Home ଜିଲ୍ଲା ପରିକ୍ରମା ସଂଗ୍ରାମୀ ମାୟାଧର ଦାସଙ୍କ ୩୦ତମ ଶ୍ରାଦ୍ଧବାର୍ଷିକୀ

ସଂଗ୍ରାମୀ ମାୟାଧର ଦାସଙ୍କ ୩୦ତମ ଶ୍ରାଦ୍ଧବାର୍ଷିକୀ

17

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସ୍ୱାଧୀନତା ସଂଗ୍ରାମରେ ଯେତେ ସବୁ ବୀର ଆନ୍ଦୋଳନ କରିଥିଲେ, ଯେଉଁମାନଙ୍କ ଲଢେଇର ସୁଫଳ ଆଜି ଆମେ ଭୋଗ କରୁଛେ, ସେହି ବୀର ପୁରୁଷ ସ୍ୱାଧୀନତା ସଂଗ୍ରାମୀମାନେ ନିଶ୍ଚିତ ପକ୍ଷେ ଚିର ସ୍ମରଣୀୟ । ସେମାନଙ୍କୁ ସମ୍ମାନ ପ୍ରଦର୍ଶନ ଆମ୍ଭମାନଙ୍କର କର୍ତ୍ତବ୍ୟ ହେବା ଉଚିତ ବୋଲି ସଂଗ୍ରାମୀ ମାୟାଧର ଦାସଙ୍କ ୩୦ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବକ୍ତାମାନେ ତାଙ୍କ ସ୍ମୃତିଚାରଣ କରି କହିଛନ୍ତି । ସଂଗ୍ରାମୀ ମାୟାଧର ଦାସ ସ୍ମୃତି କମିଟି ପକ୍ଷରୁ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ସଂଗ୍ରାମୀ ମାୟାଧର ଦାସଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହରେ ଇଂ ଅଭୟ ସୂତାର ପୌରୋହିତ୍ୟ କରିଥିଲେ । ଉଦ୍‌ଘାଟକ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏବଂ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟଅତିଥି ଭାବେ ଚାନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ନରେଶ ମାଝୀ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ କୁମାର ମଲ୍ଲିକ, ସମ୍ମାନିତ ବକ୍ତା ଭାବେ ଆଡ୍‌ଭୋକେଟ ଗିରିଧାରୀ ନାଥ, ବିଶିଷ୍ଟ ଅତିଥି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଅଟଳ ବିହାରୀ ନାୟକ, ସମ୍ମାନିତ ଅତିଥି ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ବୈଲୋଚନ ଜେନା ଯୋଗ ଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିବା ସହିତ ସଂଗ୍ରାମୀ ଚକ୍ରଧର ବେହେରାଙ୍କ ସହ ମିଶି କିପରି ବ୍ରିଟଶ୍ ସରକାରଙ୍କୁ ବିରୋଧ କରିଥିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସାମ୍ବାଦିକ ତପନ ମିଶ୍ର ଅତିଥିଙ୍କ ମଞ୍ଚ ଆମନ୍ତ୍ରଣ କରିବା ସହିତ ଅତିଥି ପରିଚୟ ଓ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ସଂଗ୍ରାମୀ ମାୟାଧର ଦାସଙ୍କ ସୁପୁତ୍ର, ସ୍ମୃତି କମିଟିର ସମ୍ପାଦକ ତଥା ସାମ୍ବାଦିକ ବଂଶୀଧର ଦାସ ତାଙ୍କ ପିତାଙ୍କ ସ୍ମୃତିଚାରଣ କରିବା ସହ ସେ ସମୟର ଅନୁଭବକୁ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ମନମୋହନ ସଂଗୀତ ପରିଷଦର ଗୁରୁ ସୁରେନ୍ଦ୍ର ଗାହାଣଙ୍କ ନିର୍ଦ୍ଦେଶନାରେ ଶିଳ୍ପୀ ସ୍ୱାତୀ, ସରୋଜିନୀ, ପ୍ରୀତିରେଖା, ମନୋଜ ପ୍ରମୁଖ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିଥିଲେ । ପୂଜା, ମୌସୁମୀ, ବନ୍ଦନା, ରାଜଶ୍ରୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ନରେନ୍ଦ୍ରପୁର ଉତ୍କଳମଣି ଗୋପବନ୍ଧୁ ବିଦ୍ୟାପୀଠର ପୂର୍ବତନ ଛାତ୍ର ଅଙ୍କିତ ସ୍ୱାଇଁ, ଅଣ୍ଡରାଇ ଲାଲାଜୀ ହାଇସ୍କୁଲର ପୂର୍ବତନ ଛାତ୍ର ମାନସ ରଂଜନ ଧଳ, ମତୋ ହାଇସ୍କୁଲର ପୂର୍ବତନ ଛାତ୍ର ରଜତ କୁମାର ପଲାଇ ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ସ୍ମୃତି କମିଟି ପକ୍ଷରୁ ପ୍ରମାଣପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ମୁଖ୍ୟଅତିଥି ନରେଶ ମାଝୀଙ୍କୁ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପ୍ରଭାକର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.