ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପୁସ୍ତିକା ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷା ଗତ ଏପ୍ରିଲ ୨ ରୁ ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହୋଇଥିଲା। ଚଳିତବର୍ଷ ସ୍ନାତକରେ ୧୦୯୧ ଜଣ ପରୀକ୍ଷା ଦେଇଥିବାବେଳେ ୮୬୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍ ହାର ୭୯.୧ ରହିଛି। ଚଳିତ ବର୍ଷ କଳା ବିଭାଗରେ ପାସ ହାର ୯୮.୬, ବିଜ୍ଞାନରେ ୭୦.୨ ଓ ବାଣିଜ୍ୟରେ ୭୩.୪ ଓ ସେଲ୍ଫ ଫାଇନାନ୍ସରେ ୮୦.୪ ପ୍ରତିଶତ ପାସ ହାର ରହିଛି। କଳାରେ ମନସ୍ତତ୍ୱ ବିଭାଗର ଛାତ୍ରୀ ଅଭିଲିପ୍ସା ନାୟକ, ବିଜ୍ଞାନରେ କମ୍ପ୍ୟୁଟର ସାଇନ୍ସ ବିଭାଗରେ ଛାତ୍ରୀ ପ୍ରୀତିଶ୍ ପୀୟୁସ ରଞ୍ଜନ ନାୟକ, ବାଣିଜ୍ୟରେ ଗୀତାଞ୍ଜଳି ପୃଷ୍ଟି ଓ ସେଲଫ୍ ଫାଇନାନ୍ସରେ ଅଶ୍ୱିନୀ କୁମାର ସାହୁ ଟପ୍ପର ହୋଇଛନ୍ତି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ଭାବେ ମନସ୍ତତ୍ୱ ବିଭାଗର ଛାତ୍ରୀ ଅଭିଲିପ୍ସା ନାୟକ ବିବେଚିତ ହୋଇଛନ୍ତି ବୋଲି ଅଧ୍ୟକ୍ଷ ଡ. ଲଳିତ ରଞ୍ଜନ ସାହୁ ସୂଚନା ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ କଳା ଅନର୍ସରେ ମୋଟ ୩୪୩ ଜଣ ପରୀକ୍ଷା ଦେଇଥିବାବେଳେ ମୋଟ ୩୦୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୯ଜଣ ସମ୍ମାନରେ ପ୍ରଥମ ଶ୍ରେଣୀ ଡିଷ୍ଟିଂକସନ ପାଇ ଉର୍ତୀର୍ଣ୍ଣ ହୋଇଥିବାବେଳେ, ୭୩ଜଣ ପ୍ରଥମ ଶ୍ରେଣୀ ଓ ୧୦ଜଣ ଦ୍ୱିତିୟ ଶ୍ରେଣୀ ଡିଷ୍ଟିଂକସନ ଓ ୩୨ଜଣ ସମ୍ମାନ ଦ୍ୱିତୀୟ ଶ୍ରେଣୀ ରଖି ଉର୍ତୀର୍ଣ୍ଣ ହୋଇଛନ୍ତି। ୩୮ ଜଣ ଫେଲ ହୋଇଥିବାବେଳେ ଜଣେ କପି କରି ଧରାପଡିଛନ୍ତି। ସେହିପରି ବିଜ୍ଞାନ ଅନର୍ସରେ ୨୫୨ଜଣ ପରୀକ୍ଷା ଦେଇଥିବାବେଳେ ମୋଟ ୧୭୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସମ୍ମାନରେ ୮୮ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଂକସନ, ୭୯ଜଣ ପ୍ରଥମ ଶ୍ରେଣୀ, ୧୦ଜଣ ଦ୍ୱିତୀୟ ଶ୍ରେଣୀରେ ଉର୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନ ବିଭାଗରେ ୭୫ଜଣ ଫେଲ୍ ହୋଇଛନ୍ତି। ଅନୁରୂପ ବାଣିଜ୍ୟ ବିଭାଗରେ ମୋଟ ୨୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୧୭୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୬ଜଣ ଡିଷ୍ଟିଂକସନ ସହ ପ୍ରଥମ ଶ୍ରେଣୀ, ୪୦ଜଣ ପ୍ରଥମ ଶ୍ରେଣୀ, ୯୧ଜଣ ଦ୍ୱିତୀୟ ଶ୍ରେଣୀରେ ଉର୍ତୀର୍ଣ୍ଣ ହୋଇଥିବାବେଳେ ୬୩ଜଣ ଫେଲ ଓ ଜଣେ କପି କରି ଧରା ପଡିଛନ୍ତି। ସେଲଫ୍ ଫାଇନାନ୍ସରେ ୨୫୫ ଜଣ ପରୀକ୍ଷା ଦେଇଥିବାବେଳେ ୨୦୫ ଜଣ ପାସ୍ କରିଛନ୍ତି। ଏମାନଙ୍କ ମଧ୍ୟରୁ ୮୦ ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଂକସନ, ୧୧୨ ଜଣ ପ୍ରଥମ ଶ୍ରେଣୀ ଅନର୍ସ, ୧୩ ଜଣ ଦ୍ୱିତୀୟ ଶ୍ରେଣୀ ଅନର୍ସ, ୪୭ ଜଣ ଫେଲ୍ ହୋଇଥିବାବେଳେ ୩ ଜଣ କପି କରି ଧରାପଡିଛନ୍ତି। ପରୀକ୍ଷା ନିୟନ୍ତ୍ରକ ଡ. ଅଜିତ୍ କୁମାର ଦାସ, ଡ. ପ୍ରତାପ ଚନ୍ଦ୍ର ସାହୁ, ଡ. ପଦ୍ମନାଭ ମହାନ୍ତି, ଡ. ସନ୍ତୋଷ କୁମାର ସେଠୀ, ଡ. ଲକ୍ଷ୍ମୀକାନ୍ତ ନାୟକ, ଡ. ସଂଜୟ କୁମାର ଦତ, ଡ. ମନୋରଞ୍ଜନ ସେଠୀ, ଡ. ବ୍ରହ୍ମାନନ୍ଦ ପଣ୍ଡା, ଡ. ଦେବାଶିଷ ସାହୁ, ସତ୍ୟରଞ୍ଜନ ବାରିକ, ସୁରେଶ ଚନ୍ଦ୍ର ରାଉତ, ମଦନ ମୋହନ ବିନ୍ଧାଣୀ, ରାଜେନ୍ଦ୍ର କୁମାର ଦାସ ଓ ପ୍ରମୋଦ କୁମାର ବେହେରା ପ୍ରମୁଖ ପରୀକ୍ଷା ଫଳ ପ୍ରକାଶ ସମୟରେ ଉପସ୍ଥିତ ଥିଲେ।








