Home ଓଡ଼ିଶା ପ୍ରଶାସନ ଲୋକାୟୁକ୍ତଙ୍କ ନିକଟରେ ଜବାବ ଦେବାକୁ ବିଫଳ;ମନ୍ତ୍ରୀଙ୍କ ନିକଟରେ ସଫଳ

ପ୍ରଶାସନ ଲୋକାୟୁକ୍ତଙ୍କ ନିକଟରେ ଜବାବ ଦେବାକୁ ବିଫଳ;ମନ୍ତ୍ରୀଙ୍କ ନିକଟରେ ସଫଳ

361

ଭୁବନେଶ୍ୱର୧୪ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ନଗଡା ବିକାଶ ପାଇଁ ଆସିଥିବା ଅର୍ଥ ତୋଷରପାତ ଘଟଣାରେ ଳୋକାୟୁକ୍ତ ଜାରି କରିଥିବା ନୋଟିସର ଜବାବ୍ ରଖିବାରେ ବିଫଳ ହେବାସହ ଯାଜପୁର ଜିଲ୍ଲା ପ୍ରଶାସନ ଏଥିପାଇଁ ମାସେ ମହଲତ ମାଗିଥିବାବେଳେ ଏହାର ଶୁଣାଣି ପାଇଁ ଆସନ୍ତା ଜାନୁଆରି ୧୩ ତାରିଖକୁ ଦିନଧାର୍ଯ୍ୟ କରାଯାଇଛି। ଗତକାଲି ରାଜ୍ୟ ସରକାରଙ୍କ ଶକ୍ତି, ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ କ୍ୟା‌ପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ନଗଡ଼ା ଗସ୍ତ କରି ସ୍ଥିତି ପରଖିଛନ୍ତି। ତଳ ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖ ଅସ୍ଥାୟୀ ଶିବିରରେ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ବିଭିନ୍ନ ବିଭାଗର କାର୍ଯ୍ୟଧାରା ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ମିଶ୍ର ତଳ ନଗଡ଼ା ପହଞ୍ଚିବା ପରେ ସାଧାରଣ ଜୁଆଙ୍ଗ ଚଳଣି ଅନୁଧ୍ୟାନ କରିଥିଲେ। ତଳ ନଗଡ଼ାରେ ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମନ୍ତ୍ରୀ ଶ୍ରୀ ମିଶ୍ର ମୁଖ୍ୟଅତିଥି, ଏସ୍‌ପି ଚରଣ ସିଂ ମିନା, ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ଆଞ୍ଚଳିକ ଶିଳ୍ପ କେନ୍ଦ୍ର ମହାପ୍ରବନ୍ଧକ ମନୋଜ କୁମାର ବେହେରା, ଖଦୀ ବୋର୍ଡ ସଚିବ ସରୋଜ କୁମାର ପଟେଲ, ଡିଏଫ୍‌ଓ ସୁଦର୍ଶନ ପାତ୍ର, ବିଡିଓ ବିଶ୍ବଜିତ ଦାସ ପ୍ରମୁଖ ଉପସ୍ଥିତ ହୋଇ ମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବାରେ ଲାଗିପଡିଥିବା ଦେଖିବାକୁ ମିଳିଥିଲା । ନଗଡ଼ା ବିକାଶରେ ଜଡ଼ିତ ଥିବା ପ୍ରଶାସକ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କଠୁ ବିଭିନ୍ନ କାର୍ଯ୍ୟଧାରାର ହିସାବ ମାଗିଥିଲେ ମନ୍ତ୍ରୀ। ଏଥିସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କଠାରୁ ନଗଡ଼ାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ ।
ଲୋକାୟୁକ୍ତଙ୍କ କୋର୍ଟରେ ନଗଡ଼ା ଉନ୍ନୟନ ନାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଧାରରେ ଶୁଣାଣି ଥିଲା। ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ଓ ସଦସ୍ୟ ଡଃ. ରାଜେନ୍ଦ୍ର କୁମାର ଶର୍ମାଙ୍କୁ ନେଇ ଦୁଇ ଜଣିଆ ଖଣ୍ଡପୀଠ ଏବଂ ଅଭିଯୋଗକାରୀ ରାଇଟ୍ ଟୁ ଫୁଡ୍ କ୍ୟାମ୍ପେନ୍ ରାଜ୍ୟ ଆବାହକ ତଥା ସୂଚନା ଅଧିକାର କର୍ମୀ ପ୍ରଦୀପ କୁମାର ପ୍ରଧାନ ଉପସ୍ଥିତ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ଉପସ୍ଥିତ ନଥିଲେ। ଲୋକାୟୁକ୍ତଙ୍କ କୋର୍ଟରେ ହେବାକୁ ଥିବା ବିଚାର ପ୍ରକ୍ରିୟା ପାଇଁ ସମସ୍ତ ନଥିପତ୍ର ଓ ଫାଇଲ୍ ପ୍ରସ୍ତୁତ କରିବାକୁ ଅଧିକ ସମୟ ଲାଗିବ ବୋଲି ଜିଲ୍ଲା ପ୍ରଶାସନ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଏଥିଲାଗି ଆଉ ମା‌ସେ ମହଲତ ଦେବା ପାଇଁ ଅନୁରୋଧ କରିଥିଲେ। ଏଥିସହ ବିଭିନ୍ନ ପ୍ରସଙ୍ଗରେ ଜବାବ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରଶାସକ, ଯନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ ତିନିଟି କମିଟି ଗଠନ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପ୍ରାଥମିକ ସୂଚନା ଦେଇଥିଲେ। ଲୋକାୟୁକ୍ତ ଏହା ଉପରେ ତର୍ଜମା କରି ଆଗାମୀ ଜାନୁଆରି ମାସ ୧୩ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ଧାର‌୍ୟ୍ୟ କରିଛନ୍ତି। ଏହାସହ ସେହି ଅଞ୍ଚଳରେ ବିକାଶମୂଳକ କାର‌୍ୟ୍ୟର ତଦାରଖ ପାଇଁ ୩ଟି କମିଟି ଗଠନ କରାଯାଇଥିବା ଆବେଦନକାରୀ ତଥା ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ପ୍ରକାଶ କରିଛନ୍ତି ।

ସୁଚନାଯୋଗ୍ୟ-ସୂଚନା ଅଧିକାର ଆଇନ ଆଧାରରେ ବିଲୁପ୍ତ ଜୁଆଙ୍ଗ ଜନଜାତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ଓ ସେମାନଙ୍କ ମୌଳିକ ସମସ୍ୟା ସମାଧାନ ଯୋଜନାରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର‌୍ୟ୍ୟ ନାଁରେ ଦୁର୍ନୀତି, ବ୍ୟାପକ ଅନିୟମିତତା ଓ ଅର୍ଥ ଅପବ୍ୟୟ ନଜରକୁ ଆସିଥିଲା। ବିଶେଷକରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ସୁକିନ୍ଦା ବ୍ଲକ, ଯାଜପୁରଟାଉନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧, ନେସୁ ଅଧୀନ ଯାଜପୁରରୋଡ଼ ଧବଳଗିରି ବିଭାଜନ, ଚଣ୍ଡିଖୋଲସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନ ଓ ଜିଲ୍ଲା ସମାଜ ମଙ୍ଗଳ କାର‌୍ୟ୍ୟାଳୟ ବିରୋଧରେ ଲୋକାୟୁକ୍ତଙ୍କ ନିକଟରେ ଗତ ଅକ୍ଟୋବର ମାସ ୧୪ ତାରିଖ ବିଧିବଦ୍ଧ ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ନିକଟରେ ଆବେଦନକାରୀ ନ୍ୟାୟିକ ତଦନ୍ତ ଦାବି କରିଥିଲେ। ବିଭିନ୍ନ ତଥ୍ୟାବଳୀକୁ ଅନୁଧ୍ୟାନ କରିବା ପରେ ଲୋକାୟୁକ୍ତ ସେହି ମାସ ୨୫ ତାରିଖ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ(ପିଡି), ସୁକିନ୍ଦା ବିଡିଓ, ଯାଜପୁରଟାଉନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ, ଧବଳଗିରିସ୍ଥିତ ନେସୁ ନିର୍ବାହୀ ଯନ୍ତ୍ରୀ, ଚଣ୍ଡିଖୋଲସ୍ଥିତ ଆର୍‌ଡବ୍ଲ୍ୟୁଏସ୍‌ଏସ୍ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ସମନ ଜାରି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.