Home ଜିଲ୍ଲା ପରିକ୍ରମା ନିଜ ଜମିକୁ ସୁରକ୍ଷା ଦେଇ ପାରୁନି ଅସହାୟ ପ୍ରଶାସନ, ଲଢ଼ୁଛି ନ୍ୟାୟିକ ଲଢ଼େଇ, ଜବରଦଖଲରୁ ଅମୃତ...

ନିଜ ଜମିକୁ ସୁରକ୍ଷା ଦେଇ ପାରୁନି ଅସହାୟ ପ୍ରଶାସନ, ଲଢ଼ୁଛି ନ୍ୟାୟିକ ଲଢ଼େଇ, ଜବରଦଖଲରୁ ଅମୃତ ପାର୍କ ସଂକୁଚିତ

24

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମି ପାଇଁ ଭଦ୍ରକରେ ଅଟକିଛି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ଜବରଦଖଲକାରୀଙ୍କ କବଜାରେ ରହିଛି ବହୁ ସରକାରୀ ଜମି । ଜବରଦଖଲକାରୀଙ୍କ ପ୍ରତି କୌଣସି କାରଣରୁ କୋହଳ ମନୋଭାବ ପୋଷଣ କରି ନିଜ ଜମିର ଦଖଲ ନେବାକୁ ନ୍ୟାୟାଳୟକୁ ଦୌଡ଼ି ଚାଲିଛି ପ୍ରଶାସନ । ଯାହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ପୌରାଞ୍ଚଳର ବାଗୁରାଇ ଠାରେ ନିକଟରେ ଲୋକାର୍ପିତ ହୋଇଥିବା ଅମୃତ ପାର୍କ କ୍ଷେତ୍ରରେ । ଉକ୍ତ ପାର୍କ ପାଇଁ ଉଦ୍ଦିଷ୍ଟ ଏକ ସିଂହଭାଗ ଜମିକୁ ଫେରି ପାଇବାକୁ ରାଜସ୍ୱ ବିଭାଗ ନୟାନ୍ତ ହେବା ପରେ ଏକ ସଂକୀର୍ଣ୍ଣ ଅଞ୍ଚଳର ଜମି ଉପରେ ଉକ୍ତ ପାର୍କ ପ୍ରତିଷ୍ଠା କରିଛନ୍ତି ପୌର କର୍ତ୍ତୃପକ୍ଷ । ସୂଚନା ଅନୁଯାୟୀ ଗତ ପୌର ପରିଷଦ ସମୟରେ ବାଗୁରାଇ ସମେତ ଚରମ୍ପାର ରହଣିଆ, ମଠସାହି ଦକ୍ଷୀଣକାଳୀ ମନ୍ଦିର ନିକଟ, ଗରଦପୁର, କୁଆଁସ ପରି ୫ଟି ସ୍ଥାନରେ ଅମୃତ ଯୋଜନାରେ ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ରହଣିଆ ଠାରେ ଏକ ଏକରରୁ ଉର୍ଦ୍ଧ୍ୱ ଜମି ଉପରେ ୬୫ ଲକ୍ଷ ଟଙ୍କା ବ୍ୟୟରେ ପ୍ରଥମ ପାର୍କ ଲୋକାର୍ପିତ ହୋଇଥିବାବେଳେ, ମଠସାହି ଠାରେ ୪୩ ଲକ୍ଷ ଟଙ୍କାରେ ଦ୍ୱିତୀୟ ଓ ଗରଦପୁର ଠାରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ତୃତୀୟ ଅମୃତ ପାର୍କ ଲୋକାର୍ପିତ ହୋଇଥିଲା । ତେବେ ଗତ ୮ତାରିଖ ବାଗୁରାଇ ଠାରେ ସହରର ଚତୁର୍ଥ ପାର୍କକୁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକ ଉଦଘାଟନ କରି ସହରବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ତେବେ ଉକ୍ତ ପାର୍କର ଭିତ୍ତିଭୂମିକୁ ନେଇ ସାଧାରଣ ଲୋକ କ’ଣ ସ୍ଥାନୀୟ ଲୋକେ ମଧ୍ୟ ସନ୍ତୁଷ୍ଟ ନୁହନ୍ତି । ମାତ୍ର ୧୨ରୁ ୧୪ ଡିସିମିଲ ଜମି ଉପରେ ଏହି ପାର୍କ ସ୍ଥାପନ ହୋଇଥିବାବେଳେ, ଏଥି ନିମିତ୍ତ ଖର୍ଚ୍ଚ ହୋଇଛି ମାତ୍ର ୧୬.୬୭ ଲକ୍ଷ ଟଙ୍କା । ପୂର୍ବରୁ ଏହି ସ୍ଥାନରେ ଥିବା ୪୦ଡିସିମିଲ ରାଜସ୍ୱ ବିଭାଗର ଜମି ଉପରେ ଅମୃତ ପାର୍କ ନିର୍ମାଣ ପାଇଁ ୨୦୧୭-୧୮ରେ ପୌର ପରିଷଦରେ ପ୍ରସ୍ତାବ ପାରିତ ହୋଇଥିଲା । ଉକ୍ତ ପରିମାଣର ଜମିକୁ ରାଜସ୍ୱ ବିଭାଗ ପୌର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ପରେ କାର୍ଯ୍ୟାରମ୍ଭ ପ୍ରକ୍ରିୟା ଆରମ୍ଭ ହେଲା । କିନ୍ତୁ ଆରମ୍ଭରୁ ଦେଖାଦେଲା ସମସ୍ୟା ।

ଉକ୍ତ ଜମିରୁ ପ୍ରାୟ ୩୦ ଡିସିମିଲରୁ ଉର୍ଦ୍ଧ୍ୱ ଜବରଦଖଲକାରୀଙ୍କ କବଜାରେ ରହିଥିଲା । ବିଭାଗୀୟ ଉଛେଦ ଉଦ୍ୟମ ସମୟରେ ସଂପୃକ୍ତ ଅଧିବାସୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଯାହାକି ପ୍ରଥମେ ଭଦ୍ରକ ମୁନସଫ ଓ ଏବେ ଜିଲ୍ଲାଜଜ୍ କୋର୍ଟରେ ବିଚାରାଧିନ ରହିଛି । ତେଣୁ ଅନ୍ୟ କୌଣସି ଉପାୟ ନପାଇ ପୌର କର୍ତ୍ତୃପକ୍ଷ ୧୫ ଡିସିମିଲରୁ କମ୍ ଜମି ଉପରେ ପାର୍କ ନିର୍ମାଣ କରିଛନ୍ତି । ଫଳରେ ଏହା ଖୁବ ସଂକୀର୍ଣ୍ଣ । ଏକକାଳୀନ ୫୦ଜଣ ଲୋକ ମଧ୍ୟ ଉକ୍ତ ପାର୍କ ମଧ୍ୟରେ ବିଚରଣ କରିବା ସମ୍ଭବ ନୁହେଁ । ଏହି ପାର୍କ ମଧ୍ୟରେ ପଡ଼ି ରହିଛି ନେସ୍କୋର ବିଦ୍ୟୁତ ଖୁଣ୍ଟ । ଉଦଘାଟନ ପର୍ବର ଶେଷ ମୁହୂର୍ତ୍ତରେ ସ୍ଥାନୀୟ ଲୋକଙ୍କୁ ବୁଝାଇ ସୁଝାଇ କିଛି ଜମି ନିଜ ଅଧିନକୁ ଆଣିବାକୁ ସକ୍ଷମ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ପ୍ରାକ୍ତନ କାଉନସିଲର ଦେବ୍ରବତ ମହାନ୍ତି । ଯେଉଁଥି ପାଇଁ ପାର୍କ ପରିସରରେ ଟମାଟୋ, ବାଇଗଣ ଗଛ ଥିବା ଦେଖିବାକୁ ମିଳିଛି । ତେବେ ନ୍ୟାୟାଳୟରେ ତାରିଖ ପଡ଼ୁଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବରେ ଆବେଦନକାରୀ ସେଠାରେ ନପହଞ୍ଚି ସମୟ ଗଡ଼ାଇ ଚାଲିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ନ୍ୟାୟାଳୟଙ୍କ ଚୁଡ଼ାନ୍ତ ରାୟ ପରେ ଉକ୍ତ ପାର୍କର ସମ୍ପ୍ରସାରଣ କରାଯିବ ବୋଲି ଶ୍ରୀ ମହାନ୍ତି ଆଶାବାଦୀ । ମୋଟାମୋଟି ଭାବରେ ନିଜ ଜମି ପାଇଁ ନିଜେ ଲଢ଼ୁଛି ଅସହାୟ ପ୍ରଶାସନ । ଆଉ ପ୍ରଶାସନର ଏପରି ନିଷ୍କ୍ରିୟତା ପାଇଁ ଅସୁବିଧାରେ ପଡ଼ୁଛନ୍ତି ସ୍ଥାନୀୟ ଲୋକେ । ଯାହାର ଏକ ଛୋଟ ଉଦାହରଣ ହେଉଛି ବାଗୁରାଇ ଅମୃତ ପାର୍କ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.