Home ଜିଲ୍ଲା ପରିକ୍ରମା ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ ମୂଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ଶୋଭାଯାତ୍ରା ଓ ବିକ୍ଷୋଭ

ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ ମୂଲ୍ୟବୃଦ୍ଧି ପ୍ରତିବାଦରେ କଂଗ୍ରେସର ସାଇକେଲ ଶୋଭାଯାତ୍ରା ଓ ବିକ୍ଷୋଭ

25

ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶରେ ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ ପ୍ରଭୃତି ଅତ୍ୟାବଶ୍ୟକ ଜିନିଷର ଅହେତୁକ ମୂଲ୍ୟବୃଦ୍ଧି ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ପ୍ରଭାବିତ କରିଛି । କଂଗ୍ରେସ ନେତୃତ୍ୱାଧୀନ ସରକାର କେନ୍ଦ୍ରରେ ଥିବା ସମୟରେ ୬୮ ଟଙ୍କାରେ ପେଟ୍ରୋଲ ୭୦ ଟଙ୍କାରେ ଖାଇବା ତେଲ ଜନସାଧାରଣଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା ଯାହା ପାଇଁ ଲୋକେ ସରକାର ବଦଳାଇ ଦେଲେ । ନରେନ୍ଦ୍ର ମୋଦିଙ୍କ ଚିକ୍‌ଣିଆ କଥାରେ ଆଚ୍ଛା ଦିନର ସ୍ୱପ୍ନ ନେଇ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଏବେ ପେଟ୍ରୋଲ ଦର ୧୦୩ ଟଙ୍କା ତ ଖାଇବା ତେଲ ୨ଶହ, ରନ୍ଧନ ଗ୍ୟାସ ୯ଶହ ପହଞ୍ଚିଲାଣି । ତେବେ ଏହା କଣ ନରେନ୍ଦ୍ର ମୋଦିଙ୍କ ଆଚ୍ଛାଦିନ ବୋଲି ଆଜି କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏକ ବିକ୍ଷୋଭ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ପ୍ରଶ୍ନ କରିଛନ୍ତି । ଦେଶରେ ତୈଳଦର ବୃଦ୍ଧିକୁ ପ୍ରତିବାଦ କରି କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ଦାସ, ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତି, ବାସୁଦେବପୁର କଂଗ୍ରେସ ନେତା ଅଶୋକ ଦାସ, ଚାନ୍ଦବାଲି କଂଗ୍ରେସ ନେତା ଦିଗମ୍ବର ଦାସ ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ ନେତା, ସମର୍ଥକ, କର୍ମୀମାନେ ଜିଲ୍ଲା କାର୍ଯ୍ୟାଳୟରୁ ଏକ ସାଇକେଲ ଶୋଭାଯାତ୍ରାରେ ଆସି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ସଭାପତିତ୍ୱ କରି ଜିଲ୍ଲା ସଭାପତି ଶ୍ରୀ ଦାସ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଆରୋପ କରି ବକ୍ତବ୍ୟ ରଖିଥିଲେ । ଓଡ଼ିଶାରେ ଏବେ ଭାଗୁଆଳି ସରକାର ଚାଲିଛି । କୁମ୍ଭୀର କାନ୍ଦଣା କାନ୍ଦି ବିଜେଡ଼ି ବିଜେପିକୁ ବିରୋଧ କରୁଥିବା ବେଳେ ଭିତିରି ସଲାସୁତରା ବେଶ୍ ଭଲ ଭାବେ ଜାରି ରହିଛି ।

ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ବିଜେଡି ନିରବ ରହିଛି । ତେଲରୁ ମିଳୁଥିବା ଭାଟ ମାଧ୍ୟମରେ ଟଙ୍କା ରାଜ୍ୟ ସରକାରଙ୍କୁ ବେଶ୍ ସୁହାଉଛି । ସାଧାରଣ ଲୋକ, ଦୀନ ମଜୁରିଆ ଯେଉଁମାନେ ଅଟୋରେ, ମୋଟର ସାଇକେଲରେ ମାଲ ବୋହି ବେପାର ବଣିଜ କରି ଚଳୁଛନ୍ତି ସେମାନେ ଗାଡିରେ ତେଲ ପକାଇବାକୁ ଯିବାକୁ ଭୟ କରୁଛନ୍ତି । ମାଲବୁହା ଗାଡିର ଭଡା ଅହେତୁକ ବୃଦ୍ଧି ସାଧାରଣ ବ୍ୟବସାୟୀଙ୍କ ଉପରେ ପଡ଼ୁଛି । ବଜାରର ସବୁ ପ୍ରକାର ବ୍ୟବସାୟ ପରିବହନ ଜନିତ ମୂଲ୍ୟବୃଦ୍ଧି ଦ୍ୱାରା ପ୍ରଭାବିତ ହେଉଛି ବୋଲି କଂଗ୍ରେସ ନେତୃମଣ୍ଡଳୀ ବକ୍ତବ୍ୟରେ କହିଥିଲେ । ପରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳା ଦାହ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଜିଲ୍ଲା ମହିଳା ସଭାନେତ୍ରୀ ସବିତା ଚାନ୍ଦ, ଭଣ୍ଡାରିପୋଖରୀ ବ୍ଳକ ସଭାପତି ରଜନୀକାନ୍ତ ଚାନ୍ଦ, ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ସାମଲ, ଟାଉନ ସଭାପତି ଅବଦୁଲ ମୁକିତ ଖାଁ, ଚାନ୍ଦବାଲି ବ୍ଲକ ଉପସଭାପତି ଶ୍ରୀଧର ସାହୁ, ଜିଲ୍ଲା ମୁଖପାତ୍ର ଭବେନ୍ଦ୍ର ସାହୁ, ଜିଲ୍ଲା ଛାତ୍ରକଂଗ୍ରେସ ସଭାପତି ସୌମ୍ୟରଂଜନ ବାରିକ, ଦିଲିପ ନାୟକ, ସେକ୍ ସମ୍‌ଦାନୀ, ଗୁଲାମ ମଇରୁଦ୍ଦିନ, ପୀତବାସ ଧଳ, ବୈଲୋଚନ ପଣ୍ଡା, ବିଜୟ ବାରିକ, ପ୍ରଦ୍ୟୁମ୍ନ ଦାସ, ସଞ୍ଜୟ ମିଶ୍ର, ପୀତାମ୍ବର ନାୟକ, ବିଜୟ ଶଙ୍କର ମହାନ୍ତି, ରାଜକିଶୋର ପଣ୍ଡା, ସତ୍ୟ ପୁହାଣ, ସେକ୍ ପାପା, ଟୋନି ଅଲୀ ଖାଁ, ସୁବ୍ରତ ବେହୁରିଆ, ହେମନ୍ତ ମହାପାତ୍ର, ରଞ୍ଜନ ଜେନା, ଧରିତ୍ରୀ ଜେନା, ବାସନ୍ତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.