Home ଓଡ଼ିଶା ନୟାଗଡ଼: ବର୍ଷାଯୋଗୁଁ ଚାଷୀ ସାମାନ୍ୟ ଆଶ୍ୱସ୍ତି 

ନୟାଗଡ଼: ବର୍ଷାଯୋଗୁଁ ଚାଷୀ ସାମାନ୍ୟ ଆଶ୍ୱସ୍ତି 

102

ନୟାଗଡ଼, ୨୨ା୭:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ବର୍ଷା ଅଭାବରୁ ଧାରା ଶ୍ରାବଣରେ ବୈଶାଖର ତାତି ସହ ବିଲ ଫାଟି ଆଁ କରିଥିବାବେଳେ ବୁଧବାର ଅପରାହ୍ନରେ ଲଗାତର ଝିପି ଝିପି ବର୍ଷା ଯୋଗୁଁ ଚାଷୀ ମନରେ ଆଶ୍ୱସ୍ତି ଆଣିଛି। ସବୁଆଡ଼ୁ ନିରାଶ ହୋଇ ଶେଷରେ ଚାଷୀ ଧାନ ଚାଷରେ ମନୋନିବେଶ କରି ଚାଷକାର୍ଯ୍ୟ ଆଗେଇ ନେବାକୁ ବସିଥିବାବେଳେ ବର୍ଷା ବାଧକ ସାଜିଥିଲା। ହେଲେ ଆଜିର ବର୍ଷାରେ ଚାଷୀ ମନରେ ଖୁସି ଆଣିଦେଇଛି। ପାଣିପାଗ ପୂର୍ବାନୁମାନ ଅନୁସାରେ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି କହିଥିଲା। ମୌସୁମୀବି ଆସି ଚାଷ କାର୍ଯ୍ୟକୁ ଠିକ୍‌ ତ୍ୱରାନ୍ନିତ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ଅର୍ଥାତ୍ ଜୁଲାଇ ମାସର ଦ୍ୱିତୀୟ ସପ୍ତାହରୁ ବର୍ଷା କୁଆଡ଼େ ଉଭାନ ହୋଇଯାଇଥିଲା। କାଁ ଭାଁ କେତେବେଳେ କେମିତି ବର୍ଷାରେ ଚାଷକାର୍ଯ୍ୟ ଆଗେଇ ପାରିନଥିଲା। ଯାହାକି ଧାନ ତଳି ଠିକ୍ ଭାବେ ହୋଇନଥିଲା କି ତଳି ଉଠାଇ ତଳି ବିଲରେ ରୁଆ ହୋଇପାରିନଥିଲା। ଏପରିକି ଜମିରେ ପାଣିର ସୁବିଧା ନଥିବାରୁ ବେଉଷଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ବର୍ଷାର ଅଭାବରେ ଧାନଚାଷ ଉଜୁଡ଼ିବାକୁ ବସିଥିବାବେଳେ ଆଜିର ବର୍ଷାରେ ଚାଷୀକୂଳ ସାମାନ୍ୟ ଆଶ୍ୱସ୍ତୀ ହୋଇଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ୧ଲକ୍ଷ ୩ହଜାର ହେକ୍ଟର ଜମିରେ ଚାଷକାର୍ଯ୍ୟ ହେବାର ଲକ୍ଷ୍ୟଧାର୍ଯ୍ୟ ଥିଲାବେଳେ ମାତ୍ର ୨ହଜାର ୯ଶହ ୯୦ ହେକ୍ଟର ଜମିରେ ଧାନବୁଣା ହୋଇଥିବା ଏବଂ ଅବଶିଷ୍ଟ ଧାନଜମିରେ ଧାନରୁଆ ହେବାର ଜିଲା କୃଷି କାର୍ଯ୍ୟାଳୟରୁ ଜଣାପଡ଼ିଛି। ଏଥିମଧ୍ୟରୁ ୨୦ହଜାର ୫୬୫ ହେକ୍ଟର ଢିପ , ୪୫ହଜାର ୩୦୭ ହେକ୍ଟର ମଧ୍ୟମ ଓ ୩୬ ହଜାର ୧୩୮ ହେକ୍ଟର ଖାଲ ଜମିରେ ଧାନ ଚାଷ ହୋଇଛି। ବର୍ଷା ଅଭାବରୁ ଢିପ, ମଧ୍ୟମ ଓ ଖାଲ ସବୁ କିସମର ଜମି ପ୍ରଭାବିତ ହୋଇଛି। ଜିଲା ଜରୂରିକାଳୀନ ବିଭାଗ ସୂତ୍ରରୁ ମିଳିଥିା ସୂଚନା ଅନୁଯାୟୀ ମେ, ଜୁନ ଏବଂ ଜୁଲାଇ ମାସରେ ଜିଲାରେ ବର୍ଷାର ପରିମାଣ ଯଥେଷ୍ଟ କମ୍ ରହିଛି। ମେ ମାସରେ ବର୍ଷାର ପରିମାଣ ୫୮.୫ ମିମି ବର୍ଷା ହେବା କଥା ମାତ୍ର ୪୬.୦୪ମିମି ଥିଲାବେଳେ ଜୁନମାସରେ ୨୦୩.୫ ମିମି ବର୍ଷା ସ୍ଥଳେ ୧୯୯.୫୭ ମିମି ହୋଇଥିଲା। ସେହିପରି ଜୁଲାଇ ମାସରେ ୨୮୮.୫ ମିମି ବର୍ଷା ହେବା କଥା ମାତ୍ର ଗତ ୨୦ ତାରିଖ ସୁଦ୍ଧା ମାତ୍ର ୮୬.୧୯ ମିମି ବର୍ଷା ହୋଇଥିଲା। ବର୍ଷା ନଥିବା ସକାଶେ ଜିଲାର ସବୁ ନଦୀ ପ୍ରାୟ ଶୁଖିଲା ପଡ଼ିଛି। କେନାଲରେ ପାଣି ନଥବା ଯୋଗୁଁ ଜମିକୁ ମଧ୍ୟ ପାଣି ଛଡ଼ାଯାଇପାରୁନାହିଁ। ତେବେ ବର୍ଷା ପାଇଁ ଚାଷୀ କୂଳ ହାହାକାର କରୁଥିବାବେଳେ ବୁଧବାରର ସ୍ୱଳ୍ପ ବର୍ଷା ହୋଇଥିଲେ ମଧ୍ୟ ଚାଷୀକୂଳ ସାମାନ୍ୟ ଆଶ୍ୱସ୍ତୀ ହୋଇଥିବା ଦେଖା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.