Home ଓଡ଼ିଶା ପାରିକୁଳ ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ନିଷ୍କ୍ରିୟ ପୁଲିସ – ଜିଲ୍ଲାପାଳଙ୍କଠାରେ ବୁଆଁଳ ଗ୍ରାମବାସୀଙ୍କ...

ପାରିକୁଳ ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ନିଷ୍କ୍ରିୟ ପୁଲିସ – ଜିଲ୍ଲାପାଳଙ୍କଠାରେ ବୁଆଁଳ ଗ୍ରାମବାସୀଙ୍କ ଫେରାଦ

58

ବାଲେଶ୍ୱର, ୧୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ସଦର ବ୍ଲକ ଅନ୍ତର୍ଗତ ବୁଆଁଳ ସମେତ ଆଖପାଖ ୭ ଗୋଟି ପଞ୍ଚାୟତରେ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଥିବା ତଥା ନିକଟ ଅତୀତରେ ଛତ୍ରପୁର ଛକରେ ଜନୈକ ଯୁବକଙ୍କୁ ହତ୍ୟା କରିଥିବା ଅପରାଧୀଙ୍କୁ ଗିରଫ କରିବାରେ ପୁଲିସର ନିଷ୍କ୍ରିୟତାକୁ ନେଇ ଆଜି ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା। ବୁଆଁଳ ଅଞ୍ଚଳର ବହୁ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ଗତ ୩ ତାରିଖରେ ଛତ୍ରପୁର ଛକରେ ହୋଇଥିବା ସଂଘବଦ୍ଧ ଆକ୍ରମଣରେ ପାରିକୁଳର ତପନ ପାତ୍ରଙ୍କର ମୃତ୍ୟୁ ଓ ଚିକିତ୍ସାଧୀନ ଥିବା ଗୁରୁତର ଆହତ ପ୍ରିୟବ୍ରତ ମହାପାତ୍ରଙ୍କ ସମ୍ପର୍କରେ ଅବଗତ କରିଛନ୍ତି। ଏହି ହତ୍ୟାକାଣ୍ଡର ଅପରାଧୀମାନଙ୍କୁ ତୁରନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ। ସଦର ଥାନା ପୁଲିସ ଚାପରେ ପଡ଼ି ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ବୁଆଁଳ ଅଞ୍ଚଳର ପରମେଶ୍ୱର ପଣ୍ଡାଙ୍କ ପୁତ୍ର ବସନ୍ତ ପଣ୍ଡା ଓରଫ୍ ‘କୁନୁ’କୁ ଗିରଫ କରୁନଥିବା ଗ୍ରାମବାସୀମାନେ ଆରୋପ କରିଛନ୍ତିି। ସଦର ପୁଲିସ ଏହି ହତ୍ୟାକାଣ୍ଡକୁ ନେଇ ୨୧୫/୨୦୨୦ ନଂର ମାମଲା ରୁଜୁ କରି ୨ /୪ ଜଣ ଯୁବକଙ୍କୁ ଗିରଫ କରିଥିଲେ ବି ମୁଖ୍ୟ ଅଭିଯୁକ୍ତ କୁନୁ ପଣ୍ଡା ଓ ତାର ୫ ଜଣ ସହଯୋଗୀଙ୍କୁ ଗିରଫ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ ପ୍ରକାଶ କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ହାରିବା ପରେ କୁନୁ ପଣ୍ଡା ବାଲି ଓ ମଦ ଚୋରା ବ୍ୟବସାୟ କରି ସେ ଅଞ୍ଚଳର ଯୁବକଙ୍କ ଜରିଆରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛି। ତେବେ ଗତ କିଛିମାସ ପୂର୍ବରୁ ସେ ସଦର ବ୍ଲକ ବିଜେଡି ସଭାପତି ଭାବେ ମନୋନୀତ ହେବା ପରେ ତା’ର ଦୌରାତ୍ମ୍ୟ କ୍ରମଶଃ ବଢ଼ି ଚାଲିଛି। ଏମିତିକି ତାକୁ ଗିରଫ ନ କରିବା ଓ ତା’ର ନାମକୁ ଚାର୍ଜସିଟ୍‌ରୁ କାଟିବା ପାଇଁ ବିଜେଡି ନେତାମାନେ ପୁଲିସ ଉପରେ ଚାପ ପକାଉଥିବା ଗ୍ରାମାବାସୀମାନେ କହିଛନ୍ତି। ଏହି ହତ୍ୟାକାଣ୍ଡରୁ ଯଦି କୁନୁ ପଣ୍ଡାକୁ ମୁକ୍ତ କରାଯାଏ, ତାହାଲେ ଆଗାମୀ ଦିନରେ ବୁଆଁଳ ସମେତ ଆଖପାଖ ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ସାଙ୍ଗକୁ ତପନଙ୍କ ଭଳି ବହୁ ହରିଜନ ଯୁବକ ମୃତ୍ୟୁ ବରଣ କରିବେ ବୋଲି ସେମାନେ କହିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ କୁନୁପଣ୍ଡା ଓ ତା’ର ସାଥୀଙ୍କୁ ଗୁରଫ କରାନଗଲେ ଆଗାମୀ ଦିନରେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ମୁରଲୀଧର ମହାପାତ୍ର, ସୁଦର୍ଶନ ମହାଳିକ, ଶ୍ରୀକାନ୍ତ ପାତ୍ର, ହରିଶ୍ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.