Home ଜିଲ୍ଲା ପରିକ୍ରମା ପୁଣ୍ୟଶ୍ଳୋକ ଭଗବାନ ଦ୍ୱିବେଦୀଙ୍କ ସ୍ମୃତିରେ ଆୟୋଜିତ ଭଦ୍ରାଣୀ ସମ୍ମାନ ସମାରୋହ, ‘ପ୍ରେମ ସଂଶ୍ଳିଷ୍ଟ ସେବା ହିଁ...

ପୁଣ୍ୟଶ୍ଳୋକ ଭଗବାନ ଦ୍ୱିବେଦୀଙ୍କ ସ୍ମୃତିରେ ଆୟୋଜିତ ଭଦ୍ରାଣୀ ସମ୍ମାନ ସମାରୋହ, ‘ପ୍ରେମ ସଂଶ୍ଳିଷ୍ଟ ସେବା ହିଁ ମାଧବ ସେବା’

19

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁଣ୍ୟଶ୍ଳୋକ ଭଗବାନ ଦ୍ୱିବେଦୀଙ୍କ ସମଗ୍ର ଜୀବନ ସେବା ଓ ପ୍ରେମରେ ସମର୍ପିତ ଥିଲା। ଭଗବାନ ଶ୍ରୀସତ୍ୟସାଇ ବାବାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ପରେ ତାଙ୍କ ଜୀବନମାର୍ଗ ଆହୁରି ପ୍ରଶସ୍ତ ହୋଇଗଲା। ଶ୍ରୀସତ୍ୟସାଇ ଦର୍ଶନ ଦୁଇଟି ବଳିଷ୍ଠ ଆଦର୍ଶ ଉପରେ ପ୍ରତିଷ୍ଠିତ : ପ୍ରେମ ଓ ସେବା। ଯେଉଁ ସେବା କାର୍ଯ୍ୟକୁ ଚିପୁଡିଦେଲେ ପ୍ରେମର ମନ୍ଦାକିନୀ ପ୍ରବାହିତ ହୁଏ, ତାହା ହିଁ ମାଧବ ସେବା ଏବଂ ଭଗବାନ ଦ୍ୱିବେଦୀ ସାରା ଜୀବନ ଏହି ଆଦର୍ଶରେ ବିଶ୍ୱାସ କରୁଥିଲେ। ପ୍ରେମ ରହିତ ସେବା ବ୍ୟକ୍ତି ଅହଂକାରର ନିଦର୍ଶନ। ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଭଗବାନ ଦ୍ୱିବେଦୀଙ୍କ ପବିତ୍ର ସ୍ମୃତିରେ ଆୟୋଜିତ ‘ଭଦ୍ରାଣୀ ସମ୍ମାନ’ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯଶସ୍ୱୀ ସାରସ୍ୱତ ସ୍ରଷ୍ଟା ତଥା ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ଅତିବଡୀ ସମ୍ମାନରେ ବିଭୂଷିତ ଡଃ ରାମଚନ୍ଦ୍ର ବେହେରା ଏହି ମତ ବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ‘ଆଦୃତା ଶିଶୁ ସଦନ’ର ପ୍ରତିଷ୍ଠାତା ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଦିତ୍ୟ କୁମାର ମହାନ୍ତିଙ୍କୁ ଉପଢ଼ୌକନ, ଉପହାର, କୃତଜ୍ଞତାପତ୍ର ଏବଂ କୋଡିଏ ହଜାର ଟଙ୍କା ସମ୍ମାନ ରାଶି ସହ ‘ଭଦ୍ରାଣୀ ସେବା ସମ୍ମାନ’ ପ୍ରଦାନ କରାଯାଇଥିଲା।

ମୁଖ୍ୟ ଅତିଥି ଡଃ ବେହେରା, ପ୍ରଫେସର ମହାନ୍ତିଙ୍କୁ ଶ୍ରୀମଦ୍‌ଭଗବଦ୍‌ଗୀତାରେ ବର୍ଣ୍ଣିତ ଜ୍ଞାନ, କର୍ମ, ଭକ୍ତି, ସେବା ଓ ସମର୍ପଣର ମଧୁର ସମନ୍ୱୟ ଭାବେ ଅଭିହିତ କରିବା ସହ ଯେଉଁ ସଦ୍ୟଜାତ ଶିଶୁ କନ୍ୟାମାନଙ୍କୁ ପରିବାର ଗୋଡ଼ରେ ଏଡ଼ାଇ ଦେଇଥାଏ ସେହିମାନଙ୍କୁ ‘ଆଦୃତା ଶିଶୁ ସଦନ’ କୋଳେଇ ନେଇ କିପରି ଲାଳନପାଳନ କରିଥାଏ, ତାହାର ଝଲକ ପ୍ରଦାନ କରିଥିଲେ। ଅଧୂନା ରାଜ୍ୟର ପ୍ରମୁଖ ସହରରେ ‘ଆଦୃତା ଶିଶୁ ସଦନ’ ସଂସ୍ଥାର ଦଶଟି ଶାଖାରେ ଶିଶୁ କନ୍ୟାଙ୍କ ସଂଖ୍ୟା ୬୦୦ରୁ ଊର୍ଦ୍ଧ୍ୱ। ପ୍ରଫେସର ମହାନ୍ତି ସମ୍ବର୍ଦ୍ଧନା ଗ୍ରହଣ କରିବା ପରେ ସେବା କିପରି ଜୀବନକୁ ମହନୀୟ କରିଦିଏ ଆଦୃତା ଶିଶୁ ସଦନ ଜନ୍ମ ପରିପ୍ରେକ୍ଷୀରେ ତାହାର ଚିତ୍ର ପ୍ରଦାନ କରିଥିଲେ। ଏହି ସମାରୋହରେ ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡଃ ଗୌରୀଶଙ୍କର ସାହୁଙ୍କୁ ଉଦୀୟମାନ ପ୍ରତିଭାବନ୍ତ ସ୍ତମ୍ଭକାର ଭାବେ ‘ଭଦ୍ରାଣୀ ସ୍ତମ୍ଭ ସାହିତ୍ୟ ସମ୍ମାନ – ତରୁଣବର୍ଗ’ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଡଃ ବେହେରା ଏହି ନୂଆ ପିଢ଼ିର ସ୍ତମ୍ଭକାରଙ୍କୁ ସମାଜର ମୁକୁର ଭାବେ ବର୍ଣ୍ଣନା କରିବା ସହ ତାଙ୍କୁ ଉପହାର, ଉପଢ଼ୌକନ ଏବଂ ସମ୍ମାନସୂଚକ ଦଶହଜାର ଟଙ୍କା ପ୍ରଦାନ କରିଥିଲେ। ତାଙ୍କ ସ୍ତମ୍ଭସାହିତ୍ୟରେ କିପରି ସାମାଜିକ ଓ ଅର୍ଥନୈତିକ ସିଡ଼ିର ଶେଷ ପାହାଚରେ ଥିବା ବର୍ଗଙ୍କ ଜୀବନର କରୁଣ ଚିତ୍ର, ପ୍ରଚଳିତ ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥାର ଶାଣିତ ତର୍ଜମା ଏବଂ ବିଜ୍ଞାନସମ୍ମତ ଚିନ୍ତାଧାରାର ପ୍ରସାର ପ୍ରତିଫଳିତ ତାହା ମଧ୍ୟ ବର୍ଣ୍ଣନା କରିଥିଲେ। ଭଦ୍ରକସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରମୋଦ ନାୟକ ସମାରୋହର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିବା ବେଳେ, ବଉଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପିକା ଡଃ ମମତା ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ସମାରୋହରେ ଡାକ୍ତର ହରେକୃଷ୍ଣ ନାୟକ, ରବୀନ୍ଦ୍ର ନାୟକ, ଦୁର୍ଯ୍ୟୋଧନ ଦାସ, ଶଶଧର ଦାସ, ଅଜୟ ନାୟକ, ଶୁଭ୍ରପ୍ରକାଶ ଦାସ, ମଦନ ପଣ୍ଡା ପ୍ରମୁଖ ଭଦ୍ରକର ଶତାଧିକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ଭଦ୍ରାଣୀ ଟ୍ରଷ୍ଟର ଅଧ୍ୟକ୍ଷା ମୀନୁ ଦ୍ୱିବେଦୀ, ସାଇଗୀତା, ସାଇକୁମାର, ସତ୍ୟଜିତ, ମାନାଲି ସଭା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.