Home ଜିଲ୍ଲା ପରିକ୍ରମା ନୂଆ ଆଳରେ ଅର୍ଜୁନ ସେତୁକୁ ଭାଙ୍ଗିଦେଲେ, ୯ ମାସ ହେଲା ୧୦ ୱାର୍ଡବାସୀ ହନ୍ତସନ୍ତ

ନୂଆ ଆଳରେ ଅର୍ଜୁନ ସେତୁକୁ ଭାଙ୍ଗିଦେଲେ, ୯ ମାସ ହେଲା ୧୦ ୱାର୍ଡବାସୀ ହନ୍ତସନ୍ତ

33

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଧାୟକ କହିଥିଲେ, କାମ ଗୋଟେ ବର୍ଷ ମଧ୍ୟରେ ସରିବ । ବିତିଗଲାଣି ୯ ମାସ । ବର୍ଷେ ଭିତରେ ନୂତନ ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହେବା ଦୂରର କଥା, କାର୍ଯ୍ୟାରମ୍ଭ ଏଯାଏ ହୋଇନି । ଏ ହେଉଛି ଭଦ୍ରକ ପୌରପାଳିକା ଅଧୀନ ୧୫ନଂ ୱାର୍ଡ କୁଆଁସ ସାଳନ୍ଦୀ ନଦୀର ଅର୍ଜୁନ ସେତୁ ଅବସ୍ଥା । ପୋଲ କାମ ସରୁନି, ଏପଟେ ୧୦ଟି ୱାର୍ଡର ବାସିନ୍ଦା ହନ୍ତସନ୍ତ ହେଉଛନ୍ତି । ଲୋକେ ସାଳନ୍ଦୀ ପାର ହେବାକୁ ବାଉଁଶ ଚାରା ଓ ଡଙ୍ଗା ଉପରେ ନିର୍ଭର କରୁଛନ୍ତି । ସ୍ୱାଧୀନତାର ୭୪ ବର୍ଷ ପରେ ଭଦ୍ରକ ସହରରେ ନଦୀ ପାର ହେବାକୁ ଏପରି ଅବସ୍ଥା ଭୋଗିବାକୁ ପଡୁଛି । ଏହାକୁ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଅର୍ଜୁନ ସେତୁ ମଜବୁତ ଅବସ୍ଥାରେ ଥିଲା । ଏହାକୁ ଗତ ମାର୍ଚ୍ଚ ମାସରେ ଭାଙ୍ଗି ସାଳନ୍ଦୀ ନଦୀ ବକ୍ଷରେ ମିଶାଇ ଦିଆଗଲା । ଏହି ସ୍ଥାନରେ ୬ କୋଟିରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ଏକ ନୂତନ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା । ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ ଏହି ସେତୁର ଶିଳାନ୍ୟାସ କରିଥିଲେ । ବିଧାୟକ ଶ୍ରୀ ମଳିକ ପ୍ରତିଶ୍ରୁତି ଦେଇଥିଲେ ବର୍ଷ ଭିତରେ ସେତୁ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ । ଏଥିନିମିତ୍ତ ଟେଣ୍ଡର ପ୍ରକ୍ରିୟା ସରିଛି । ତେବେ ଏହି ସେତୁର ନାମକରଣକୁ ନେଇ ସେତେବେଳେ ବିବାଦ ଦେଖା ଦେଇଥିଲା ।

ନିଷ୍ପତ୍ତି ଅନୁଯାୟୀ ତତ୍‌କାଳୀନ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ନାମରେ ନିର୍ମିତ ଏହି ଅର୍ଜୁନ ସେତୁର ନାମ କାନ୍ତକବି ସେତୁ ରଖାଯିବାକୁ ପ୍ରସ୍ତାବ ରହିଥିଲା । କିନ୍ତୁ ବିରୋଧାଭାସ ପରେ ଏହାର ନାମ କୁଆଁସ ସେତୁ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ସେତୁ ଭଙ୍ଗାଯାଇଥିବାରୁ ଏବେ ପୌରାଞ୍ଚଳର ୧୦ଟି ୱାର୍ଡର ପ୍ରାୟ ୩୦ ହଜାର ଲୋକ ହିନସ୍ତା ହେଉଛନ୍ତି । ସେମାନଙ୍କୁ ସହରର ମୁଖ୍ୟ ବଜାରକୁ ଆସିବାକୁ ୪ ରୁ ୫ କିମିରୁ ଅଧିକ ରାସ୍ତା ବୁଲିବାକୁ ପଡୁଛି । ସୂଚନା ଅନୁଯାୟୀ ୨୦୦୨ ପୂର୍ବରୁ ଏହି ସ୍ଥାନରେ ଥିଲା ଏକ ପଟ୍ଟାପୋଲ । ଉକ୍ତ ପୋଲ ଉପରେ ପୌରାଞ୍ଚଳର ସହସ୍ରାଧିକ ଲୋକ ନିର୍ଭରଶୀଳ ଥିଲେ । କିନ୍ତୁ ୨୦୦୨ ମସିହାରେ ତତ୍‌କାଳୀନ ସାଂସଦଙ୍କ ଅନୁଗ୍ରହ କ୍ରମେ ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ୍ୱଟଙ୍କା ବିନିମୟରେ ସାଳନ୍ଦୀ ନଦୀ ଉପରେ ଏକ ସେତୁ ନିର୍ମିତ ହୋଇଥିଲା । ତେବେ ସେତୁ ସଂପୂର୍ଣ୍ଣ ସୁରକ୍ଷିତ ଓ ବ୍ୟବହାର ଉପଯୋଗୀ ଥିବାବେଳେ ଏହି ସ୍ଥାନରେ ଆଉ ଏକ ନୂତନ ସେତୁ ନିର୍ମାଣ ପାଇଁ ପ୍ରଶାସନିକ ସ୍ତରରେ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା । ତେଣୁ ଏଥିନିମିତ୍ତ ଟେଣ୍ଡର କରାଯିବା ପରେ ନୂତନ ସେତୁର ଶିଳାନ୍ୟାସ କରାଯାଇଥିଲା । ପରେ ପୁରୁଣା ଅର୍ଜୁନ ସେତୁକୁ ଭାଙ୍ଗି ଦିଆଯାଇଥିଲା । ବର୍ଷକ ମଧ୍ୟରେ ଅର୍ଥାତ୍ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ ଏହାକୁ ସଂପୂର୍ଣ୍ଣ କରିବାକୁ ଘୋଷଣା କରାଯାଇଥିଲା । କିନ୍ତୁ ଇତିମଧ୍ୟରେ ୯ ମାସ ବିତିଗଲାଣି । ଏଯାଏ କାର୍ଯ୍ୟାରମ୍ଭ ହୋଇନି । ଯେଉଁ ଠିକାଦାର କାର୍ଯ୍ୟାଦେଶ ପାଇଛନ୍ତି, ପୂର୍ବରୁ ସେ କଳା ତାଲିକାଭୁକ୍ତ ହୋଇଥିଲେ । ତେଣୁ ଏହି କାର୍ଯ୍ୟ ଠିକ୍ ସମୟରେ ସେ ସଂପୂର୍ଣ୍ଣ କରିପାରିବେ ନାହିଁ ବୋଲି ସମାଜସେବୀ ଲକ୍ଷ୍ମୀ ମହାପାତ୍ର କହିଛନ୍ତି । ଯଦି ଠିକାଦାର ପ୍ରସ୍ତୁତ ନଥିଲେ, ତେବେ ଏହି ସେତୁକୁ ଭଙ୍ଗାଗଲା କାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ଯଦି ଜାନୁଆରୀ ମାସ ୧ ତାରିଖ ସୁଦ୍ଧା କାମ ଆରମ୍ଭ ନହୁଏ, ତେବେ ସଂପୃକ୍ତ ଅଂଚଳବାସୀ ବିଧାୟକଙ୍କ ଘର ସମ୍ମୁଖରେ ଧାରଣା ଦେବେ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.