ଭଦ୍ରକ, ୧୦ ଅକ୍ଟୋବର (ହି.ସ.) -ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅଧୀନ ଧାମରା ଅଂଚଳରେ ଥିବା ଆଦାନୀ ପୋର୍ଟକୁ ନେଇ ଗତମାସ ୯ ତାରିଖରେ ହୋଇଥିବା ୧୨ ଘଂଟିଆ ରେଳରୋକ ପରେ ଆଜି ପୁଣିଥରେ ଭଦ୍ରକ ଜିଲା ବିକାଶ ମଂଚ ସମେତ ଜିଲା ଟିପର, ଡମ୍ପର, ବିଶ୍ୱକର୍ମା ଟ୍ରକ ମାଲିକ ସଂଘ ପକ୍ଷରୁ ପୀରହାଟ ସାହାପୁରରେ ବିଶାଳ ଜନଆକ୍ରୋଶ ଜନିତ ରେଳରୋକ ହୋଇଛି। ଏହି ଆନ୍ଦୋଳନରେ ସ୍ଥାନୀୟ ଲୋକଙ୍କ ସମେତ ବିଭିନ୍ନ ମାଲିକ ସଂଘର କର୍ମକର୍ତାମାନେ ସାମିଲ ହୋଇଥିବା ଜଣାପଡ଼ିଛି। ଆନ୍ଦୋଳନକାରୀଙ୍କ ପକ୍ଷରୁ ପୀରହାଟରୁ ବାଂଶଡା ପର୍ଯ୍ୟନ୍ତ ଲମ୍ବିଥିବା ଉଭୟ ପାଶ୍ୱର୍ରେ ଜଳ ନିଷ୍କାସନ ଓ କଲର୍ଭଟ ବ୍ରିଜ୍ ସହ ଗ୍ରାମରାସ୍ତାର ମରାମତି ପାଇଁ ସର୍ଜମିନ ତଦନ୍ତ ଓ କାର୍ଯ୍ୟ ଆରମ୍ଭ ହେବା, ବନ୍ଦର ଦ୍ୱାରା ପରିଚାଳିତ କୋଇଲା ପରିବହନରେ ବାଦ୍ ପଡିଥିବା ଭଦ୍ରକ ଜିଲା ଟିପର, ଡମ୍ପର, ଟ୍ରକ୍ ମାଲିକ ସଂଘକୁ କାମ ଦେବା, ସମାନ ଅନୁପାତରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ-ଯୁବତୀଙ୍କୁ ରୋଜଗାର ପ୍ରଦାନ, କର୍ପୋରେଟ୍ ସୋସିଆଲ ରେସ୍ପନସିବିଲିଟି ମାଧ୍ୟମରେ ଅର୍ଥରାଶିରୁ ବାଦ୍ ପଡିଥିବା ତିହିଡି ବ୍ଲକ୍ର ୯ ଗୋଟି ପଂଚାୟତ ଓ ଚାନ୍ଦବାଲି ବ୍ଲକ୍ର ୩୩ ଗୋଟି ପଂଚାୟତ ଓ ଜିଲାର ଅନ୍ୟତ୍ର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅର୍ଥ ମଂଜୁର ଭଳି ପାଂଚ ଦଫା ଦାବି ନେଇ ଏହି ରେଳରୋକ କରାଯାଇଛି। ଫଳରେ ବନ୍ଦର କମ୍ପାନୀ ପକ୍ଷରୁ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଜିଲ୍ଲା ବିକାଶ ପରିଷଦର ସଭାପତି ଶୁଭେନ୍ଦୁ ରାୟମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ସାଧାରଣ ସମ୍ପାଦକ ଜ୍ୟୋତିପ୍ରକାଶ ମହାନ୍ତି, ସମ୍ପାଦକ ସେକ୍ ରେଜାଉଲ ମୁସ୍ତାଫା, ପ୍ରଫୁଲ କୁମାର ପୃଷ୍ଟି, ଚନ୍ଦନ ନାୟକ, ରଜତ ପତି, ଅଶୋକ ବାରିକ, ତାଳଧ୍ୱଜ ବେହୁରା, ଶୁସାନ୍ତ ନାୟକ, ହେମନ୍ତ ନାୟକ, ପ୍ରଶାନ୍ତ ବାରିକ, ବବୁଲ ସେନାପତି, ସୁନନ୍ଦ ଦାସ, ରଥିଆ ବାରିକ, ସୁବାଶ ନାଥ, କହ୍ନେଇଲାଲ ବାରିକ, ଜୟନ୍ତ ନାୟକ, ଗଣେଶ ବିଶ୍ୱାଳ, ସେକ୍ ରିଜଲ ମୁସ୍ତାଫା, ବଳରାମ ପରିଡା, ହରିପଦ ପରିଡା, ନାରାୟଣ ଦାସ, ବାବାଜୀ ପରିଡା, ଭରତ ନାୟକ, ଉମାକାନ୍ତ ବାରିକ, ସନାତନ ଦାସ, ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ପ୍ରମୁଖ ଶତାଧିକ ସାମିଲ ହୋଇ ରେଳପଥରେ ନାଲି ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଧାମରା ବନ୍ଦର ବିରୋଧରେ ନାରାବାଜି କରିଥିଲେ । ଅଭିଯୋଗ ଅନୁଯାଇ, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଧାମରା ବନ୍ଦରର ରେଳପଥ । ଆବଶ୍ୟକ ମୁତାବକ କଲଭର୍ଟ ନଥିବାରୁ ବନ୍ୟା ଜଳ ଓ ବର୍ଷା ନିଷ୍କାଷିତ ହୋଇ ପାରୁନାହିଁ ଯାହା ଫଳରେ ଚାଷ ଜମିରେ ସର୍ବଦା ପାଣି ଜମି ରହୁଛି ଏବଂ ଚାଷୀ ବେରୋଜଗାର ହୋଇ ଯାଇଛି । ବନ୍ଦର କମ୍ପାନୀ ପକ୍ଷରୁ ଆଂଚଳିକ ଉନ୍ନୟନ କରାଯାଉ ନାହିଁ । ବନ୍ଦର ଓ ରେଳପଥ ନିର୍ମାଣ ପୂର୍ବରୁ ଲୋକେ ଶାଗମାଛ ଦରରେ ଜମି ବିକି ଦେଇଥିଲେ ଆଶାଥିଲା ନିଯୁକ୍ତି ମିଳିବ ହେଲେ ବାହାର ରାଜ୍ୟରୁ ଲୋକଙ୍କୁ ଆଣି ଭର୍ତୀ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ଏଯାବତ୍ ଭୁଆଁ ବୁଲାଇ ଆସୁଛି । ଫଳରେ ଆଇଟିଆଇ, ଡିପ୍ଲୋମା ଓ ଡିଗ୍ରୀ ପ୍ରାପ୍ତ ଶହ ଶହ ବେକାର ଯୁବକ ଯୁବତୀମାନଙ୍କର ଧାମରା ବନ୍ଦରକୁ ଲକ୍ଷ୍ୟ କରି ଦେଖୁଥିବା ସ୍ୱପ୍ନ, ଉତ୍ସାହ ଓ ଉଦ୍ଦୀପନା ପାଣି ଫୋଟକା ଭଳି ମେଳେଇ ଯାଇଛି । ସଂପ୍ରତି ଚାଲିଥିବା କୋଇଲା ପରିବହନରେ କେତେକ ନିଦ୍ଦିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ପରିଚାଳିତ ଓ କରାୟତ ସଂଘଗୁଡ଼ିକ ଗାଡ଼ି ଲଗେଇ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି । ଧାମରା ଅଂଚଳର ଜଣକା ୮-୧୦ ଖଣ୍ଡ ଗାଡ଼ି କିଣି କୋଇଲା ପରିବହନ ଓ ବ୍ୟବସାୟରେ ନିୟୋଜିତ କରୁଥିବା ବେଳେ ଏହି ଅଂଚଳରେ ଲୋକେ ଗୋଟିଏ ଦୁଇଟା ଗାଡି କିଣି ଗାଡ଼ିର ଋଣ ସୁଝି ପାରୁ ନାହାଁନ୍ତି । ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍ ଆଧାରରେ ପ୍ରତିଷ୍ଠିତ ହୋଇଥିବା ଏହି ବନ୍ଦରକୁ ଏକ ଘରୋଇ ବନ୍ଦର ବୋଲି ଅଭିହିତ କରି ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କର ସ୍ୱରକୁ ଅଧିକାଂଶ ବେଳେ ଅଣଦେଖା କରୁଅଛି । ଏବେ ଚୁପ୍ ରହିବା, ନୀରବଦ୍ରଷ୍ଟା ସାଜିବା ଓ ହତୋତ୍ସାହିତ ହେବାର ବେଳ ଶେଷ ହୋଇଛି ଏବଂ ଦୁର୍ବାର ଆନ୍ଦୋଳନ କରିବାର ସମୟ ଆସିଛି ବୋଲି ଶ୍ରୀ ରାୟ ମହାପାତ୍ର ଆହ୍ୱାନ ଦେଇଥିଲେ। ଏହାପରେ ମଧ୍ୟାହ୍ନରେ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟଭାବେ ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ଜେନା, ଚାନ୍ଦବାଲି ଏସଡିଓ ପ୍ରଭାସ ଚନ୍ଦ୍ର ସାହୁ, ଅତିରିକ୍ତ ଏସପି(ଡିଆଇବି) ଅଶୁଂମାନ ଦ୍ୱିବେଦୀ, ପୀରହାଟ ଆଇଆଇସି ରୋଜାଲିନ୍ ବେହେରା, ଧାମରା ମେରାଇନ୍ ଆଇଆଇସି ପ୍ରିୟଦର୍ଶନୀ ଖଟୁଆ ଓ ଘେଂଟଶ୍ୱର ଫାଣ୍ଡି ଅଧିକାରୀ ଅରୁପ ସାମଲ ପ୍ରମୁଖ ଘଟଣାରେ ହସ୍ତକ୍ଷେପ କରି ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ଥାନାକୁ ଆସି ସେଠାରେ ସବିଶେଷ ଆଲୋଚନା କରିବା ପରେ ଏକ ପ୍ରତିକାର ମୂଳକ ଲିଖିତ ପ୍ରତିଶୃତି ମିଳିବା ପରେ ରେଳରୋକ୍ ପ୍ରତ୍ୟାହୃତ ହୋଇଥିଲା । ତେବେ ଧାମରା ଉଚ୍ଚ କର୍ତୃର୍ପକ୍ଷ ଏବଂ ସାଂସଦ (ରାଜ୍ୟସଭା)ଙ୍କ ସହିତ ପରାମର୍ଶ ପରେ ଅଭିଯୋଗ ଗୁଡ଼ିକର ଆଲୋଚନା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ଆସନ୍ତା ତା ୨୨.୧୦.୨୦୨୬ ରିଖରୁ ତା ୦୮.୧୧.୨୦୨୬ ରିଖ ମଧ୍ୟରେ ସମସ୍ତ ସମ୍ପୃକ୍ତ ଅଂଶୀଦାର, ସମ୍ପୃକ୍ତ ଟ୍ରକ ମାଲିକ ସଂଘର ପ୍ରତିନିଧି, ବନ୍ଦର କର୍ତୃପକ୍ଷ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷଙ୍କ ସହିତ ଏକ ମିଳିତ ବୈଠକ ଡକାଇବାକୁ ପ୍ରସ୍ତାବ ଦିଆ ଯାଇଛି । ପ୍ରସ୍ତାବିତ ବୈଠକର ସଠିକ୍ ତାରିଖ, ସମୟ ଏବଂ ସ୍ଥାନ ସମ୍ପୃକ୍ତ କର୍ତୃର୍ପକ୍ଷ ଏବଂ ଅଂଶୀଦାରଙ୍କ ସହ ପରାମର୍ଶ କରି ଚୂଡ଼ାନ୍ତ କରାଯିବ ଏବଂ ଯଥାସମ୍ଭବ ଜଣାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ସଂଘଗୁଡ଼ିକୁ ଶାନ୍ତି ଏବଂ ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବାକୁ, ରେଳ ଚଳାଚଳ ଏବଂ ପରିବହନ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିବାରୁ ନିବୃତ ରହିବାକୁ ଏବଂ ଆଲୋଚନା ମାଧ୍ୟମରେ ମାମଲାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ସେମାନଙ୍କର ସହଯୋଗ ବୃଦ୍ଧି କରିବାକୁ ଅନୁରୋଧ କରାଯାଇଛି ।








