Home ଓଡ଼ିଶା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅନ୍ତର୍ଗତ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ସହ ଆଧାର ଯୋଡ଼ିବାର...

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅନ୍ତର୍ଗତ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ସହ ଆଧାର ଯୋଡ଼ିବାର ବାଧ୍ୟତାମୂଳକ ନିୟମ କୋହଳ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

485

ନୂଆ ଦିଲ୍ଲୀ ୧୦-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଅନ୍ତର୍ଗତ ହିତାଧିକାରୀଙ୍କ ପାଇଁ ବ୍ୟାଙ୍କ ଖାତା ସହ ଆଧାର ଯୋଡ଼ିବାର ବାଧ୍ୟତାମୂଳକ ନିୟମକୁ କୋହଳ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁର କରାଯାଇଛି।

ଏହି ଯୋଜନା ଅନ୍ତର୍ଗତ କେତେକ ବ୍ୟତିକ୍ରମକୁ ବାଦ ଦେଲେ ଜମି ଥିବା କୃଷକ ପରିବାରଗୁଡ଼ିକୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ଚାରି ମାସରେ ୨ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ତିନୋଟି କିସ୍ତିରେ ପ୍ରଦାନ କରାଯାଇଥାଏ। ଏହି ଅର୍ଥରାଶି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଜମା କରାଯାଇଥାଏ।

ଏହି ଯୋଜନା ଅନ୍ତର୍ଗତ ୧ ଅଗଷ୍ଟ, ୨୦୧୯ ପରେ ହିତାଧିକାରୀଙ୍କୁ ତୃତୀୟ କିସ୍ତି ପ୍ରଦାନ କରାଯାଇଛି। ପୂର୍ବରୁ ଡିସେମ୍ବର ୨୦୧୮ ଓ ମାର୍ଚ୍ଚ ୨୦୧୯ରେ ହିତାଧିକାରୀଙ୍କୁ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଥିଲା। ଏହି ଅର୍ଥରାଶି କେବଳ ଆଧାର ସଂଖ୍ୟା ଥିବା ବ୍ୟାଙ୍କ ଖାତାଧାରୀଙ୍କୁ ପ୍ରଦାନ କରାଯାଇଥିଲା। ଅବଶିଷ୍ଟ ହିତାଧିକାରୀଙ୍କୁ ୧ ଅଗଷ୍ଟ, ୨୦୧୯ରେ ପ୍ରଥମ କିସ୍ତି କେବଳ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଂଟ ଜରିଆରେ ଦିଆଯାଇଥାନ୍ତା। ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଂଟ ଜରିଆରେ ଅର୍ଥ ପଇଠ ସମ୍ଭବ ହେଉନଥିବାରୁ ଆସାମ, ମେଘାଳୟ ଓ ଜମ୍ମୁ ଓ କଶ୍ମୀରର କୃଷକଙ୍କ ପାଇଁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏହି ନିୟମ କୋହଳ କରାଯାଇଛି।

ତେବେ ୧ ଅଗଷ୍ଟ, ୨୦୧୯ ପରେ କିସ୍ତି ଜାରି କରିବାର ନିର୍ଦ୍ଧାରିତ ସମୟ ସୁଦ୍ଧା ଅର୍ଥରାଶି ଜାରି କରିବା ଲାଗି ୧୦୦ ପ୍ରତିଶତ ଆକାଉଂଟକୁ ଆଧାର ସହିତ ଯୋଡ଼ିବା ସମ୍ଭବ ହୋଇପାରିଲା ନାହିଁ। ବର୍ତମାନ କୃଷକମାନେ ରବି ଋତୁ ପାଇଁ ପ୍ରସ୍ତୁତି କରୁଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ କୃଷି ସହ ଜଡ଼ିତ ଅନେକ କାର୍ଯ୍ୟ ଯେପରିକି ବିହନ କ୍ରୟ, ମାଟି ପ୍ରସ୍ତୁତି ଏବଂ ଜଳସେଚନ ଗତିବିଧି, ମେସିନ ଏବଂ ସରଞ୍ଜାମ ରକ୍ଷଣାବେକ୍ଷଣ ଲାଗି ଅର୍ଥର ନିତାନ୍ତ ଆବଶ୍ୟକତା ରହିଛି। ଏହି ଆବଶ୍ୟକତା ସହିତ, ନିକଟରେ ଆରମ୍ଭ ହୋଇଥିବା ପାର୍ବଣ ଋତୁରେ ମଧ୍ୟ ଗରିବ କୃଷକ ପରିବାର ଉପରେ ଅତିରିକ୍ତ ଅର୍ଥ ବୋଝ ପଡ଼ିବ। ଆଧାର ସଂଖ୍ୟା ସହିତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ସଂଯୋଗ କରାଯାଇ ନପାରିବା କାରଣରୁ ପରବର୍ତ୍ତୀ କିସ୍ତି ଜାରି ହେବାରେ ବିଳମ୍ବ ହେବ। ଏହି କାରଣରୁ କୃଷକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବ। ସେଥିପାଇଁ ୧ ଅଗଷ୍ଟ ୨୦୧୯ ପରେ ହିତାଧିକାରୀଙ୍କୁ ଲାଭ ଜାରି କରିବା ଲାଗି ବ୍ୟାଙ୍କ ଆକାଉଂଟକୁ ଆଧାର ସଂଖ୍ୟା ସହ ଯୋଡ଼ିବାର ବାଧ୍ୟତାମୂଳକ ନିୟମକୁ କୋହଳ କରାଯାଇଛି। ଫଳରେ ବହୁ ସଂଖ୍ୟକ କୃଷକମାନଙ୍କୁ ତୁରନ୍ତ ଅର୍ଥରାଶି ପ୍ରଦାନ କରାଯିବା ସମ୍ଭବ ହେବ। ଲାଭ ଜାରି କରିବା ଲାଗି ଏହି ବାଧ୍ୟତାମୂଳକ ନିୟମ ୧ ଡିସେମ୍ବର, ୨୦୧୯ ପରେ ଲାଗୁ ହେବ। ସରକାର କିସ୍ତି ପଇଠ କରିବା ପୂର୍ବରୁ ଏହି ତଥ୍ୟର ବୈଧତା ଲାଗି ସରକାର ଆବଶ୍ୟକ ଉପାୟ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.