Home ଜିଲ୍ଲା ପରିକ୍ରମା ନିରବତାର ଅନ୍ଧାରରେ ହସର ରେଖା,ଧାମନଗର “ଶ୍ରଦ୍ଧାଳୟ’ରେ ନିଆରା ଜନ୍ମଦିନ ଉତ୍ସବ

ନିରବତାର ଅନ୍ଧାରରେ ହସର ରେଖା,ଧାମନଗର “ଶ୍ରଦ୍ଧାଳୟ’ରେ ନିଆରା ଜନ୍ମଦିନ ଉତ୍ସବ

2

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖି ଦିନର ଆଲୋକ ଦେଖିନି, କାନ କେବେ କାହାର ସ୍ନେହର ସ୍ୱର ଶୁଣିନି, ଆଉ ପାଟି କେବେ “ମା’ ବୋଲି ଡାକିବାର ଭାଷା ପାଇନି। ଅନ୍ଧାର ଓ ନୀରବତାର ଏକ ଅଭେଦ୍ୟ ପ୍ରାଚୀର ଭିତରେ ବନ୍ଦୀ ଏଭଳି କୁନି କୁନି ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଜୀବନଟା ପ୍ରାୟତଃ ଏକ ଅସରନ୍ତି ପ୍ରଶ୍ନ। ଛଅରୁ ସତର ବର୍ଷ। ଯେଉଁ ବୟସରେ ପିଲାମାନେ ଖେଳିବା, କୁଦିବା ଓ ଦୁନିଆକୁ ଜାଣିବାର କଥା, ସେହି ବୟସରେ ପରିବାରର କୋଣରେ ଏକ ବୋଝ ପାଲଟିଯାଉଥିବା ଏହି ଶିଶୁମାନଙ୍କ ମନରେ ସର୍ବଦା ଗୋଟିଏ କଥା ଘୂରି ବୁଲେ “ମୋର ଭୁଲ୍ କେଉଁଠି ଥିଲା?’ କିନ୍ତୁ ସେହି ନୀରବ ମନର ଯନ୍ତ୍ରଣାକୁ ବୁଝିବାକୁ ଯେତେବେଳେ କେହି ନଥାଏ, ଠିକ୍ ସେତେବେଳେ ସମାଜର କିଛି ସମ୍ବେଦନଶୀଳ ମଣିଷଙ୍କୁ ଭଗବାନ ଦୂତ ସଜାଇ ପଠାନ୍ତି। ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ଧାମନଗରର ଆଇଆଇସି ପରିସରରେ ପରିଚାଳିତ “ଶ୍ରଦ୍ଧାଳୟ’ ଅନୁଷ୍ଠାନରେ। ବାସୁଦେବପୁର ବ୍ଲକ ଇରମର ବିଷ୍ଣୁବ୍ରତ ତ୍ରିପାଠୀ ଓ ସସ୍ମିତା ତ୍ରିପାଠୀ ନିଜର ସାତ ବର୍ଷର ଝିଅ ସାନବିକାର ଜନ୍ମଦିନକୁ କୌଣସି ଆଡ଼ମ୍ବର କିମ୍ବା ହୋଟେଲରେ ନ ପାଳି, ଏହି ଅନ୍ତେବାସୀ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ଗହଣରେ ପାଳନ କରିଛନ୍ତି। ନିଜର ଜନ୍ମଦିନର ଖୁସିକୁ ଏହି ଅଲୋଡ଼ା ପିଲାମାନଙ୍କ ସହିତ ବାଂଟିବା ପାଇଁ ସେମାନେ ଶ୍ରଦ୍ଧାଳୟକୁ ଆସିଥିଲେ। ସେଠାରେ ଦିବ୍ୟାଙ୍ଗ ପିଲାମାନଙ୍କ ଗହଣରେ କୁନିଝିଅ ସାନବିକାଙ୍କ ଜନ୍ମଦିନର କେକ୍ ବଦଳରେ ଓଡ଼ିଶାର ପ୍ରସିଦ୍ଧ ଛେନାପୋଡ଼ କାଟି ଉତ୍ସବ ପାଳିତ ହୋଇଥିଲା। ଏହି ଛୋଟ ପ୍ରୟାସଟି ସେହି ନୀରବ ପିଲାମାନଙ୍କ ମୁହଁରେ ଯେଉଁ ଆଲୋକ ଫୁଟାଇଥିଲା, ତାହା ବର୍ଣ୍ଣନା ବାହାରେ। ଏହାପରେ ସାନବିକାର ବାପା-ମାଆଙ୍କ ପକ୍ଷରୁ ସମସ୍ତ ପିଲା ଏବଂ ଶ୍ରଦ୍ଧାଳୟର କର୍ମଚାରୀଙ୍କ ପାଇଁ ଏକ ସୁସ୍ୱାଦୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଜନ୍ମଦିନର ଏହି ଖୁସିର ମାହୋଲରେ ଦିବ୍ୟାଙ୍ଗ ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭା ମଧ୍ୟ ପ୍ରକାଶ ପାଇଥିଲା। କେହି ଭଜନ ଜଣାଣ ଗାଇ ନିଜର ସୁରର ଯାଦୁ ଦେଖାଇଥିଲେ ତ ଆଉ କିଏ ମିମିକ୍ରି କରି ସମସ୍ତଙ୍କୁ ହସାଇଥିଲେ। ପରିବାରର ସ୍ନେହରୁ ବଂଚିତ ହୋଇ ଏକ ଭିନ୍ନ ପରିବାରରେ ବଢୁଥିବା ଏହି କୁନି କୁନି ପିଲାମାନଙ୍କ ମନରେ ସେଦିନ ଯେଉଁ ଅପୂର୍ବ ଆନନ୍ଦ ଖେଳିଯାଇଥିଲା, ତାହା ସେମାନଙ୍କର ହସ ଏବଂ ହାତ ଟେକି ସମ୍ମତି ଜଣାଇବା ଶୈଳୀରୁ ବାରି ହେଉଥିଲା। ସେମାନଙ୍କର ସେହି ନିରିମାଖି ଚେହେରାର ଖୁସି ଉପସ୍ଥିତ ସମସ୍ତ ଅତିଥି ଓ କର୍ମଚାରୀଙ୍କୁ ଭାବବିହ୍ୱଳ କରିଦେଇଥିଲା। ଆଜିର ଯାନ୍ତ୍ରିକ ଦୁନିଆରେ ନିଜ ସନ୍ତାନର ଜନ୍ମଦିନକୁ କିଛି ଭିନ୍ନ ଓ ମାନବୀୟ ଢଙ୍ଗରେ ପାଳିବାର ଏହି ବ୍ୟତିକ୍ରମ ପ୍ରୟାସ ପ୍ରମାଣିତ କରିଛି ଯେ ପ୍ରକୃତ ଖୁସି ନିଜ ପାଇଁ ଜିଇଁବାରେ ନାହିଁ, ବରଂ ଅନ୍ୟର ଅନ୍ଧାରୀ ଦୁନିଆରେ ଟିକିଏ ହସର ଆଲୋକ ଫୁଟାଇବାରେ ହିଁ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.