୍ଷରେ ଗଡିଲାଣି...

ବନ୍ୟା ଦୁର୍ଗତଙ୍କୁ ସହାୟତା ଦେବାରେ ପ୍ରଶାସନ ବିଫଳ : ଜାତୀୟ ରାଜପଥରେ ୩ ବର୍ଷରେ ଗଡିଲାଣି ୪୫୦ ମୁଣ୍ଡ : ମଦ ମାଫିଆ ପାଖରେ ବନ୍ଧା ପଡିଛି ଜିଲ୍ଲା ପୁଲିସ : ୩ ଦଫା ଦାବୀ ପୂରଣ ନ ହେଲେ ଜାତୀୟ ରାଜପଥ ଅବରୋଧ- କଂଗ୍ରେସ

94

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିକଟରେ ବୈତରଣୀ ନଦୀରେ ବନ୍ୟା ଆସି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ବ୍ଳକର କିଛି ପଂଚାୟତ, ତିହିଡି ବ୍ଳକର କିଛି ପଂଚାୟତର ବ୍ୟାପକ କ୍ଷତି ଘଟାଇଛି । ୬ଶହରୁ ଅଧିକ ଗ୍ରାମ ପାଣି ଘେରରେ ରହିଛି । ଲକ୍ଷ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ବୈତରଣୀରେ ବନ୍ୟା ପାଣି କମିଥିଲେ ବି ଏ ଯାଏ ଲୋକଙ୍କ ଘର ଭିତରୁ ପାଣି ଛାଡି ଯାଇନାହିଁ । ୭ ଦିନରୁ ଉର୍ଦ୍ଧ୍ୱ ସମୟ ଧରି ଲୋକଙ୍କ ଘରେ ଚୁଲି ଜଳିନାହିଁ । ଘର ଭାଙ୍ଗିଛି, ଲୋକେ ଖୋଲା ଆକାଶ ତଳେ ପଡି ରହିଛନ୍ତି, ପଲିଥିନ ଖଣ୍ଡେ ନାହିଁ । ରିଲିଫ ନାହିଁ, ସେମାନଙ୍କୁ ଉଦ୍ଧାର କରିବାରେ ମଧ୍ୟ ପ୍ରଶାସନ ବିଫଳ ହୋଇଛି । ଅଥଚ ଜିଲ୍ଲା ପ୍ରଶାସନ ଡିଣ୍ଡିମ ପିଟୁଛି ବନ୍ୟା ଦୁର୍ଗତଙ୍କୁ ରିଲିଫ, ପଲିଥିନ, ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ସବୁ ଯୋଗାଣ ହୋଇଛି । ଏହା ଏକ ପ୍ରକାର ପ୍ରହସନ ନୁହେଁ ତ ଆଉ କଣ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ । ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ନଳିନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ନିକଟରେ ଭଦ୍ରକ ଜିଲ୍ଲାରେ ହୋଇଥିବା ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ଜିଲ୍ଲା ପ୍ରଶାସନକୁ ଏହି ଆରୋପ କରିଛନ୍ତି । ସେହିଭଳି ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦା ଠାରୁ ଯାଇଥିବା ‘ଜଅ’ ନାଳକୁ ପୋତି ପକାଇବା ତଥା ରକ୍ଷଣାବେକ୍ଷଣ କରା ନଯିବାରୁ ଏଥିରେ ଜଳ ନିସ୍କାସନ ହୋଇ ପାରୁନାହିଁ । ଫଳରେ ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହି ଫସଲହାନୀ ହେଉଛି । ଏହି ନାଳ ମା୍ମମରେ ବଳକା ପାଣି ରେବ ଓ ଗେଙ୍ଗୁଟି ନଦୀକୁ ଯାଉଥିଲା । ପୁଣି ଆବଶ୍ୟକ ବେଳେ ଲୋକେ ଏହି ନାଳରୁ ପାଣି ନେଇ ଜମିକୁ ମଡାଇ ଚାଷକୁ ବଂଚାଇ ପାରୁଥିଲେ । ଏବେ ତାହା ସ୍ୱପ୍ନ ହୋଇଯାଇଛି । ବନ୍ୟା ଦ୍ୱାରା ହଜାର ହଜାର ହେକ୍ଟର ଜମି ଏ ଯାଏ ପାଣିରେ ବୁଡି ରହିଛି । ସେ ସବୁ ଜମିର ଫସଲ ନଷ୍ଟ ହେବା ଶହେ ପ୍ରତିଶତ ନିଶ୍ଚିତ । ଏ ଅବେଳରେ ଫସଲ ନଷ୍ଟ ହେବା ଦ୍ୱାରା ଚାଷୀ ପାଖରେ ଆଉ ସମ୍ବଳ ନାହିଁ କି ସମୟ ମଧ୍ୟ ନାହିଁ ଯେ ପୁଣି ଥରେ ଚାଷ କରି ଫସଲ ଉତ୍ପାଦନ କରି ପାରିବ । ତୁରନ୍ତ ଜିଲ୍ଲା ପ୍ରଶାସନ ଫସଲହାନୀର ସଠିକ୍ ଆକଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବାକୁ ଶ୍ରୀ ମହାନ୍ତିି ଦାବୀ କରିଛନ୍ତି । ଭଦ୍ରକରେ ସବୁଠାରୁ ବଡ ହତ୍ୟାକାରୀ ସାଜିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ ।

ଆଖୁଆପଦା ଠାରୁ ରାଣିତାଲ ମଧ୍ୟରେ ଦୁର୍ଘଟଣା ଯୋଗୁ ଗତ ସାଢେ ୩ ବର୍ଷରେ ୪୬୮ ଜଣ ମୃତ୍ୟୁବରଣ କରିଛନ୍ତି । ଭଦ୍ରକ ଜିଲ୍ଲା ପରିସୀମା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ସୀମା ମଧ୍ୟରେ ବହୁ ସ୍ଥାନରେ ବର୍ଷବର୍ଷ ଧରି ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ପରିତାପର ବିଷୟ ଜାତୀୟ ରାଜପଥ ପ୍ରାଧିକରଣ ନିୟମାବଳୀ ଅନୁଯାୟୀ ରାସ୍ତା ନିର୍ମାଣ ବା ସମ୍ପ୍ରସାରଣ ଅଂଚଳରେ ଯାନବାହନ ଓ ଯାତ୍ରୀଙ୍କର ସୁରକ୍ଷା ପାଇଁ ଆବଶ୍ୟକୀୟ ସୂଚନା ଫଳକ ଲଗା ଯାଉନଥିବାରୁ ପ୍ରତି ୩୬ ଘଂଟା ବ୍ୟବଧାନରେ ଗୋଟିଏ ଦୁର୍ଘଟଣା ଘଟୁଛି ବୋଲି ଭଦ୍ରକ ଜିଲ୍ଲା କଂଗ୍ରେସ୍ ପକ୍ଷରୁ ଅଭିଯୋଗ କରାଯାଇଛି । ଶ୍ରୀ ନାୟକ କହିଛନ୍ତି ଯେ ୨୦୧୭ ରୁ ଜୁଲାଇ ୨୦୨୦ ମଧ୍ୟରେ ମୋଟ ୯୪୭ଟି ଦୁର୍ଘଟଣାରେ ୪୬୮ଜଣ ମୃତ୍ୟୁବରଣ କରିଛନ୍ତି ଓ ୮୫୧ ଜଣ ଗୁରୁତ୍ୱର ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ୪୬୮ ଜଣ ବ୍ୟକ୍ତିଙ୍କର ଜୀବନକୁ ରକ୍ଷା କରାଯାଇ ପାରିଥାନ୍ତା ଯଦି ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ସ୍ଥାନରେ ସୁରକ୍ଷା ସମ୍ବନ୍ଧିତ ଗାଇଡଲାଇନ ଅନୁସରଣ କରିଥାନ୍ତେ । ଏଥିପାଇଁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାକୁ ସେ ଦାୟୀ କରିଛନ୍ତି । ଡାଇଭର୍ସନ ସ୍ଥାନରେ ରେଡିଅମ ଷ୍ଟିକର, ବିଲବୋର୍ଡ ଇତ୍ୟାଦି ମାଧ୍ୟମରେ ଲଗା ଯାଇନାହିଁ । ଆଖୁଆପଦା ଠାରୁ ରାଣିତାଲ ଯାଏ କୌଣସି ଜାଗାରେ ଗାଇଡଲାଇନକୁ ପାଳନ କରାଯାଇ ନାହିଁ । ଭଦ୍ରକ ଜିଲ୍ଲାର ୫ ବିଧାୟକ, ଭଦ୍ରକ ସାଂସଦ ଏ ସମ୍ପର୍କରେ ଦିନେ ବୋଲି ମୁହଁ ନ ଖୋଲିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ବର୍ଷବର୍ଷ ଧରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଏଭଳି ଖାମଖିଆଲି ମନୋଭାବକୁ ନିନ୍ଦା କରାଯାଇଛି । ଅନୁରୂପ ଭାବେ ସଂଗୀତା ମୋଟର୍ସର କର୍ମଚାରୀଙ୍କ ମୃତ୍ୟୁକୁ ଦୀର୍ଘଦିନ ବିତି ଯାଇଥିଲେ ବି ଭଦ୍ରକ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ପାରିନି । ମୃତ୍ୟୁ ପାଇଁ ଦାୟୀ ଶୋ’ରୁମ୍‌ର ମାଲିକ ଚନ୍ଦନ ଶାହାକୁ ଗିରଫ ଓ ଜିଲ୍ଲାରେ ଚାଲିଥିବା ନିଶାକାରବାର, ଡ୍ରଗ୍‌ସ ବ୍ୟବସାୟକୁ ବନ୍ଦ କରିବା, ନିଶାକାରବାରର ମୁଖ୍ୟ ଶ୍ୟାମସୁନ୍ଦର ଗୁପ୍ତାଙ୍କୁ ଗିରଫ କରିବା ନେଇ ଭଦ୍ରକ ଏସ୍‌ପି ଦେଇଥିବା ପ୍ରତିଶୃତି ଧୂଆଁବାଣ ସଦୃଶ ହୋଇଛି । ଗତ ଜୁଲାଇ ମାସରେ ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଚାଲି୍‌ଥିବା ପ୍ରତୀକ ଧାରଣା ସମୟରେ ଏସପି ଧାରଣାକାରୀଙ୍କ ସହିତ ଆଲୋଚନା କରି ଏହାର ଦାୟିତ୍ୱ ନିଜେ ନେବା ସହିତ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବିହାର ପଠାଇବେ, ଆବଶ୍ୟକ ହେଲେ ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଂଟକୁ ସିଲ କରାଯିବ ଏବଂ ସମ୍ପତିକୁ ମଧ୍ୟ ସିଲ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାକୁ ସ୍ଥଗିତ ରଖାଯାଇଥିଲା ।

ମାତ୍ର ଏହା ମଧ୍ୟରେ ଏକ ମାସରୁ ଅଧିକ ସମୟ ବିତିଥିଲେ ବି ଏସ୍‌ପି କୌଣସି ପଦକ୍ଷେପ ନେଇ ନାହାନ୍ତିି । ଏଥି ସହିତ ଭଦ୍ରକରେ ନିଶା କାରବାରର ସମ୍ରାଟ ସାଜିଥିବା ଶ୍ୟାମସୁନ୍ଦର ଗୁପ୍ତା ଜିଲ୍ଲା ତମାମ ନିଶାର ସାମ୍ରାଜ୍ୟ ସୃଷ୍ଟି କରି ଖୋଲାଖୋଲି ଦେଶୀ ମଦ କାରବାର କରି ସମାଜକୁ ନଷ୍ଟ କରୁଥିବା ବେଳେ ଡ୍ରଗ୍ସ କାରବାରକୁ ବହୁମାତ୍ରାରେ ବଢାଇ ଚାଲିଛନ୍ତି । ତୁରନ୍ତ ଚନ୍ଦନ ଶାହାଙ୍କୁ ଗିରଫ କରିବା ସହିତ ବିହାରୀ ଅପରାଧି ଲିଙ୍କ୍ ମୁଖ୍ୟ ଶ୍ୟାମସୁନ୍ଦର ଗୁପ୍ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଏବଂ ତାଙ୍କ ସମ୍ପତିର ସ୍ୱତସ୍ତ୍ର ଟାସ୍କ ଫୋର୍ସ ମାଧ୍ୟମରେ ତଦନ୍ତ କରିବା ଦାବି ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ବାରମ୍ବାର ପ୍ରତୀକ ଧାରଣା ପରେ ଏସ୍‌ପି ଆଲୋଚନା କରି ପ୍ରତିଶୃତି ଦେଇଥିଲେ । ଯାହା ପାଳନରେ ଏସ୍‌ପି ବିଫଳ ହୋଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ, ବନ୍ୟା ଦୁର୍ଗତଙ୍କୁ ସହାୟତା, ଘର ଭାଙ୍ଗିଥିବା ପରିବାରକୁ ପଲିଥିନ ସହିତ ଘରଭଙ୍ଗା ଆକଳନ କରି କ୍ଷତି ପୂରଣ ପ୍ରଦାନ, ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ରିଲିଫ ବାବଦକୁ ଚାଉଳ ଓ ଅର୍ଥ ତୁରନ୍ତ ପୀଡିତଙ୍କ ପାଖରେ ପହଂଚାଇବା, ଜାତୀୟ ରାଜପଥରେ ହୋଇଥିବା ତୃଟିକୁ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ସୁଧାର ନ ଆଣିଲେ ଆଗାମୀ ୧୦ ଦିନ ମଧ୍ୟରେ ରାଜପଥ ଅବରୋଧ କରାଯିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ନେତା ସୁବ୍ରତ ଦାସ, ଧାମନଗର ନେତା ବିଦ୍ୟାଧର ଯେନା, ଦିଲିପ ନାୟକ, ଗୁଲାମ ମଇଉଦ୍ଦିନ, ସେକ୍ ସମ୍‌ଦାନୀ, ପ୍ରଦ୍ୟୁମ୍ନ ଦାସ, ପୀତବାସ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.