Home ଜିଲ୍ଲା ପରିକ୍ରମା ପୌରାଧ୍ୟକ୍ଷ-ବିଧାୟକ ବିବାଦ ବନାମ ପୌରପାଳିକା ବିକାଶ, ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ଅସହଯୋଗ ନେଇ ଗୁଲ୍ଲମକୀଙ୍କ ବିଷୋଦଗାର,...

ପୌରାଧ୍ୟକ୍ଷ-ବିଧାୟକ ବିବାଦ ବନାମ ପୌରପାଳିକା ବିକାଶ, ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ଅସହଯୋଗ ନେଇ ଗୁଲ୍ଲମକୀଙ୍କ ବିଷୋଦଗାର, ଦୋଷାରପ ସଂପୂର୍ଣ୍ଣ ଭିତ୍ତିହୀନ- ସଂଜୀବ

50

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଣିଥରେ ଭଦ୍ରକ ପୌରପାଳିକାର ବିକାଶର କାର୍ଯ୍ୟଧାରାକୁ ନେଇ ପୌରାଧ୍ୟକ୍ଷା ଓ ସ୍ଥାନୀୟ ବିଧାୟକ ମୁହାମୁହିଁ ହୋଇଛନ୍ତି। ତେବେ ପୌରାଧ୍ୟକ୍ଷ ଗୁଲମକ୍କୀ ଦଲାୱଜି ହବିବ୍ ବିଧାୟକଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ଟାର୍ଗେଟ୍ କରିଥିବାବେଳେ ବିଧାୟକ ସଂଜୀବ ମଲ୍ଲିକ ଏହାକୁ ସଂପୂର୍ଣ୍ଣ ଭାବେ ମିଥ୍ୟା ଓ ଭିତ୍ତିହୀନ କହି ଖଣ୍ଡନ କରିଛନ୍ତି। ଭଦ୍ରକ ପୌରପାଳିକାର ବିକାଶରେ ସ୍ଥାନୀୟ ବିଧାୟକ ଓ ରାଜନୈତିକ ବ୍ୟକ୍ତିବିଶେଷଙ୍କ ପ୍ରତିବନ୍ଧକକୁ ନେଇ ଆଜି ପୁଣିଥରେ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ୍ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦର ସ୍ୱର ଉଠାଇଛନ୍ତି। ଏବଂ ପୌରବାସୀ ସହରର ବିକାଶ କ୍ଷେତ୍ରରେ ତାଙ୍କ ପ୍ରତି ଆସ୍ଥା ରଖି ସ୍ୱାଧୀନ ଭାବେ ବିଜୟୀ କରାଇଥିଲେ ମଧ୍ୟ ଏଭଳି ଧର୍ମସଂକଟ ଯୋଗୁଁ ସେ ଲୋକଙ୍କ ବିକାଶ ପାଇଁ ଆସୁଥିବା ଅର୍ଥର ସଦୁପଯୋଗ କରିନପାରି ନିଜକୁ ଅସହାୟ ମନେ କରୁଥିବାରୁ ଏ ଦିଗରେ ଗଣମାଧ୍ୟମ ସହ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି। ଆଜି ପୌରପାଳିକାର ନିଜସ୍ୱ କକ୍ଷରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଗୁଲମକ୍କୀ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଦେଇଥିବା ପ୍ରେସ୍‌ନୋଟ୍ ଓ ଅଭିଯୋଗ ମୂଳେ ସେ ଗତ ମାର୍ଚ୍ଚ ୨୬ ତାରିଖରୁ ସ୍ୱାଧୀନ ଭାବେ ନିର୍ବାଚିତ ହେବା ପରେ ଏପ୍ରିଲ ୧ ରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ନିଜ କାର୍ଯ୍ୟକାଳର ଉକ୍ତ ୮ ମାସର କାର୍ଯ୍ୟଧାରା ଓ ପଦକ୍ଷେପ ମଧ୍ୟରେ ସମସ୍ତ ୩୦ ଗୋଟି ୱାର୍ଡରେ ବିପର୍ଯ୍ୟସ୍ତ ହୋଇ ରହିଥିବା ପରିମଳ ବ୍ୟବସ୍ଥାର ପୁନଃ କାର୍ଯ୍ୟକ୍ଷମ କରାଇବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱଚ୍ଛତା ମିଶନ କାର୍ଯ୍ୟକ୍ରମକୁ ଏକମାସ ଧରି ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଲୋକଙ୍କ ସହ ସିଧାସଳଖ ଆଲୋଚନା ପୂର୍ବକ ସଫଳ କରାଇଛନ୍ତି।

ଗତ ବର୍ଷାଋତୁରେ ପୂର୍ବବର୍ଷ ଠାରୁ ଅଧିକ ବର୍ଷା ହୋଇଥିବାରୁ ନୟନଯୋରୀ ଗୁଡିକର ପୁନଃ ଉତ୍ଥାନ ଓ ସହରର ମୁଖ୍ୟ ଡ୍ରେନ୍ ଗୁଡିକ ସଫା କରାଇଛନ୍ତି। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ଗୁଡିକର ସଠିକ୍ ମୁକାବିଲା କରିବା ସହ ସହର ତଳି ଅଂଚଳରେ ବସବାସ କରୁଥିବା ଗରିବ ଲୋକଙ୍କୁ ଉଦ୍ଧାର କରିବା ଭଳି ଅନେକ କାର୍ଯ୍ୟ ହାତକୁ ନେଇଛନ୍ତି। ସହରର ମୁଖ୍ୟ ରାସ୍ତା ଗୁଡିକର ସଫେଇ ନିମିତ୍ତ ସୁଇପିଂ ମେସିନ୍ କ୍ରୟ କରାଯାଇଛି। ଦୀର୍ଘ ୪ ବର୍ଷ ଧରି ସର୍ଭେ ହୋଇ ଅଟକି ରହିଥିବା ନୂତନ ଲାଇଟ୍ ବ୍ୟବସ୍ଥାର ସୁଧାର କରି ୩ ହଜାର ନୂଆ ଲାଇଟ୍ ଲଗାଯାଇ ସହରକୁ ସଂପୂର୍ଣ୍ଣ ଆଲୋକୀକରଣ କରାଇବା କାର୍ଯ୍ୟ ହାତକୁ ନିଆଯାଇଛି। ଏତଦ୍‌ବ୍ୟତୀତ ପୌରପାଳିକାରେ ଅଧିକ ଆବଶ୍ୟକ ଲାଇଟ୍ କ୍ରୟ କରିବା ନେଇ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ପତ୍ର ଦ୍ୱାରା ଅନୁରୋଧ କରାଯାଇଛି। ସହର ମଧ୍ୟରେ ବୃଦ୍ଧି ପାଉଥିବା ଅସାମାଜିକ କାର୍ଯ୍ୟକଳାପ ରୋକିବା ଦିଗରେ ପୁଲିସ୍ ଓ ଜିଲା ପ୍ରଶାସନକୁ ସହାୟତା କରିବା ନିମନ୍ତେ ମୁଖ୍ୟ ଛକଗୁଡିକରେ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇ ଆବଶ୍ୟକ ଅନୁଯାୟୀ ଅଧିକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ପୌରାଞ୍ଚଳରେ ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତ ଧର୍ମୀୟ ସ୍ଥାନଗୁଡିକର ପାରିପାର୍ଶ୍ୱିକ ପରିବେଶକୁ ସୁନ୍ଦର ଓ ବ୍ୟବସ୍ଥିତ କରି ରଖିବା ନେଇ ପଦକ୍ଷେପ ନିଆଯାଉଛି। ବିଭିନ୍ନ ୱାର୍ଡରେ ସୌନ୍ଦର୍ଯ୍ୟକରଣ ନିମିତ୍ତ ପାର୍କ ଓ ଜିମ୍‌ର ବ୍ୟବସ୍ଥା କରାଯାଇ ୩୦ଟି ୱାର୍ଡରେ ବୃକ୍ଷରୋପଣ କରାଯାଇ ପାର୍କ ଗୁଡିକରେ ମଧ୍ୟ ନୂତନ ବୃକ୍ଷ ଲଗାଯାଇଛି। ସହରରେ ଆବଶ୍ୟକ ଅନୁଯାୟୀ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଶୌଚାଳୟ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ଅଳିଆ ବୋହିବା ପାଇଁ ନୂତନ ଗାଡି ଓ ଟ୍ରଲି କ୍ରୟର ବ୍ୟବସ୍ଥା କରାଯାଇଛି। ସହର ମଧ୍ୟରେ ମଶାଙ୍କ ଉପଦ୍ରବ ହ୍ରାସ କରାଯିବା ପାଇଁ ଫଗିଂ ମେସିନ୍‌ର ବ୍ୟବହାର କରାଯିବା ସହ ଅଧିକ ମେସିନ୍‌ଟିଏ ମଧ୍ୟ କ୍ରୟ କରାଯାଇଛି। ୬ ଶହରୁ ଅଧିକ ସଂଖ୍ୟକ ଆବାସ ଯୋଜନାରେ ହିତାଧିକାରୀ ଚୟନ କରାଯାଇ ଗୃହ ଆବଣ୍ଟିତ କରାଯିବା ସହ ଏହି ପ୍ରକ୍ରିୟା ଜାରି ରହିଛି।

ଏତଦ୍‌ବ୍ୟତୀତ ସହର ମଧ୍ୟରେ ସମସ୍ତ ୱାର୍ଡକୁ ସଂଯୋଗୀକରଣ କରାଯାଇ ଏକ ମୁଖ୍ୟ ଡ୍ରେନ୍ ମାଧ୍ୟମରେ ଜଳ ନିଷ୍କାସନ ନିମନ୍ତେ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇ ଡବ୍ଲ୍ୟୁଏପିସିଏସ୍ ସଂସ୍ଥାକୁ ନିୟୋଜିତ କରାଯାଇଛି। ତେବେ ବର୍ତ୍ତମାନ ବହୁ କୋଟି ଟଙ୍କା ବ୍ୟୟରେ ସମସ୍ତ ୱାର୍ଡରେ ରାସ୍ତା ଓ ଡ୍ରେନ୍ ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚାଲୁ ରହି ଖୁବଶୀଘ୍ର କାର୍ଯ୍ୟଗୁଡିକର ସମାପନର ପ୍ରତ୍ୟକ୍ଷ ତଦାରଖ ସେ କରିଆସୁଥିବାବେଳେ ଏଭଳି ଜନହିତକର କାର୍ଯ୍ୟକ୍ରମରେ କିଛି ନ୍ୟସ୍ତସ୍ୱାର୍ଥ ରାଜନେତା ବ୍ୟାଘାତ ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେମାନେ ତାଙ୍କର କାର୍ଯ୍ୟ ପରିସର ମଧ୍ୟକୁ ସେମାନଙ୍କର ଅଯଥା ଅନୁପ୍ରବେଶକୁ ତୀବ୍ର ନିନ୍ଦା କରିବା ସହ ସେମାନଙ୍କର ଇଚ୍ଛା ବିରୁଦ୍ଧରେ ପୌରବାସୀ ତାଙ୍କୁ ନିର୍ବାଚିତ କରିଥିବାରୁ ସେମାନଙ୍କର ସେବା ତାଙ୍କର ପ୍ରଥମ ପ୍ରାଥମିକତା ଅଟେ ବୋଲି କହିଛନ୍ତି। ତେବେ ପୌର ପ୍ରଶାସନକୁ ସ୍ଥାଣୁ କରିବା ଦିଗରେ ପୁରୁଣାବଜାର ଅଂଚଳରେ ଏକ ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡିର ବ୍ୟବସ୍ଥା କରିବାକୁ ସେ ସାଂସଦଙ୍କୁ ଅନୁରୋଧ କରିଥିବାବେଳେ ଏହାକୁ ସ୍ଥାନୀୟ ବିଧାୟକ ବିରୋଧ କରୁଥିବାର ଅଭିଯୋଗ କରିଛନ୍ତି। ଏପରିକି ଅପର୍ତ୍ତିବିନ୍ଧା ଛକରେ ଉଚ୍ଛେଦ ହୋଇଥିବା ଗରିବ ଲୋକଙ୍କ ଦୋକାନ, କଚେରୀ-ପୁରୁଣାବଜାର ରାସ୍ତା ନିର୍ମାଣ, ନୂତନ ବସ୍‌ଷ୍ଟାଣ୍ଡର କାର୍ଯ୍ୟକ୍ଷମ, ମେଡିକାଲ କଲେଜ ଦାବି, ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଗରେ ସେ ବିଧାୟକଙ୍କ ନିରବତା ପ୍ରତି ସିଧାସଳଖ ଆକ୍ଷେପ କରିଛନ୍ତି।

ମୁଖ୍ୟ ଚିକିତ୍ସାଳୟର ଦୂରାବସ୍ଥା, ପୁରୁଣାବଜାର ଅଂଚଳର ଉନ୍ନତି, ଅପର୍ତ୍ତିବିନ୍ଧା ଛକ କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯାଇନଥିବାବେଳେ ପୁନର୍ବାର ବନ୍ତଛକରେ ଉଚ୍ଛେଦକୁ ସେ ତୀବ୍ର ନିନ୍ଦା କରିଛନ୍ତି। ପୌରପାଳିକା ପକ୍ଷରୁ ଏହି ଗରିବ ଲୋକଙ୍କ ପାଇଁ ବିଭିନ୍ନ ଜାଗାରେ ଭେଣ୍ଡିଂ ଜୋନ୍ ବ୍ୟବସ୍ଥା ପାଇଁ ସେ ଚେଷ୍ଟା କରୁଥିବାବେଳେ ସ୍ଥାନୀୟ ବିଧାୟକ ସେମାନଙ୍କ ଅନୁଗତ କାଉନସିଲରଙ୍କ ଦ୍ୱାରା ପୌର ସଭାରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ବୋଲି ଆକ୍ଷେପ କରିବା ସହ ୨୦୧୯ ମସିହାରୁ ଭଦ୍ରକାଳୀଙ୍କ ପୀଠର ମୁଖ୍ୟ ରାସ୍ତାର ପୁନରୁଦ୍ଧାର, ମଦିନା ମଇଦାନ ଓ ଇଦ୍‌ଗାହା ଭଳି ସ୍ଥାନର ଉନ୍ନତି କେବଳ ତାଙ୍କ ଭାଷଣରେ ସୀମିତ ରହିଯାଇଛି ବୋଲି ଆକ୍ଷେପ କରିଛନ୍ତି। ଏବଂ ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ସେ ଏବେ ସଂଗ୍ରାମ ଆରମ୍ଭ କରିବା ସହ ସ୍ମାର୍ଟ ସ୍ଲୋଗାନ ବଦଳରେ ସ୍ମାର୍ଟ କାର୍ଯ୍ୟ କରିବା ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି। ତଥାପି ତାଙ୍କର ଏହି ସୀମିତ କାର୍ଯ୍ୟକାଳ ମଧ୍ୟରେ ନିଜର ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ନୁହଁନ୍ତି ବୋଲି କହିବା ସହ ଏ ଦିଗରେ ଯେଉଁ ଅସହଯୋଗ ରହିଛି, ତାହା ବଖାଣିବା ସହ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ ତାଙ୍କର କାର୍ଯ୍ୟଶୈଳୀକୁ ଗଠନ ମୂଳକ ସମାଲୋଚନା କଲେ ସେ ନିଜ କାର୍ଯ୍ୟର ସୁଧାର ଆଣିପାରିବେ ବୋଲି କହିଛନ୍ତି। ତେବେ ପୌରପାଳିକାର ବିକାଶରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ବାଧା ନେଇ ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଦେଇଥିବା ସୂଚନା ଅନୁସାରେ ପୌରାଧ୍ୟକ୍ଷାଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ଭଦ୍ରକ ପୌରାଞ୍ଚଳର ବିକାଶ ସେ ସବୁବେଳେ ଚାହିଁଛନ୍ତି ଏବଂ ସେଥିପାଇଁ ସେ କାର୍ଯ୍ୟ କରିଛନ୍ତି।

ବିଗତଦିନରେ ପୌରପାଳିକାକୁ ଆସିଥିବା ପ୍ରାୟ ଶହେ କୋଟି ଟଙ୍କାରୁ ୭୦-୭୫ କୋଟିର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ପରବର୍ତ୍ତୀ ସମୟରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପୌରାଧ୍ୟକ୍ଷଙ୍କୁ ସେ ପୌରାଞ୍ଚଳର ବିକାଶରେ ସଂପୂର୍ଣ୍ଣ ଭାବେ ସହଯୋଗ କରିବା ପାଇଁ କହିଥିଲେ। ଏହି ପରିପ୍ରେକ୍ଷୀରେ ଗତ କାଉନ୍‌ସିଲ ବୈଠକରେ ୨୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରକଳ୍ପର ମଂଜୁର କରାଇଛନ୍ତି। ଏବଂ ଅବଶିଷ୍ଟ ବଳକା ରହିଥିବା ଟଙ୍କାକୁ ସଂଖ୍ୟାଧିକ ଥିବା ଦଳୀୟ କାଉନ୍‌ସିଲରମାନେ ୩୦ ଗୋଟି ୱାର୍ଡରେ ବାକି ଥିବା ଅନ୍ୟ କାର୍ଯ୍ୟଗୁଡିକ ଜେଇଙ୍କ ଦ୍ୱାରା ମାପଚୁପ କରାଇ ଏଷ୍ଟିମେଷ୍ଟ ପ୍ରସ୍ତୁତ କରି କାଉନ୍‌ସିଲ ବୈଠକରେ ଆଗତ କରାଯାଇ, ତାହାକୁ ମଂଜୁର କରାଇବା ଦିଗରେ ସେମାନେ କହିଛନ୍ତି। ଏବଂ ତାହାକୁ ୭ ଦିନ ମଧ୍ୟରେ ଟେଣ୍ଡର କରାଯିବା ପାଇଁ ମଧ୍ୟ କହିଛନ୍ତି। ଏବଂ ପୌରାଧ୍ୟକ୍ଷା ତାଙ୍କ ପ୍ରତି ଥିବା କ୍ଷୋଭକୁ ଦୂରକରି ପୌରପାଳିକାର ବିକାଶ ଦିଗରେ ବିଗତ ଦିନରେ ତାଙ୍କର ସହଯୋଗ ରହିଛି ଓ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ଗଣମାଧ୍ୟମରେ ଜରିଆରେ କହିଛନ୍ତି। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ସହରର ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଥିବା ଟ୍ରଲି, ଉଠାଦୋକାନୀ ଓ ବୁଲା ଗୋରୁଗୋଈଙ୍କ ସଂପର୍କରେ ପୌରାଧ୍ୟକ୍ଷାଙ୍କ ଉଦାସୀନତା ପ୍ରତି ଗଣମାଧ୍ୟମ ପ୍ରତିନିଧିମାନେ ସ୍ୱର ଉଠାଇଥିବାବେଳେ ଏ ଦିଗରେ ଜିଲାପାଳ ଓ ପୁଲିସ୍ ପ୍ରଶାସନ ସହ ଜନସାଧାରଣଙ୍କର ସହଯୋଗ ନରହିଲେ ତାହା ଦୂରକରି ହେବ ନାହିଁ ବୋଲି ସେ କହିଥିଲେ। ଏଣୁ ପୌରାଧ୍ୟକ୍ଷା ଓ ବିଧାୟକଙ୍କ ଏହି ବିବାଦର ଅବସାନ ଘଟି ସହରବାସୀ କେବେ ବିକାଶର ସଂପୂର୍ଣ୍ଣ ଚିତ୍ର ଦେଖିବା ସହ ସମସ୍ୟାର ଅନ୍ତ ଘଟିବ, ତାହା ସମୟ କହିବ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.