ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଆନନ୍ଦପୁର ପଂଚାୟତର ପାହାଡପୁର ଅଂଚଳରେ ଚାଲିଥିବା ବେଆଇନ ଇଟାଭାଟି ଉପରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଛି। ବୁଧବାର ଏହି ମିଳିତ ଚଢ଼ଉ ରେ ପ୍ରଶାସନିକ ଅଧିକାରୀମାନେ ଜେସିବି ସହାୟତାରେ ଉକ୍ତ ଅଂଚଳ ର ସୁଧାଂଶୁ ଶେଖର ଦାସ, ଯୋତି ରଞ୍ଜନ ପୋଥାଳ, ରଞ୍ଜନ ପୃଷ୍ଟି କରିଥିବା ବେଆଇନ ଇଟା ଭାଟିକୁ ଭାଙ୍ଗି ଦେବା ସହିତ ୩୨ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ପାହାଡପୁର ଅଞ୍ଚଳରେ ବିନା ଅନୁମତିରେ ଏହି ଇଟାଭାଟି ଚାଲୁଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏହାକୁ ଭିତି କରି ଭଦ୍ରକ ଖଣି ବିଭାଗ ଅଧିକାରୀ ସୌମ୍ୟରଞ୍ଜନ ଦ୍ୱିବେଦୀ, ଧାମନଗର ଅତିରିକ୍ତ ତହସିଲଦାର ପଲି ଭାରତୀ ମହାଳିକ ଏବଂ ଆରଆଇ ଚୁଲବୁଲ ସିଂ ପ୍ରମୁଖ ଘଟଣାସ୍ଥଳରେ ପହଂଚିଥିଲେ। ଧାମନଗର ପୋଲିସର ସହଯୋଗରେ ଏହି ଚଢ଼ଉ କରାଯାଇଥିଲା।ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ସ୍ୱରୂପ ଜେସିବି ଲଗାଇ ଇଟାଭାଟିକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦିଆଯାଇଛି। ଏଥିସହିତ ବେଆଇନ କାର୍ଯ୍ୟ ପାଇଁ ସମ୍ପୃକ୍ତ ଇଟାଭାଟି ମାଲିକ ଙ୍କଠାରୁ ୩୨,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯିବା ସହ ଆଗାମୀ ଦିନରେ ଏଭଳି ବେଆଇନ କାର୍ଯ୍ୟ ଉପରେ ନଜର ରଖିବାକୁ ସାଧାରଣରେ ଦାବି ହେଉଛି।








