Home କେନ୍ଦୁଝର ନିର୍ମାଣ ହେଲାନି ଚୋରଗଡିଆ ତରତରା ରାସ୍ତା, ଯାତାୟତ ଠପ ହୋଇଯିବା ଆଶଙ୍କା

ନିର୍ମାଣ ହେଲାନି ଚୋରଗଡିଆ ତରତରା ରାସ୍ତା, ଯାତାୟତ ଠପ ହୋଇଯିବା ଆଶଙ୍କା

223

ହାଟଡିହି -୨୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆର.ଡି ବିଭାଗ ଅଧିନରେ ଥିବା ଚୋରଗଡିଆ-ତରତରା ରାସ୍ତାଟିର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ବିଶେଷକରି ଚୋରଗଡିଆ ଗାଁ ନିକଟରେ ଓ ଘୋଷରାପଦା ରଗୁଡି ମଧ୍ୟରେ ଥିବା କେନାଲ ନିକଟରେ ରାସ୍ତାରେ ବିରାଟ ବିରାଟ ଖାଲଖମା ହୋଇଥିବାରୁ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଚଳିତ ଲଘୁଚାପରେ ଯଦି ଆଉ ଭଲ ଅସଳେ କି ଦୁଇ ଅସଳା ବର୍ଷା ହୋଇଯିବ ତେବେ ଏହି ରାସ୍ତାର ଯାତାୟତ ଠପ ହୋଇଯିବା ଆଶଙ୍କା ଦେଖା ଦେଇଛି । ଏହି ରାସ୍ତା ଉପରେ ଗୋପାଳପୁର, ଚୋରଗଡିଆ, ଭାତକରୁଆ, ଘୋଷରାପଦା, ରଗୁଡି, ମହ୍ଲାରପଦା, କାଠିଆସରା, ବାହିଆ-ବାରଦଣ୍ଡା, ହାତୀବନ୍ଧା, କାଠକଟା ଆଦି ଗ୍ରାମର ହଜାର ହଜାର ଲୋକ ଯାତାୟତ କରିଥାନ୍ତି । ଆର.ଡି ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ରାସ୍ତା ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ଏହି କାମ କରାଯାଉଥିବାରୁ ତାହା ଅତିନିମ୍ନମାନର କରାଯାଉଛି । ଫଳରେ ଦିନ କେଇଟା ଭିତରେ ରାସ୍ତାଟି ପୁର୍ବାବସ୍ଥାକୁ ଫେରି ଆସୁଛି । ଏବେ ଚୋରଗଡିଆ ନିକଟରେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଠିଆହୋଇ ରହୁଛି ଯେ ଦୁଇ ତିନିଦିନ ପର୍ଯ୍ୟନ୍ତ କମିବାର ନାଁ ଧରୁନି । ରାସ୍ତାର ଦୁଇ ପାଶ୍ୱର୍ରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏପରି ଅବସ୍ଥା ଦେଖା ଦେଇଛି । ରାସ୍ତାର ଦୁଇପାଶ୍ୱର୍ରେ ସରକାରୀ ଜମି ଥିବାବେଳେ ଅନେକ ସ୍ଥାନରେ ଲୋକମାନେ ଜବରଦଖଲ କରିନେଇଥିବାରୁ ଜଳନିସ୍କାସନ ପାଇଁ ବ୍ୟବସ୍ଥା କରାଯାଇପାରୁ ନଥିବା କୁହାଯାଉଛି । ସେହିପରି ଘୋଷରାପଦା ଓ ରଗୁଡି ମଧ୍ୟରେ ପୋଲ ନିର୍ମାଣ ହୋଇ ନଥିବାବେଳେ ୨୦୦ମିଟର ରାସ୍ତାକୁ ନିର୍ମାଣ କରାଯାଇପାରି ନାହିଁ । ଫଳରେ ଏହି ଦୁଇଶହ ମିଟର ରାସ୍ତାରେ ବିରାଟ ବିରାଟ ଖାଲଖମା ସୃଷ୍ଟି ହେବାସହ ଚିକିଟା ମାଟିରେ ବାଇକ, କିମ୍ବା ୪ଚକିଆ ଯାନ ଯାତୟତ କରିବାରେ ନାନା ଅସୁବିଧା ଉପୁଜୁଛି । ଏପରିକି ଲୋକମାନେ ଚାଲିକରି ଯିବା ଆସିବା କରିପାରୁ ନାହାନ୍ତି । ସେହିପରି ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ସବୁ ଉଠିଯାଇ ତଳୁ ମାଟି ବାହାରି ପଡିଲାଣି । ଗୋଟିଏ ଦୁଇଟି ଅସରା ବର୍ଷା ହେଲେ ଏହିସବୁ ସ୍ଥାନ ଗୁଡିକ ମଧ୍ୟ ଖାଲଖମାରେ ପୁରି ଉଠିବ । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ରାସ୍ତା ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.