Home ଜିଲ୍ଲା ପରିକ୍ରମା ଧାମନଗରରେ ବନ୍ୟା ବିପନ୍ନଙ୍କୁ ରିଲିଫ ବଂଟନରେ ଅନିୟମିତତା,ପ୍ରକୃତ ବନ୍ୟା କ୍ଷତିଗ୍ରସ୍ତ ଚାଉଳରୁ ବଂଚିତ, ଲୋକଙ୍କ ମଧ୍ୟରେ...

ଧାମନଗରରେ ବନ୍ୟା ବିପନ୍ନଙ୍କୁ ରିଲିଫ ବଂଟନରେ ଅନିୟମିତତା,ପ୍ରକୃତ ବନ୍ୟା କ୍ଷତିଗ୍ରସ୍ତ ଚାଉଳରୁ ବଂଚିତ, ଲୋକଙ୍କ ମଧ୍ୟରେ ଅସନ୍ତୋଷ

1

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକରେ ଚଳିତବର୍ଷ ଲଗାଣ ବର୍ଷା ଏବଂ କ୍ରମାଗତ ଭାବରେ ୭ ଥର ବନ୍ୟା ଆସିବା ଫଳରେ ଅଂଚଳରେ ବ୍ୟାପକ ଧନଜୀବନ ଓ ଚାଷଜମି ନଷ୍ଟ ହୋଇଯାଇଛି। ସରକାରଙ୍କ ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଇଁ ରିଲିଫ୍ ଚାଉଳ ଆସିଥିଲେ ହେଁ, ବାସ୍ତବରେ ପ୍ରକୃତ କ୍ଷତିଗ୍ରସ୍ତ ମାନେ ଏହା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଛି। ଏପରିକି ବଂଟନ ସ୍ଥାନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିଲେ ମଧ୍ୟ ପ୍ରକୃତ ବିପନ୍ନମାନେ ହାତ ଖାଲି ରହୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୁଚନା ଥାଉକି ରିଲିଫ୍ ବଂଟନ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଅଙ୍ଗନୱାଡ଼ି କର୍ମୀମାନେ ନିଜ ଏରିଆ କୁ ଯାଇ ପ୍ରକୃତ ବିପନ୍ନଙ୍କ ଏକ ତାଲିକା (ଚିଠା) ପ୍ରସ୍ତୁତ କରି ବ୍ଲକ କୁ ପ୍ରଦାନ କରିଥିଲେ। ମାତ୍ର ବ୍ଲକ ପ୍ରଶାସନ ସେହି ଚିଠା ରେ ପରିବର୍ତନ କରି ପଂଚାୟତ ଅଧିକାରୀମାନଙ୍କୁ ଚାଉଳ ବଂଟନ ଦାୟିତ୍ୱ ଦେଇଥିବା ଜଣାପଡିଛି। ଫଳରେ ପରିବାର ପିଛା ମାତ୍ର ଜଣେ ଦୁଇ ଜଣଙ୍କ ନାମ ବାଦ ରହିଥିବା ବେଳେ ବହୁ ପ୍ରକୃତ ବନ୍ୟା ବିପନ୍ନ ପରିବାର ଏହି ସହାୟତାରୁ ବାଦ୍ ପଡ଼ିଛନ୍ତି।ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ ୨୦୧୧ ମସିହା ଜନଗଣନା ଆଧାରରେ ଶତକଡ଼ା ୧୮ ଭାଗ ଏବଂ ଅନ୍ୟାନ୍ୟ ନିୟମ ଅନୁଯାୟୀ ଚାଉଳ ବଂଟନ କରାଯାଉଥିବା କହୁଛନ୍ତି। ମାତ୍ର ବାରମ୍ବାର ବନ୍ୟାର ପ୍ରକୋପର ଶିକାର ହୋଇ ସର୍ବସ୍ୱାନ୍ତ ହୋଇଥିବା ପରିବାରଗୁଡ଼ିକୁ ଏଭଳି ସୀମିତ ଓ ତ୍ରୁଟିପୂର୍ଣ୍ଣ ତାଲିକା ମାଧ୍ୟମରେ ସହାୟତା ଦେବା କେତେଦୂର ଯୁକ୍ତିଯୁକ୍ତ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହା ବାତ୍ୟା ଓ ବନ୍ୟା ପ୍ରଭାବିତଙ୍କ ପାଇଁ ଉଦ୍ଦିଷ୍ଟ “୭ ଦିନ ପାଇଁ ସ୍ୱତନ୍ତ୍ର ସହାୟତା’ ବ୍ୟବସ୍ଥାରେ ଏଭଳି ଅନିୟମିତତା ଯୋଗୁଁ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏହି ତୃଟି ପୁର୍ଣ ତାଲିକା କିଏ କରିଛି କାହା ନିର୍ଦେଶ ରେ ଏ ତାଲିକା ଆଧାରରେ ବିପନ୍ନଙ୍କୁ ଚାଉଳ ଦିଆ ଯାଉଛି ଏହା ତଦନ୍ତ ଶାପେକ୍ଷ । ଖୋଦ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବନ୍ୟା ସମୟରେ ଗାଁ କୁ ଗାଁ ବୁଲି ବିପନ୍ନଙ୍କୁ ଭେଟିଥିଲେ ହେଲେ ରିଲି ଫି ଚାଉଳ ରେ ବଂଟନ ରେ ଏପରି ତୃଟି କାହିଁକି। ପ୍ରଶାସନ ଏହି ଘଟଣାର ପୁନଃତଦନ୍ତ କରି ପ୍ରକୃତ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.