Home ଜିଲ୍ଲା ପରିକ୍ରମା ବନ୍ୟା ଦୁଃଖକୁ ଧାନ ତଳି ନଷ୍ଟ, ଚିନ୍ତାରେ ଚାଷୀ

ବନ୍ୟା ଦୁଃଖକୁ ଧାନ ତଳି ନଷ୍ଟ, ଚିନ୍ତାରେ ଚାଷୀ

23

ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀର ବନ୍ୟା ଦୁଃଖ ସହ ବିପନ୍ନ ଅଂଚଳରେ ଚାଷୀର ଧାନତଳି ନଷ୍ଟ ହୋଇଯିବା ‘ବେଡି ଉପେ କୋରଡା ମାଡ’ ସଦୃଶ ହୋଇଛି । ଫଳରେ ଖରିଫ ଧାନ ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ଭାଳେଣି ପଡିଛି । ପାଣି କମିଯାଇଥିଲେ ସୁଦ୍ଧା ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ୭ ଗୋଟି ପଂଚାୟତର ଚାଷୀମାନେ ଖରିଫ ଧାନ ଚାଷକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବ୍ଲକ୍‌ର ଝୁଟୁଣା, ବନ୍ଦୋଳ-ମଢିଆଳୀ, ଷୋଳମପୁର, ନପଙ୍ଗ, ମାଳଦା, ରହଣିଆ ଓ କୁରିଗାଁ ପଂଚାୟତକୁ ବନ୍ୟା ପାଣି ବିଶେଷ ଭାବେ ପ୍ରଭାବିତ କରିଛି । ଚଳିତ ଖରିଫ ଚାଷ ପାଇଁ କିଛି ଚାଷୀ ସଦ୍ୟ ଧାନରୁଆ ସାରିଥିବାବେଳେ ତାହା ଉପରେ ବନ୍ୟାପାଣି ସଂପୂର୍ଣ୍ଣ ମାଡିଯାଇଛି । କିଛି ଜମିରୁ ପାଣି କମିଥିଲେ ସୁଦ୍ଧା ଅନେକ ଧାନ ତଳି ମଧ୍ୟ ଅଦ୍ୟାବଧି ବୁଡି ରହିଛି । ଧୀରେ ଧୀରେ ପାଣି ହ୍ରାସ ପାଉଥିବାବେଳେ ଧାନ ତଳିଗୁଡିକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ବନ୍ୟା ଓ ବର୍ଷା ଯୋଗୁଁ ପ୍ରାୟ ୭ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ଜମିରୁ ପାଣି ଛାଡିଯିବା ପରେ ଧାନଗଛରେ ପଟୁ ମାଟି ଲାଗିଥିବାରୁ ଏହା ନଷ୍ଟ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏଭଳି ଅବସ୍ଥାରେ କୃଷି ବିଭାଗ ବନ୍ୟା ପ୍ରଭାବିତ ଚାଷଜମି ଗୁଡିକୁ ପରିଦର୍ଶନ କରିବା ସହ ସୁରୁଖୁରୁ ଭାବେ ଖରିଫ ଧାନ ଚାଷ ସକାଶେ କୃଷକମାନଙ୍କୁ ଆବଶ୍ୟକ ପରାମର୍ଶ ଓ ସହଯୋଗ ଯୋଗାଇଦେବା ଜରୁରୀ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.